ଛତ୍ରପୁର: ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ଥାନା ପୁଲିସ ଆଜି ଜଣେ ମାଟ୍ରିକ୍ ଫେଲ୍ ନକଲି ଡାକ୍ତରକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଜଣକ ହେଉଛି, ପଶ୍ଚିମବଙ୍ଗ ରାଜ୍ୟ ଉତ୍ତରଚବିଶ ପ୍ରଗଣା ଅଧୀନ ବିଷ୍ଣୁପୁର ଗ୍ରାମର ମୂଳବାସିନ୍ଦା ପ୍ରସନ୍ନଜିତ୍ ସରକାର। ସାନଆର୍ଯ୍ୟପଲ୍ଲୀସ୍ଥିତ ତା’ର କ୍ଲିନିକ୍ରେ ପୁଲିସ ଟିମ୍ ଚଢ଼ଉ କରି ଲକ୍ଷାଧିକ ଟଙ୍କାର ଔଷଧ, ଷ୍ଟେଥୋସ୍କୋପ୍ ଓ ବିପି ଦେଖିବା ଯନ୍ତ୍ର ସମେତ ବିଭିନ୍ନ ସାମଗ୍ରୀ ଜବତ କରିଛି। ଏନେଇ କେସ୍ ନମ୍ବର ୬୫/୨୫ ଅନୁସାରେ ମାମଲା ରୁଜୁ ସହ ଅଧିକ ତଦନ୍ତ ଜାରି ରହିଥିବା ଥାନାଧିକାରୀ ବିଦ୍ୟାଭାରତୀ ନାୟକ ସୂଚନା ଦେଇଛନ୍ତି। ମାଟ୍ରିକ୍ ଫେଲ୍ ହେବା ପରେ ପ୍ରସନ୍ନଜିତ୍ ତା’ର ନେଟ୍ୱର୍କକୁ ବିସ୍ତାର କରିଥିଲା। ନିଜକୁ ଡାକ୍ତର ପରିଚୟ ଦେଇ ଅଧିକ ରୋଜଗାର ନିଶାରେ ମଧ୍ୟପ୍ରଦେଶର ଏକ ଅଞ୍ଚଳରେ କିଛିଦିନ କାମ କରୁଥିଲା। ଏହାପରେ ସେ ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁରଠୁ ମାତ୍ର ୫ କିଲୋମିଟର ଦୂର ସାନଆର୍ଯ୍ୟପଲ୍ଲୀ ଗ୍ରାମକୁ ୪ ବର୍ଷ ତଳେ ଆସି ଗାନ୍ଧୀଛକ ନିକଟରେ କ୍ଲିନିକ୍ ଖୋଲିଥିଲା।
ପାଖରେ କୌଣସି ପ୍ରମାଣପତ୍ର ନଥିବା ସତ୍ତ୍ବେ ସେ ଆଧାରକାର୍ଡ଼ ଓ ଭୋଟ୍ ପରିଚୟପତ୍ର ପ୍ରସ୍ତୁତ କରିଥିଲା। ବେକରେ ଷ୍ଟେଥୋସ୍କୋପ୍ ପକାଇ ନିଜକୁ ଏମ୍ବିବିଏସ୍ ଡାକ୍ତର ବୋଲି ପରିଚୟ ଦେଇ ନିରୀହ ଗ୍ରାମବାସୀଙ୍କ ମନରେ ବିଶ୍ବାସ ଜମାଇ ବିଭିନ୍ନ ରୋଗର ଚିକିତ୍ସା କରିଆସୁଥିଲା। ଆଉ ଔଷଧ ଯୋଗାଇ ଓ ଇଞ୍ଜେକ୍ସନ୍ ଦେଇ ପ୍ରଚୁର ଅର୍ଥ ରୋଜଗାର କରୁଥିଲା। କେହି ସୁସ୍ଥ ହେଉଥିଲେ ତ ଆଉ କିଏ ଗୁରୁତର ହୋଇ ଅନ୍ୟ ଡାକ୍ତରଖାନାକୁ ଯାଉଥିଲେ। ତେବେ କିଛିଦିନ ହେଲା ବିଭିନ୍ନ ମହଲରୁ ଅଭିଯୋଗ ଆସିବା ପରେ ସ୍ବାସ୍ଥ୍ୟ ବିଭାଗ ଓ ପୁଲିସ ତତ୍ପର ହୋଇ ଉଠିଥିଲା। ଆଜି ପୁଲିସ ପ୍ରସନ୍ନଜିତ୍ର କ୍ଲିନିକ୍ ଉପରେ ଚଢ଼ଉ କରି ଔଷଧ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିବା ସହ ତାକୁ ଗିରଫ କରିଛି। ତେବେ ୪ ବର୍ଷ ହେଲା ତା’ର କାରନାମା ବିଷୟରେ ସ୍ବାସ୍ଥ୍ୟ ବିଭାଗ କିଭଳି ତିଳେ ମାତ୍ର ବି ଆଭାସ ପାଇ ପାରି ନଥିଲା ଏହାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେବଳ ପ୍ରସନ୍ନଜିତ୍ ନୁହେଁ, ଛତ୍ରପୁର ଥାନା ଇଲାକାରେ ଏଭଳି ଅନେକ ବାହାର ରାଜ୍ୟର ନକଲି ଡାକ୍ତର ସକ୍ରିୟ ହୋଇ ରହିଥିବା ଜଣାପଡ଼ିଛି। ଆଗାମୀ ଦିନରେ ଧରପଗଡ଼କୁ ବ୍ୟାପକ କରାଯାଇ କାଗଜପତ୍ର ଯାଞ୍ଚ କରାଯିବ। ସେମାନଙ୍କୁ ଗିରଫ କରାଯିବ ବୋଲି ଥାନାଧିକାରୀ ଶ୍ରୀମତୀ ନାୟକ ସୂଚନା ଦେଇଛନ୍ତି।