ନକଲି ପରୀକ୍ଷାର୍ଥୀ ଗିରଫ ମାମଲା : ପାକ୍‌ ସୀମା ହନୁମାନ ଗଡ଼ରେ ଆଉ ଜ‌ଣେ ଦଲାଲ ଠାବ

ରିମାଣ୍ଡରେ ଆସିବେ ଦଲାଲ

ଭୁବନେଶ୍ବର : ରବିବାର ଅନୁଷ୍ଠିତ ଓୟୁଏଟି ପ୍ରବେଶିକା ପରୀକ୍ଷାରେ ନକଲି ପରୀକ୍ଷାର୍ଥୀଙ୍କ ସହ ଖଣ୍ଡଗିରି ଥାନା ପୁଲିସ ଦ୍ବାରା ଗିରଫ ହୋଇଥିବା ୩ ଦଲାଲଙ୍କୁ ରିମାଣ୍ଡରେ ଆଣିବା ପାଇଁ କମିସନରେଟ୍‌ ପୁଲିସ ଯୋଜନା କରିଛି। ରିମାଣ୍ଡରେ ଆସିବା ପରେ ସେମାନଙ୍କୁ ରାଜ୍ୟ ବାହାରକୁ ନେଇ ତଦନ୍ତ କରାଯିବ ବୋଲି ସୂଚନା ମିଳିଛି। ଖୋଳତାଡ଼ ବେଳେ ପୁଲିସ ଆହୁରି ଅଧିକ ତଥ୍ୟ ହାସଲ କରିଛି। ଇ-ମେଲ୍‌ ଜରିଆରେ ଏହି ସବୁ କାରବାର ହେଉଥିଲା ବୋଲି ପୁଲିସ ତଦନ୍ତରୁ ଜାଣି ପାରିଛି। ଏଣୁ ଗିରଫ ଦଲାଲଙ୍କ ଇମେଲ୍‌କୁ ଆସିଥିବା ଓ ଇମେଲ୍‌ରୁ ଯାଇଥିବା ସମସ୍ତ ତଥ୍ୟକୁ ଯାଞ୍ଚ କରିବାକୁ ଯୋଜନା ହୋଇଛି। ପ୍ରାଥମିକ ତଦନ୍ତରେ ଦଲାଲମାନେ ଛୋଟ ଚାକିରି କରିଥିଲେ ମଧ୍ୟ ବିଏମ୍‌ଡବ୍ଲୁ ଭଳି ଦାମୀ ଗାଡ଼ି ଚଢ଼ୁଥିବା ପୁଲିସ ଜାଣିବାକୁ ପାଇଛି। ନିଜ ଆୟରୁ କି ଏହି ବେଆଇନ୍‌ କାରବାରରୁ କୋଟି କୋଟି ଟଙ୍କା ଆୟ କରାଯାଇ ଗାଡ଼ି କିଣାଯାଇଛି ତାହାର ଖୋଳତାଡ଼ ଆରମ୍ଭ ହୋଇଛି। ପ୍ରାୟ ବର୍ଷବର୍ଷ ଧରି ଏପରି କାରବାର ଚାଲିଥିବା ପୁଲିସ ଜାଣିବାକୁ ପାଇଛି। ଏହା ପଛରେ ଏକ ରୢାକେଟ୍‌ କାମ କରୁଥିବା ଅନୁମାନ କରାଯାଉଛି।

ଅନ୍ୟପଟେ ବଡ଼ଗଡ଼ ଥାନା ପୁଲିସ ଅଟକ ରଖିଥିବା ନାବାଳକ ନକଲି ପରୀକ୍ଷାର୍ଥୀକୁ ବ୍ରହ୍ମପୁର ବାଳ ସୁଧାର ଗୃହକୁ ପଠାଇଛି। ତଦନ୍ତବେଳେ ବଡ଼ଗଡ଼ ପୁଲିସ ମଧ୍ୟ ଅନେକ ତଥ୍ୟ ହାସଲ କରିଛି। ଏମାନଙ୍କୁ ଆଣିଥିବା ଦଲାଲ ପାକିସ୍ତାନ ସୀମା ରାଜସ୍ଥାନର ହନୁମାନଗଡ଼ରେ ଥିବା ପୁଲିସ ଠାବ କରିଛି। ଏହି ନାବାଳକ ଓ ଅନ୍ୟ ୪ ଜଣଙ୍କୁ ଦଲାଲ ଆଣି ଆର୍ଯ୍ୟ ପ୍ୟାଲେସ୍‌ ହୋଟେଲରେ ରଖିଥିବା ଜଣାପଡ଼ିଛି। ହୋଟେଲ ସିସିଟିଭି କ୍ୟାମେରାର ଫୁଟେଜ୍‌କୁ ପୁଲିସ ସଂଗ୍ରହ କରିଛି। ଏଥିରୁ ଦଲାଲର ଚେହେରା ଆକଳନ କରାଯାଇଛି। ତା’ ସହ ସେମାନେ କୁଆଡ଼େ କୁଆଡ଼େ ଯାଇଛନ୍ତି ସହରର ବିଭିନ୍ନ ଜାଗାରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଜରିଆରେ ଠାବ କରାଯାଉଛି। ଏହି ସବୁ ଫୁଟେଜ୍‌କୁ ନେଇ ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର