ବ୍ରହ୍ମପୁର: ଗୋଟିଏ କି ଦୁଇଟି ବିଷୟ ନୁହେଁ, ମାଟ୍ରିକରେ ଛଅରୁ ଛଅଟି ଯାକ ବିଷୟରେ ଶହେରୁ ଶହେ ନମ୍ବର। ଏପରିକି ଓଡ଼ିଆ, ତେଲୁଗୁ ଓ ଇଂରାଜୀ ବିଷୟରେ ମଧ୍ୟ ଶହେରୁ ଶହେ ମାର୍କ ରଖିଛନ୍ତି ବିଦ୍ୟାର୍ଥୀ ଜଣକ। ଆନ୍ଧ୍ର ସ୍କୁଲରେ ପାଠପଢ଼ି ମାଟ୍ରିକରେ ଏଭଳି ମାର୍କ ପାଉଛନ୍ତି ବିଦ୍ୟାର୍ଥୀ। ମାଟ୍ରିକ୍‌ ପରୀକ୍ଷାରେ ୬ଶହରୁ ୬ଶହ ମାର୍କ ରଖିଥିବା ଏଭଳି ବିଦ୍ୟାର୍ଥୀ ଏବେ ଡାକ ବିଭାଗର ଗ୍ରାମୀଣ ଡାକ ସେବକ(ଜିଡିଏସ୍‌) ପଦବି ପାଇଁ ଆବେଦନ କରିଛନ୍ତି। ଫଳରେ ଓଡ଼ିଶା ବୋର୍ଡ଼ ପିଲା ଏମାନଙ୍କ ଠାରୁ ଦୌଡ଼ରେ ବହୁ ପଛରେ ପଡ଼ି ଯାଇଛନ୍ତି। ଜିଡିଏସ୍‌ ପଦ ପାଇଁ ବ୍ରହ୍ମପୁର ଡାକ ଭିଭିଜନ୍‌ରେ ଆବେଦନ କରିଥିବା ଆଉ ଜଣେ ୬ଶହ ମାର୍କ ରଖିଥିବା ପ୍ରାର୍ଥୀ ଚିହ୍ନଟ ହୋଇଛନ୍ତି। ଆନ୍ଧ୍ର ସ୍କୁଲରେ ମାର୍କ ବର୍ଷା ଦେଖି ଓଡ଼ିଶାର ବିଦ୍ୟାର୍ଥୀମାନେ ଜଳକା ହୋଇ ଯାଉଛନ୍ତି। ଆନ୍ଧ୍ର ସ୍କୁଲର ବିଦ୍ୟାର୍ଥୀ ୬ଶହରୁ ୬ଶହ ମାର୍କ ରଖି ଜିଡିଏସ୍‌ ପଦବି ପାଇଁ ଆବେଦନ କରୁଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଯଦି ଏଭଳି ବିଦ୍ୟାର୍ଥୀ ଜିଡିଏସ୍‌ ଚାକିରି କରିବେ ତେବେ ମଧ୍ୟବିତ୍ତ ଓ ନିମ୍ନ ବର୍ଗର ପିଲାଙ୍କ ପାଇଁ ଆଉ କେଉଁ ଚାକିରି ରହିବ ବୋଲି କିଛି ପ୍ରାର୍ଥୀ ପ୍ରଶ୍ନ କରିଛନ୍ତି।

