ଭୁବନେଶ୍ବର: କରୋନା ବା କୋଭିଡ-୧୯ ପାଇଁ ରାଜ୍ୟ ସରକାର ଲୋକଙ୍କ ସହାୟତା ପାଇଁ ୧୦୪ ହେଲ୍ପଲାଇନ୍ ନମ୍ବର କାର୍ଯ୍ୟକାରୀ କରିଛନ୍ତି। ଘରେ ଥିବା ସମୟରେ ଅସୁସ୍ଥ ହେବାଠାରୁ ଆରମ୍ଭ କରି କୌଣସି ପ୍ରକାର ଜରୁରୀ ସହାୟତା ପାଇଁ ଲୋକଙ୍କୁ ଏହି ନମ୍ବରକୁ ଫୋନ୍ କରିବା ଲାଗି କୁହାଯାଉଛି। ଏପରିକି ଏହି ନମ୍ବରକୁ କଞ୍ଜେସନ୍ ଫ୍ରି’ କରିବା ଲାଗି ସରକାର ଏହାର ଲାଇନ୍ ସଂଖ୍ୟା ବୃଦ୍ଧି କରିଛନ୍ତି। ମାତ୍ର କିଛି ଲୋକ ଏହି ଜରୁରୀ ନମ୍ବରକୁ ମଜାଳିଆ ଫୋନ୍ କରି ଅଯଥାରେ ନମ୍ବରକୁ ବ୍ୟସ୍ତ ରଖୁଛନ୍ତି। କିଏ ଫୋନ କରି ଭୁଲ୍ ଖବର ଦେଉଛି ତ ମହିଳା କର୍ମଚାରୀଙ୍କୁ କିଏ ପ୍ରେମ ନିବେଦନ କରୁଛି। କେବଳ ୧୦୪ ସହାୟତା ନମ୍ବର ନୁହେଁ, ୧୦୮ ଆମ୍ବୁଲାନ୍ସ ନମ୍ବରକୁ ମଧ୍ୟ ବର୍ଷବର୍ଷ ଧରି ହୋକ୍ସ କଲ୍ ଆସୁଛି। ଏପରିକି ଗୋଟିଏ ଗୋଟିଏ ନମ୍ବରରୁ ହଜାର ହଜାର କଲ୍ ଆସୁଛି। ଏନେଇ ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ପରିଚାଳନା କରୁଥିବା କର୍ତ୍ତୃପକ୍ଷ ପୁଲିସରେ ମାମଲା ଦାୟର ମଧ୍ୟ କରିଛନ୍ତି। ଏହା ସତ୍ତ୍ବେ ଏଥିରେ ସୁଧାର ଆସୁନାହିଁ। ୧୦୪ରେ ଫୋନ୍ କରିଥିବା କିଛି ଲୋକଙ୍କ ବାର୍ତ୍ତାଳାପ ଥିଲା ଏମିତି...।
/sambad/media/post_attachments/wp-content/uploads/2020/04/call-centreec3x2-1.jpg)
ଅଜଣା ବ୍ୟକ୍ତି: ହ୍ୟାଲୋ...
ମହିଳା କର୍ମଚାରୀ: ୧୦୪ ହେଲ୍ପ ଲାଇନ୍ ନମ୍ବର.. ହଁ…।
ମହିଳା କର୍ମଚାରୀ: କ’ଣ ହେଉଛି ଆଜ୍ଞା କୁହନ୍ତୁ…
ଅଜଣା ବ୍ୟକ୍ତି: ଆଜ୍ଞା ଏଠି କରୋନା ହେଇଗଲାଣି, ପୂରା ମାଡ଼ଗୋଳ।
ମହିଳା କର୍ମଚାରୀ: ଆପଣ କେମିତି ଜାଣିଲେ, କାହାକୁ କରୋନା ହୋଇଛି ବୋଲି..
ଅଜଣା ବ୍ୟକ୍ତି: ପୁଲିସ ଫୁଲିସ୍ ସବୁ ଆଇଲେଣି, ଆଉ କ’ଣ କହୁଛନ୍ତି, ଫୋନ୍ ଟିକେ କରିଦିଅ।
ମହିଳା କର୍ମଚାରୀ: ଆଜ୍ଞା..
ଅଜଣାବ୍ୟକ୍ତି: ଏଠି ପୂରା ମାଡ଼ଗୋଳ.. ପୂରା ମୁଣ୍ଡ, ହାତ, ଗୋଡ଼ ପିଟାପିଟି।
ମହିଳା କର୍ମଚାରୀ: କ’ଣ ହୋଇଛି ?
ଅଜଣା ବ୍ୟକ୍ତି: ଜଣକୁ କରୋନା ହେଇଥିଲା… ଆମ ଗାଁକୁ ଆଇଥିଲା, ତାକୁ ଏବେ ବାନ୍ଧି କି ବାଡ଼େଇଲେଣି।
ମହିଳା କର୍ମଚାରୀ: ବାନ୍ଧିକି କ’ଣ ପାଇଁ ବାଡ଼େଇଲେ।
ଅଜଣା ବ୍ୟକ୍ତି: ବାନ୍ଧିକି କ’ଣ ବାଡ଼େଇଛନ୍ତି… ଧରି ପକେଇଛନ୍ତି ନା।
ମହିଳା କର୍ମଚାରୀ: ଆପଣ ପୁଲିସକୁ ଫୋନ୍ କରନ୍ତୁ..୧୦୦ ନମ୍ବର ଲଗାନ୍ତୁ।
ଅଜଣା ବ୍ୟକ୍ତି: ଶୁଣ ଟିକେ..
ମହିଳା କର୍ମଚାରୀ: କୁହନ୍ତୁ।
ଅଜଣା ବ୍ୟକ୍ତି: ମୁଁ ତୁମକୁ ଭଲ ପାଏ, ଆଇ ଲାଇକ୍ ୟୁ…
ମହିଳା କର୍ମଚାରୀ: ଏଇଟା ପୁଲିସ ନମ୍ବର ଜାଣିଛନ୍ତି ତ ?
ସଙ୍ଗେ ସଙ୍ଗେ ମୁଁ ଆପଣଙ୍କ ନମ୍ବର ଫରୱାର୍ଡ କରୁଛି.. ଟିକେ ୱେଟ୍ କରନ୍ତୁ… ଏପଟୁ କଲ୍ବ୍ୟାକ୍ ଯାଉଛି।