କଟକ : ହାଇକୋର୍ଟରେ ବି ରୁଜୁ ହେଉଛି ଜାଲ ମାମଲା। ଏଭଳି ଏକ ସଂଗୀନ ଘଟଣା ଏବେ ସାମ୍ନାକୁ ଆସିଛି। ମାମଲାର ଶୁଣାଣି ବେଳେ ଜଣେ ବ୍ୟକ୍ତି ହାଜର ହୋଇ ତାଙ୍କ ନାମରେ ଅନ୍ୟ କେହି ମାମଲା ରୁଜୁ କରିଥିବା କହିଛନ୍ତି। ଚଳିତ ନିର୍ବାଚନରେ କୋରାପୁଟ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିବା ପୂର୍ବତନ ବିଧାୟକ ରଘୁରାମ ପୋଡାଲଙ୍କ ବିରୋଧରେ ଏଭଳି ମାମଲା ରୁଜୁ ହୋଇଥିବା ବେଳେ ବଳଭଦ୍ର ମାଣ୍ଡି ନାମକ ଜଣେ ବ୍ୟକ୍ତି ଏହି ମାମଲା ରୁଜୁ କରିଥିବା ରେକର୍ଡ କହୁଛି। କିନ୍ତୁ ବଳଭଦ୍ର କୋର୍ଟରେ ହାଜର ହୋଇ ସେ ଏଭଳି କୌଣସି ମାମଲା ହାଇକୋର୍ଟରେ ରୁଜୁ କରି ନାହାନ୍ତି ବୋଲି ସତ୍ୟପାଠ ଦେବା ପରେ ଏହା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨୯ ତାରିଖକୁ ଧାର୍ଯ୍ୟ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ହାଇକୋର୍ଟରେ ଦାଖଲ ରିଟ୍ ଆପ୍ଲିକେସନ ସହିତ ଦାଖଲ ହୋଇଥିବା ସତ୍ୟପାଠରେ ନାଁ, ବାପ ନାଁ, ଗାଁ ନାଁ, ଜିଲ୍ଲା ନାଁ ତାଙ୍କର ହୋଇଥିଲେ ମଧ୍ୟ ଦସ୍ତଖତ ତାଙ୍କର ନୁହେଁ ବୋଲି କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ମଟମପୁଟର ବଳଭଦ୍ର ମାଣ୍ଡି ଦର୍ଶାଇଛନ୍ତି। ସେ କୌଣସି ଆବେଦନରେ ଦସ୍ତଖସ୍ତ କରି ନାହାନ୍ତି କି ହାଇକୋର୍ଟରେ ମାମଲା ରୁଜୁ କରିବା ପାଇଁ କାହାକୁ ଦାୟିତ୍ବ ବା ଅନୁମତି ଦେଇ ନାହାନ୍ତି। ଏ ନେଇ ସଂପୃକ୍ତ ବ୍ୟକ୍ତି ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ଅନ୍ୟ କୌଣସି ବ୍ୟକ୍ତି ମନ୍ଦ ଉଦ୍ଦେଶ୍ୟ ରଖି ତାଙ୍କ ନାଁରେ ଏପରି ମାମଲା ହାଇକୋର୍ଟରେ ରୁଜୁ କରିଛି। ଏପରି ପରିସ୍ଥିତିରେ ହାଇକୋର୍ଟରେ ତାଙ୍କୁ ଆବେଦନକାରୀ ଦର୍ଶାଇ ଦାୟର ମାମଲାକୁ ବନ୍ଦ କରାଯାଉ ବୋଲି ସେ ଆବେଦନ ଓ ସତ୍ୟପାଠରେ ଦର୍ଶାଇଛନ୍ତି। ତାଙ୍କୁ ଆବେଦନକାରୀ ଦର୍ଶାଇ ହାଇକୋର୍ଟରେ ରୁଜୁ ମାମଲାରେ ପୂର୍ବତନ ବିଧାୟକ ତଥା ୨୦୧୯ ନିର୍ବାଚନ ପାଇଁ କୋରାପୁଟରୁ ବିଜେଡିର ବିଧାୟକ ପ୍ରାର୍ଥୀ ହୋଇଥିବା