ଆକ୍ସନ ମୋଡ଼ରେ ଶିକ୍ଷା ବିଭାଗ: ଜେଲରେ ଦୁଇ ଶିକ୍ଷକ

ବରଗଡ଼ରେ ନକଲି ସାର୍ଟିଫିକେଟ ରାକେଟ୍‌

ବରଗଡ଼: ସାରା ରାଜ୍ୟରେ ନକଲି ସାର୍ଟିଫିକେଟକୁ ନେଇ ହଇଚଇ ହେଉଛି। କିଛି ଦିନ ତଳେ ସିବିଆଇ ମାମଲାର ଖୋଲତାଡ଼ ଆରମ୍ଭ କରିଥିଲା। ଏସବୁ ଭିତରେ ବରଗଡ଼ ଜିଲ୍ଲା ବି ପଛରେ ନାହିଁ। ବରଗଡ଼ ଜିଲ୍ଲାରେ ମଧ୍ୟ ନକଲି ସାର୍ଟିଫିକେଟରେ ଅନେକ ଲୋକ ସରକାରୀ ଚାକିରି ହାତେଇଛନ୍ତି। ଏ ଭିତରେ ଜିଲ୍ଲା ଶିକ୍ଷା ବିଭାଗ ଦୁଇ ଜଣ ନକଲି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି। ସେମାନଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି। ଏତଲା ପାଇ ପୁଲିସ ମାମଲା ରୁଜୁ କରିଥିବା ବେଳେ ଶିକ୍ଷକ ଦୁଇ ଜଣ ଅଦାଲତରେ ଆତ୍ମସମର୍ପଣ କରି ଜେଲ ବିଚାର ବିବାଗୀୟ ହାଜତରେ ଥିବା ସୂଚନା ହସ୍ତଗତ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଅମ୍ବାଭୋନା ବ୍ଲକ ଭୁତଲି ପ୍ରାଥମିକ ବିଦ୍ୟାଳୟରେ ତରଣୀ ସେଠ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ସେହିପରି କଣ୍ଡପଲା ବିଦ୍ୟାଳୟରେ ମଙ୍ଗଳ ବିଶ୍ୱାଳ ସହକାରୀ ଶିକ୍ଷକ ଥିଲେ। ଏମାନେ ଦୀର୍ଘ ବର୍ଷ ହେଲା ସରକାରୀ ଚାକିରି ପାଇ ଦରମା ନେଉଥିଲେ। ଏ ଦୁଇ ଜଣ କିନ୍ତୁ ନକଲି ସାର୍ଟିଫିକେଟ ଦାଖଲ କରି ଚାକିରି ହାତେଇଥିଲେ। ଶିକ୍ଷା ବିଭାଗ ସନ୍ଦେହ କରି ଏମାନଙ୍କ ସାର୍ଟିଫିକେଟକୁ ନେଇ ତଦନ୍ତ କରିଥିଲ । ତଦନ୍ତରେ ବିଇଡି ପ୍ରମାଣପତ୍ର ନକଲି ଥିବା ଶେଷରେ ଜଣାପଡ଼ିଥିଲା। ଆଉ ସବୁ ଜାଣିବା ପରେ ଅମ୍ବାଭୋନା ବିଇଓ ସ୍ଥାନୀୟ ଥାନାରେ ଏ ଦୁଇ ଜଣଙ୍କ ନାମରେ ଏତଲା ଦେଇଥିଲେ। ପୁଲିସ ଗତ ଗତ ମେ ମାସରେ କେସ ନଂ -୯୨ରେ ଉଭୟଙ୍କ ନାମରେ ମାମଲା ରୁଜୁ କରିଥିଲା। ଉଭୟ ଶିକ୍ଷକ ଫେରାର ହୋଇ ଜାମିନ ପାଇଁ ଆବେଦନ କରିଥିଲେ । ହେଲେ ଜାମିନ ନମିଳିବାରୁ ବାଧ୍ୟ ହୋଇ ସେମାନେ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ଅମ୍ବାଭୋନା ଥାନାଧିକାରୀ କହିବା ହେଲା ଉଭୟ କୋର୍ଟରେ ଆତ୍ମସମର୍ପଣ କରିବା ପରେ ବିଚାରବିଭାଗୀୟ ହାଜତରେ ଅଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।
ଅମ୍ବାଭୋନା ବିଇଓଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ତରଣୀସେନ ସେଠ ୧୫/୧୦/୨୦୦୫ରେ ଚଣ୍ଡପାଲି ବିଦ୍ୟାଳୟରେ ପ୍ରଥମେ ଯୋଗ ଦେଇଥିଲେ। ସେହିପରି ୧୮/୧୦/୨୦୦୫ରେ ମଙ୍ଗଳ ଚାକିରିରେ ଯୋଗଦେଇଥିଲେ। ପରବର୍ତ୍ତୀ ସମୟରେ ସେମାନେ ସ୍ଥାୟୀ ନିଯୁକ୍ତି ୨୦୧୧ରୁ ପାଇଥିଲେ। ଦରମା ୨୯ହଜାର୯୦୦ ଟଙ୍କା ପାଉଥିଲେ। କିନ୍ତୁ ନକଲି ସାର୍ଟିଫିକେଟ ବାବଦରେ ବିଇଓ ଜାଣିବା ପରେ ଯେଉଁ ୟୁନିଭରସିଟିର ପ୍ରମାଣପତ୍ର ଦେଇଥିଲେ, ସେଠାକୁ ଚିଠି କରି ସତ୍ୟାସତ୍ୟ ଲୋଡିଥିଲେ। ସେଠାରୁ କୌଣସି ଏହି ନାମରେ ସାର୍ଟିଫିକେଟ ନେଇନଥିବା ପ୍ରତ୍ୟୁତ୍ତରରେ ଆସିଥିଲା। ଆଉ ତାପରେ ଶିକ୍ଷା ବିଭାଗ ଉଭୟଙ୍କ ନାମରେ ଏତଲା ଦେଇଥିଲା। ଶିକ୍ଷା ବିଭାଗରେ ଏ ଦୁଇ ଜଣ ଉଦାହରଣ ମାତ୍ର ବୋଲି କୁହାଯାଉଛି। ଅନେକ ନକଲି ସାର୍ଟିଫିକେଟ ଦାଖଲ କରି ଏମାନଙ୍କ ଭଳି ପୂର୍ବରୁ ଚାକିରି ହାତେଇଥିବା ଚର୍ଚ୍ଚା ହେଉଛି। ଏଣୁ ଏ ଦିଗରେ ଜିଲ୍ଲା ଶିକ୍ଷା ବିଭାଗ ତଦନ୍ତ କରିବାକୁ ଦାବି ହେଉଛି। ଏ ନେଇ ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରୀଙ୍କୁ ପଚାରିବାରୁ ନକଲି ସାର୍ଟିଫିକେଟରେ ଚାକିରି ପାଇଛନ୍ତି ଜାଣିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର