କୋରେଇ : ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ରେ ଜାଲ୍ ଜାତି ପ୍ରମାଣପତ୍ର ଦେଇ ଶିକ୍ଷକ ଚାକିରି କରିଥିବା ୨ଜଣଙ୍କୁ ପୂର୍ବରୁ ବିହିଷ୍କାର କରାଯାଇଥିବା ବେଳେ ବର୍ତ୍ତମାନ ଆଉ ୩ ଶିକ୍ଷକଙ୍କୁ କୈଫିୟତ ତଲବ କରାଯାଇଛି। ଏହି ୩ ଶିକ୍ଷକ ଚାକିରି ସମୟରେ ଦାଖଲ କରିଥିବା ଜାତି ପ୍ରମାଣପତ୍ର ବ୍ୟାସନଗର ତହସିଲ ପକ୍ଷରୁ ଜାରି କରାଯାଇ ନାହିଁ ବୋଲି ରିପୋର୍ଟ ଦିଆଯାଇଛି। ଏହି ୩ ଶିକ୍ଷକ ହେଲେ ଧନତ୍ରୀ ପ୍ରାଥମିକ ବିଦ୍ୟାଳୟର ମଧୁସୂଦନ ନାୟକ, ଏସ୍.କେ ଗଡ଼ିଆ ପ୍ରାଥମିକ ବିଦ୍ୟାଳୟର ବିପିନ ନାୟକ ଓ କଡ଼ମା ନୋଡାଲ ସ୍କୁଲର ରାମଚନ୍ଦ୍ର ପ୍ରଧାନ। ଏମାନେ କିଭଳି ଓ କେଉଁଠାରୁ ଜାତି ପ୍ରମାଣପତ୍ର ସଂଗ୍ରହ କରିଥିଲେ ପ୍ରଶ୍ନ ହେଉଛି। ସେମାନଙ୍କୁ ଏ ସଂକ୍ରାନ୍ତରେ ଆବଶ୍ୟକ କାଗଜପତ୍ର ଦାଖଲ କରିବାକୁ କୋରେଇ ବ୍ଲକ ଶିକ୍ଷା ଅଧିକାରୀ ନୋଟିସ ଜାରି କରିଛନ୍ତି।
ତହସିଲଦାରଙ୍କ ରିପୋର୍ଟ ଆଧାରରେ ସଂପୃକ୍ତ ୩ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବା ସହିତ ମାସକ ମଧ୍ୟରେ ଆବଶ୍ୟକ କାଗଜପତ୍ର ଦାଖଲ କରିବାକୁ କୁହାଯାଇଛି। ନହେଲେ ସେମାନଙ୍କ ଜାତି ପ୍ରମାଣପତ୍ରକୁ ଜାଲ୍ ବୋଲି ଧରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କୋରେଇ ବିଇଓ ସୁଦର୍ଶନ ମଲ୍ଲିକ ସୂଚନା ଦେଇଛନ୍ତି। ସେହିପରି ଏମ୍ଏଲ୍ଏ ଉଚ୍ଚ ବିଦ୍ୟାପୀଠର ମୁରଲୀଧର ଦେହୁରୀ ୧୯୯୯ ମସିହାରେ ଜାତି ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ ମଧ୍ୟ ତାହା ମିଳୁନଥିବା ତହସିଲଦାର ରିପୋର୍ଟ ଦେଇଛନ୍ତି। ଅନ୍ୟ ୫ଜଣ ଶିକ୍ଷକଙ୍କୁ ତହସିଲ ପକ୍ଷରୁ ହିଁ ଜାତି ପ୍ରମାଣପତ୍ର ଦିଆଯାଇଥିବା ରିପୋର୍ଟରେ ଦର୍ଶାଯାଇଛି। ବ୍ୟାସନଗର ତହସିଲଦାର ଅଶୋକ ମାଝୀଙ୍କୁ ଯୋଗାଯୋଗ କରାଯିବାରେ ଉପରୋକ୍ତ ୩ ଶିକ୍ଷକଙ୍କ ଜାତି ପ୍ରମାଣପତ୍ର ତହସିଲ ପକ୍ଷରୁ ଦିଆଯାଇ ନଥିବା କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ କିଛିମାସ ତଳେ ଜାଲ୍ ପ୍ରମାଣପତ୍ର ଅଭିଯୋଗରେ କୋରେଇ ବ୍ଲକ୍ରୁ ୨ ଜଣ ଶିକ୍ଷକ ଧରାପଡ଼ିଥିଲେ। ୨୦୨୨ ମେ ୪ ତାରିଖରେ କୋରେଇ ବ୍ଲକ୍ ପଛିକୋଟ ଓ ତରପଦା ସ୍କୁଲର ଦୁଇଜଣ ଶିକ୍ଷକଶିକ୍ଷୟିତ୍ରୀ (ଭାଇଭଉଣୀ)ଙ୍କୁ ଜାଲ୍ ଜାତି ପ୍ରମାଣପତ୍ର ପାଇଁ ଚାକିରିରୁ ବହିଷ୍କାର କରାଯାଇଥିଲା। ଏହାପରେ ୧୨ଜଣ ସନ୍ଦିଗ୍ଧ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ତାଲିକା ପ୍ରସ୍ତୁତ କରି ଆର୍ଡିସିଙ୍କ କାର୍ଯ୍ୟାଳୟକୁ ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ଜାତି ପ୍ରମାଣପତ୍ର ଯାଞ୍ଚ କରିବାକୁ କୋରେଇ ବିଇଓଙ୍କୁ ନିର୍ଦେଶ ଦିଆଯାଇଥିଲା। ଜାତି ପ୍ରମାଣପତ୍ର ଯାଞ୍ଚ କରିବାକୁ କୋରେଇ ବିଇଓ ବ୍ୟାସନଗର ତହସିଲଦାରଙ୍କୁ ଚିଠି ସଂଖ୍ୟା–୧୩୦୯ରେ ଅବଗତ କରିଥିଲେ। ୬ ମାସରୁ ଊର୍ଦ୍ଧ୍ବ ହେବ ଏନେଇ ଯାଞ୍ଚ ପରେ ଏବେ ରିପୋର୍ଟ ଆସିଛି।
ସେହିପରି କୋରେଇ ବ୍ଲକ ଅସନଝର ପଞ୍ଚାୟତରୁ ଆହୁରି ୧୦ରୁ ୧୨ ଶିକ୍ଷକଶିକ୍ଷୟିତ୍ରୀଙ୍କ ତାଲିକା ମଧ୍ୟ ଆର୍ଡିସିଙ୍କ ନିକଟକୁ ପଠାଯାଇଛି। ବ୍ଲକ୍ରେ ପ୍ରାଥମିକ ବିଦ୍ୟାଳୟରେ ମୋଟ ୬୪୯ ଜଣ ଶିକ୍ଷକଶିକ୍ଷୟିତ୍ରୀ ରହିଛନ୍ତି। ଏବେ କାର୍ଯ୍ୟରତ ସମସ୍ତ ଶିକ୍ଷକଙ୍କ ଜାତି ପ୍ରମାଣପତ୍ର ଯାଞ୍ଚ କରିବାକୁ ଆର୍ଡିସି ପ୍ରସ୍ତୁତ ହୋଇଥିବାରୁ ଅନେକଙ୍କ ମଧ୍ୟରେ ଛନକା ପଶିଛି।
ଯାଜପୁର ଜିଲ୍ଲାରେ ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର (ସିଟି, ବିଇଡି, ଯୁକ୍ତଦୁଇ) ଦାଖଲ କରି ବହୁ ଶିକ୍ଷକ ଚାକିରି କରୁଥିବା ଅଭିଯୋଗ ହେବା ପରେ ୨୦୧୯ ଅକ୍ଟୋବର ମାସରେ ଶିକ୍ଷକଶିକ୍ଷୟିତ୍ରୀଙ୍କ ଯୋଗ୍ୟତା ପ୍ରମାଣପତ୍ର ଯାଞ୍ଚ କରିବା ପାଇଁ ରାଜ୍ୟ ସରକାର ନିର୍ଦେଶ ଦେଇଥିଲେ। ତେବେ ଉପରଠାଉରିଆ ତଦନ୍ତ କରି ରିପୋର୍ଟ ପ୍ରଦାନ କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା। କିଛି ସୂଚନା ଅଧିକାରୀ କର୍ମୀ ଏ ସଂକ୍ରାନ୍ତରେ ତଥ୍ୟ ମାଗିବାରୁ ସରକାର ଯାଞ୍ଚ କରିବା ପାଇଁ ପଦକ୍ଷେପ ନେଇଛନ୍ତି।