ରଘୁରାମ ପୋଡାଲଙ୍କୁ ପକ୍ଷଭୁକ୍ତ କରାଯାଇଛି। ରଘୁରାମ ପୋଡାଲଙ୍କୁ ପ୍ରଦାନ କରାଯାଇଥିବା ଅନୁସୂଜିତ ଜାତି(ଏସସି) ଜାତିଗତ ପ୍ରମାଣପତ୍ରକୁ ରଦ୍ଦ କରିବା ପାଇଁ ୨୦୧୩, ଜାନୁଆରି ୧୦ରେ ବଳଭଦ୍ର ମାଣ୍ଡି ଦକ୍ଷିଣାଞ୍ଚଳ ଆରଡିସି ତଥା ଷ୍ଟେଟ ଲେଭଲ ସ୍କୃଟିନି କମିଟି ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ରଘୁରାମ ପୋଡାଲ ଅନୁସୂଚିତ ଜାତି(ଏସସି) ବର୍ଗର ବୋଲି କମିଟିର ୨୦୧୮, ନଭେମ୍ବର ୧୭ର ଚୂଡାନ୍ତ ରାୟରେ ସ୍ପଷ୍ଟ କରାଯାଇଥିଲା। ଏଥି ସହିତ ଏହି ଏସଂପର୍କିତ ଅଭିଯୋଗ ମାମଲାରେ ପୂର୍ଣ୍ଣଚ୍ଛେଦ ପଡିଥିଲା। କମିଟିର ୨୦୧୮, ନଭେମ୍ବର ୧୭ ରାୟକୁ ଚାଲେଞ୍ଜ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ୨୦୧୮, ନଭେମ୍ବର ୧୭ ରେ କମିଟି ଦେଇଥିବା ନିର୍ଦ୍ଦେଶ ରଦ୍ଦ କରିବାକୁ ଆବେଦନ ଦାୟର କରାଯାଇଥିଲା। ଏଥି ସହିତ ମାମଲା ବିଚାରାଧୀନ ଥିବା ବେଳେ ଏହି ନିର୍ଦ୍ଦେଶ ଉପରେ ରହିତାଦେଶ ଜାରି କରାଯାଉ ଓ ରଘୁରାମ ପୋଡାଲଙ୍କୁ ପ୍ରଦାନ କରାଯାଇଥିବା ଜାତିଗତ ପ୍ରମାଣପତ୍ରର ବ୍ୟବହାର ଉପରେ ରୋକ ଲାଗାଯାଉ ବୋଲି ମଧ୍ୟ ପୃଥକ ଅନ୍ତରୀଣ ଆବେଦନ ଦାୟର କରାଯାଇଥିଲା।
ଜଷ୍ଟିସ ବିଶ୍ବଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ବଳଭଦ୍ର ମାଣ୍ଡି ବ୍ୟକ୍ତିଗତ ଭାବେ ଉପସ୍ଥିତ ଥିଲେ। ତାଙ୍କ ନାଁରେ ଅନ୍ୟ କେହି ମାମଲା ରୁଜୁ କରିଛନ୍ତି ବୋଲି ଦର୍ଶାଯାଇଥିଲା। ସେ ଏ ସଂପର୍କରେ ଖବର ପାଇ ହାଇକୋର୍ଟରେ ଏକ ଅନ୍ତରୀଣ ଆବେଦନ ଓ ସତ୍ୟପାଠ ଦାଖଲ କରିଛନ୍ତି। ନିଜ ପରିଚୟ ସପକ୍ଷରେ ଆଧାର କାର୍ଡ ମଧ୍ୟ ଦାଖଲ କରିଛନ୍ତି ବୋଲି ଦର୍ଶାଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨୯ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ବଳଭଦ୍ର ମାଣ୍ଡିଙ୍କ ପକ୍ଷରୁ ଆଇନଜୀବୀ ରାଧାରମଣ ଦାସନାୟକ ଏବଂ ରଘୁରାମ ପୋଡାଲଙ୍କ ତରଫରୁ ଆଇନଜୀବୀ ପବିତ୍ର କୁମାର ନାୟକ ଓ ଅଧିକାରୀ ଚିତ୍ତରଂଜନ ଦାଶ ମାମଲା ପରିଚାଳନା କରୁଛନ୍ତି।
‘