Advertisment

ବ୍ରହ୍ମପୁର ଡାକ ଡିଭିଜନ୍‌ରେ ୫୭ଟି ଜିଡିଏସ୍‌ ପଦବି ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା। ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାର ବିଦ୍ୟାର୍ଥୀ ଆବେଦନ କରିଥିଲେ। ଏହି ପଦବି ପାଇଁ ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍‌ ରହିଛି। ସେପଟେ ଡାକ ବିଭାଗରେ ଜାଲ୍‌ ସାର୍ଟିଫିକେଟ୍‌ରେ ନିଯୁକ୍ତି ଘଟଣା ପ୍ରଘଟ ପାଇବା ପରେ ସାରା ରାଜ୍ୟରେ ଯାଞ୍ଚ୍‌ ଓ ତଦନ୍ତକୁ ଜୋର୍‌ଦାର କରାଯାଇଛି। ଏଭଳି ସ୍ଥିତିରେ ବାହାର ରାଜ୍ୟର ସାର୍ଟିଫିକେଟ୍‌ ଦାଖଲ କରୁଥିବା ପ୍ରାର୍ଥୀଙ୍କ ଉପରେ ନଜର ରଖିବାକୁ ବିଭାଗୀୟ ନି‌ର୍ଦ୍ଦେଶ ଜାରି ହୋଇଥିଲା। ବାହାର ରାଜ୍ୟର ସାର୍ଟିଫିକେଟ୍‌ ଗୁଡ଼ିକୁ ଭଲ ଭାବେ ଯାଞ୍ଚ୍‌ କରିବାକୁ ନିର୍ଦ୍ଦେଶ ପରେ ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର ଡାକ ଡିଭିଜନ୍‌ରେ ଆବେଦନ କରିଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୧୫ଜଣ ବାହାର ରାଜ୍ୟର ଦଶମ ଶ୍ରେଣୀ ସାର୍ଟିଫିକେଟ୍‌ ଦାଖଲ କରିଥିବା ଠାବ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୦ଜଣ ଆନ୍ଧ୍ର ବୋର୍ଡ଼ର ଦଶମ ଶ୍ରେଣୀ ଶିକ୍ଷା ପ୍ରମାଣପତ୍ର ଦାଖଲ କରିଥିବା ବେଳେ ୨ଜଣ ଛତିଶଗଡ଼ ଓ ୩ଜଣ ଉତ୍ତରପ୍ରଦେଶ ବୋର୍ଡ଼ର ଦଶମ ‌ଶ୍ରେଣୀ ସାର୍ଟିଫିକେଟ୍‌ ଦାଖଲ କରିଥିଲେ। ଆନ୍ଧ୍ର ବୋର୍ଡ଼ ସାର୍ଟିଫିକେଟ୍‌ ଦାଖଲ କରିଥିବା ଜଣେ ପ୍ରାର୍ଥୀ ୬ଶହରୁ ୬ଶହ ମାର୍କ ପାଇଥିବା ଜଣା ପଡ଼ିଥିଲା। ଯାଞ୍ଚ ପରେ ତାଙ୍କର ସାର୍ଟିଫିକେଟ୍‌ ମଧ୍ୟ ଠିକ୍‌ ରହିଥିବା ପୋଷ୍ଟାଲ୍‌ ବିଭାଗ ଜାଣିବାକୁ ପାଇଥିଲା। ପାତ୍ରପୁର ବ୍ଲକ୍‌ ଅନ୍ତର୍ଗତ ତୁମ୍ବାଗଡ଼ରେ ରହୁଥିବା ଜଣେ ଛାତ୍ର ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ୍‌ ଜିଲ୍ଲାର ମଞ୍ଜୁସାର ଏକ ହାଇସ୍କୁଲରୁ ୬ଶହରୁ ୬ଶହ ମାର୍କ ରଖି ମାଟ୍ରିକ୍‌ ପାସ୍‌ କରିଥିବା ପ୍ରମାଣପତ୍ର ଦାଖଲ କରିଥିଲେ।

ଏହାପରେ ଗଞ୍ଜାମ ଜିଲ୍ଲାର ଆଉ ଜଣେ ଛାତ୍ରୀ ଆନ୍ଧ୍ର ସ୍କୁଲରୁ ୨୦୨୦ରେ ମାଟ୍ରିକ୍‌ ପାସ୍‌ ସାର୍ଟିଫିକେଟ୍‌ ଦାଖଲ କରିଛନ୍ତି। ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆନ୍ଧ୍ର ସ୍କୁଲରେ କେଉଁ ମାନର ଶିକ୍ଷାଦାନ ଓ ମୂଲ୍ୟାୟନ କରାଯାଉଛି ଯେ ପିଲା ଓଡ଼ିଆ, ତେଲୁଗୁ, ଇଂରାଜୀ ଭଳି ଭାଷା ବିଷୟରେ ମଧ୍ୟ ଶହେରୁ ଶହେ ମାର୍କ ରଖୁଛନ୍ତି ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ସୃଷ୍ଟି ହୋଇଛି। ୬ଶହ ମାର୍କ ରଖିଥିଲେ ମଧ୍ୟ ଛାତ୍ରୀଙ୍କ ଆବେଦନ ନାକଚ ହୋଇ ଯାଇଛି। ସେ ଓବିସି ବର୍ଗରେ ଆବେଦନ କରିଥିଲେ। ଅସଲ ସାର୍ଟିଫିକେଟ୍‌ ଯାଞ୍ଚ ବେଳେ ଠିକ୍‌ ଜାତି ପ୍ରମାଣପତ୍ର ଦେଖାଇ ପାରି ନଥିଲେ। ଏଣୁ ତାଙ୍କର ଆବେଦନ ଖାରଜ ହୋଇ ଯାଇଛି। ସେ ଯାହା ହେଉ ଜଣେ ବଦ୍ୟାର୍ଥୀ ୬ଶହରୁ ୬ଶହ ମାର୍କ ରଖି ମାଟ୍ରିକ୍‌ ପାସ୍‌ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହିତ ଆନ୍ଧ୍ରର ଶିକ୍ଷା ବ୍ୟବସ୍ଥା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି।