ସୁନ୍ଦରଗଡ଼: ଏ ଖାକି ପୋଷାକ ପିନ୍ଧା ବାବୁଙ୍କ ଫଟୋକୁ ଦେଖନ୍ତୁ। କାନ୍ଧରେ ୩ଟି ତାରକା ଲାଗିଛି। ମୁହଁରେ ପୁଲିସିଆ ଠାଣି। ଯିଏ ଦେଖିବେ ତାଙ୍କୁ ପୁଲିସ ବିଭାଗର ଜଣେ ବଡ଼ ଅଧିକାରୀ ଭାବିବେ। ବାବୁ ଜଣକ ବି ନିଜକୁ ସିବିଆଇ ଅଧିକାରୀ ବୋଲି ପରିଚୟ ଦେଇ ଆସୁଥିଲେ। କିନ୍ତୁ ପ୍ରକୃତରେ ସେ ଜଣେ ଠକ। ଚାକିରି କରାଇ ଦେବି କହି ସୁନ୍ଦରଗଡ଼ ଗ୍ରାମାଞ୍ଚଳର ଚାକିରି ଆଶାୟୀ ନିରୀହ ଆଦିବାସୀ ଯୁବକ ଯୁବତୀଙ୍କୁ ଚୂନ ଲଗାଇଛନ୍ତି। ଠକେଇର ଶିକାର ୨ ଜଣ ଯୁବତୀ ଟାଉନଥାନାରେ ଏତଲା ଦେବାପରେ ତାଙ୍କ କାଳକାରନାମା ସାମ୍ନାକୁ ଆସିଛି। ପୁଲିସ ତାଙ୍କୁ ଗିରଫକରି କୋର୍ଟଚାଲାଣ କରିଛି।
ନକଲି ସିବିଆଇ ଅଧିକାରୀ ହେଲେ ଟାଉନଥାନା ପଣ୍ଡ୍ରିଢିପାର ଉମେଶ ତନ୍ତୀ ଓରଫ ଆର୍ୟାନ। ସୂଚନା ଅନୁସାରେ, ୨୦୨୧ରେ ରେଳବାଇ ବିଭାଗରେ ନର୍ସ, ଟିକେଟ୍ କାଉଣ୍ଟରରେ ଚାକିରି କରାଇ ଦେବି କହି ସେ ଜିଲ୍ଲାର ସବ୍ଡେଗା କିରାଲଗା ଅଞ୍ଚଳର ଜଣେ ମହିଳାଙ୍କ ସହଯୋଗରେ ଟାଙ୍ଗରଗାଁ ଅଞ୍ଚଳର ୩ ଜଣ ଯୁବତୀ ଓ ଜଣେ ଯୁବକଙ୍କଠାରୁ ଟଙ୍କା ନେଇଥିଲେ। ଚାକିରି ପାଇଁ ୫ ଲକ୍ଷ ଲାଗିବ, ତେବେ ଅଗ୍ରିମ ୫୦ ହଜାର ଦେଲେ ଚଳିବ ବୋଲି କହିବାପରେ ୪ ଜଣ ୨ ଲକ୍ଷ ୨୫ ହଜାର ଟଙ୍କା ଦେଇଥିଲେ। ଏହାପରେ ନିଯୁକ୍ତିପତ୍ର ଆଜି ଦେବି କାଲି ଦେବି କହି ଦିନ ଗଡ଼ାଇ ଚାଲିଥିଲେ ଏବଂ ଆଉ ଧରାଛୁଅଁା ଦେଇନଥିଲେ। ଠକେଇରେ ପଡ଼ିଥିବା ଜାଣିବା ପରେ ଦୁଇଜଣ ଯୁବତୀ ସେନାସ କୁଲ୍ଲୁ, ସ୍ବାତୀ ଏକ୍କା ଟାଉନଥାନାରେ ଏତଲା ଦେଇଥିଲେ। ପୁଲିସ ଏକ ମାମଲା ରୁଜୁ କରିବା ସହ ଠକ ଉମେଶଙ୍କ ମୋବାଇଲ ନମ୍ବରକୁ ଟ୍ରେସ୍ କରି ତାଙ୍କୁ ପଣ୍ଡ୍ରିଢିପା ଘରୁ ଗିରଫ କରିଛି। ତାଙ୍କଠାରୁ ଏକ କେଟିଏମ୍ ବାଇକ , ୨୫ ହଜାର ନଗଦ ଓ ମୋବାଇଲ ଜବତ କରିଛି। ଏସ୍ଆଇ ଡୋଳାମଣି ନାଏକ ମାମଲାର ତଦନ୍ତ କରୁଥିବାବେଳେ ଉମେଶ ଆହୁରି ଅନେକ ଯୁବକ ଯୁବତୀଙ୍କୁ ଠକିଥିବା ଅଭିଯୋଗ ହସ୍ତଗତ ହେବାରେ ଲାଗିଛି।