ବଲାଙ୍ଗୀର : ଗ୍ରାହକ ଦେଖି ବିକୁଥିଲେ ନକଲି ପ୍ରମାଣପତ୍ର। କାହାଠୁ ଦେଢ଼ ଲକ୍ଷ ତ ଆଉ କାହାଠୁ ୨ ଲକ୍ଷ। କହୁଥିଲେ ଚାକିରିରେ କାମ ଆସିବ। ପୂରା ଅସଲି ସାର୍ଟିଫିକେଟ ଓ ଭେଲିଡ୍ ବୋଲି ଲୋକଙ୍କୁ ଫୁସୁଲାଇ ବହୁ ବର୍ଷ ହେଲା କୋଚିଂ ସେଣ୍ଟର ନାଁରେ ଦୋକାନ ଖୋଲିଥିଲେ। ଏବେ ପୁଲିସର ତନାଘନାରେ ସାମ୍ନାକୁ ଆସିଛି ମନୋଜ ମିଶ୍ରଙ୍କ ଅସଲ ଚେହେରା। ମନୋଜ ନକଲି ପ୍ରମାଣପତ୍ର ବିକି ରୋଜଗାର କରିଥିବା ଟଙ୍କାରେ କୋଟି କୋଟି ଟଙ୍କାର ଜମି କିଣିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ନିକଟରେ ୩୦ ଲକ୍ଷରୁ ଅଧିକ ଟଙ୍କାରେ ଏକ ଜମି କିଣିଥିବା ବେଳେ ତାଙ୍କ ୭- ୮ଟି ମୂଲ୍ୟବାନ ପ୍ଲଟ୍ ବଲାଙ୍ଗୀର ଓ ଆଖପାଖରେ କିଣିଥିବା ସୂଚନା ପାଇ ପୁଲିସ ଛାନଭିନ ଚଳାଇଛି।
ହଜାରେରୁ ଅଧିକ ନକଲି ପ୍ରମାଣପତ୍ର ଜବତ
ଦୁଇ ଦିନ ହେଲା ମାମଲାର ମାଷ୍ଟରମାଇଣ୍ଡ ମନୋଜ ମିଶ୍ର ଓ ତାଙ୍କ ପାର୍ଟନର ଆଲୋକ ଉଦ୍ଗାତାଙ୍କୁ ଥାନାରେ ଅଟକ ରଖି ପୁଲିସ ଘନ ଘନ ଜେରା କରୁଛି। ରବିବାର ମନୋଜଙ୍କ ପତ୍ନୀଙ୍କୁ ମଧ୍ୟ ଥାନାକୁ ଡାକି ପୁଲିସ ଜେରା କରିଛି। ଟାଉନ ଥାନାରେ ମୋଟ ୨୧ ଜଣଙ୍କୁ ଅଟକ ରଖି ପୁଲିସ ତନାଘନା କରୁଛି। ମାଷ୍ଟରମାଇଣ୍ଡ ମନୋଜ ପୁଲିସ କବ୍ଜାରେ ଥିବା ବେଳେ ପୁଲିସ ସାଇବର ଏକ୍ସପର୍ଟ ଟିମ୍ ବି ତଦନ୍ତକୁ ତ୍ୱରାନ୍ୱିତ କରିଛି। ମନୋଜ ଓ ଆଲୋକ କାହା କାହା ସହ ଲିଙ୍କ୍ରେ ଥିଲେ? ରାଜ୍ୟ ଓ ରାଜ୍ୟ ବାହାରର କେତୋଟି ବିଶ୍ୱବିଦ୍ୟାଳୟର ପ୍ରମାଣପତ୍ର ଦେଉଥିଲେ? ବିଭିନ୍ନ ସରକାରୀ ଦତ୍ପରରୁ ଯାଉଥିବା ଭେରିଫିକେସନ ଚିଠିକୁ କେମିତି ମ୍ୟାନେଜ୍ କରୁଥିଲେ? ଏସବୁର ଖୋଳତାଡ କରୁଛି ବଲାଙ୍ଗୀର ପୁଲିସ। ସୂଚନା ଅନୁସାରେ, ବାହାର ରାଜ୍ୟର ବିଭିନ୍ନ ବୋର୍ଡ ଅଫିସର ସରକାରୀ କର୍ମଚାରୀଙ୍କ ସହ ଲିଙ୍କ୍ରେ ଥିଲେ। ସେମାନେ ସବୁ କିଏ କିଏ ମନୋଜ ପାଖରୁ ସେହି ତଥ୍ୟ ପୁଲିସ ଓଗାଳିଛି। ପ୍ରାୟ ୮ ଜଣଙ୍କ ନାଁ ପୁଲିସ ଜାଣିବାକୁ ପାଇଲାଣି। ଯେଉଁମାନେ ଓଡ଼ିଶାରୁ ଚିଠି ଗଲେ, ପୁଣି ମନୋଜଙ୍କ ନିକଟକୁ ସେହି ଚିଠିର କପି ପଠାଇ ଦେଉଥିଲେ। ଆଉ ଏଠାରୁ ପୁଣି ବାହାର ରାଜ୍ୟକୁ ଯାଇ ସେହି ଚିଠି ବଲାଙ୍ଗୀରର କାର୍ଯ୍ୟାଳୟକୁ ଆସି ସାର୍ଟିଫିକେଟ ଭେଲିଡ୍ ହେଉଥିଲା। ସେହିପରି ବଲାଙ୍ଗୀର ଜିଲ୍ଲାରେ ମନୋଜଙ୍କ ନେଟୱର୍କର ଅନେକଙ୍କ ନାଁ ପୁଲିସ ପାଇଲାଣି। ଏପରିକି ବାହାର ଜିଲ୍ଲାରେ କେଉଁମାନେ ସବୁ ନକଲି ପ୍ରମାଣପତ୍ର କାରବାରରେ ଅଛନ୍ତି ସେସବୁର ତଥ୍ୟ ପୁଲିସ ସଂଗ୍ରହ କରିଛି। ମୋଟ ଏକ ହଜାରେରୁ ଅଧିକ ନକଲି ପ୍ରମାଣପତ୍ର, ମାର୍କସିଟ ଓ ଅନ୍ୟ ଚିଠିପତ୍ର ଜବତ ହୋଇଥିବାରୁ ସେସବୁର ତନ୍ନ ତନ୍ନ ଯାଞ୍ଚ ଚାଲିଛି। ନକଲି ପ୍ରମାଣପତ୍ର ନେଇ କେଉଁମାନେ କେଉଁ ବିଭାଗରେ କାମ କରୁଛନ୍ତି ତାହାର ବି ତଦନ୍ତ ଜାରି ରହିଛି। ଏହା ଏକ ବଡ଼ଧରଣର ମାମଲା ହୋଇଥିବାରୁ ପୁଲିସର ସ୍ୱତନ୍ତ୍ର ଟିମ୍ ତଦନ୍ତ କରୁଛି।
ଅନ୍ୟପଟେ ନକଲି ପ୍ରମାଣପତ୍ର କାରବାରରେ ଆଉ କେଉଁ ସଂସ୍ଥା ସବୁ ଲିଙ୍କ୍ରେ ଅଛନ୍ତି ସେ ଦିଗରେ ପୁଲିସ ତଦନ୍ତକୁ ଆଗକୁ ନେଇଛି। କମ୍ପଭାଇ ଟ୍ରେନିଂ ଇନ୍ଷ୍ଟିଚ୍ୟୁଟରେ ବି ପୁଲିସ ଟିମ ଚଢ଼ଉ କରିଛି। ଅପରାହ୍ଣରେ ସ୍ଥାନୀୟ ଶାନ୍ତିପଡ଼ାଠାରେ ଥିବା କମ୍ପଭାଇ ଟ୍ରେନିଂ ଇନ୍ଷ୍ଟିଚ୍ୟୁଟ ଓ ପୁଇନ୍ତଳାରେ ଥିବା ମହାବୀର ଯୁକ୍ତଦୁଇ ଅନୁଷ୍ଠାନରେ ପୁଲିସର ସ୍ୱତନ୍ତ୍ର ଟିମ୍ ଚଢ଼ଉ କରିଥିଲା। ମାଜିଷ୍ଟ୍ରେଟ ଦାୟିତ୍ୱରେ ତହସିଲଦାର ପୁଷ୍ପାଞ୍ଜଳି ପଣ୍ଡାଙ୍କ ଉପସ୍ଥିତିରେ ଏସ୍ଡିପିଓ ତୋଫାନ ବାଗ, ସଦର ଆଇଆଇସି ଶ୍ରୀକାନ୍ତ ସାହୁ, ଟାଉନ ଥାନା ଆଇଆଇସି ବିଶ୍ୱଜିତ ମନବୋଧ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲେ। କିନ୍ତୁ ଅଫିସରେ ସେଭଳି କୌଣସି କାଗଜପତ୍ର ପାଇନଥିବା ପୁଲିସ ସୂଚନା ଦେଇଛି। ତଥାପି କମ୍ପଭାଇ ଟ୍ରେନିଂ ଇନ୍ଷ୍ଟିଚ୍ୟୁଟ ନାଁରେ ଯାହା ଅଭିଯୋଗ ଆସିଛି ସେ ଦିଗରେ ତଦନ୍ତ ଜାରି ରଖିଥିବା ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/balangir-fff.jpg)