ନକଲି ସାର୍ଟିଫିକେଟ ମାମଲା: ରିମାଣ୍ଡରେ ୪ ଅଭିଯୁକ୍ତ, କ୍ରେତା-ବିକ୍ରେତାଙ୍କୁ ମୁହାଁମୁହିଁ ଜେରା

ଡାକଘରେ ତନାଘନା କଲା କ୍ରାଇମବ୍ରାଞ୍ଚ ଟିମ୍‌, ଆଇଜିଙ୍କ ଦ୍ବାରା ତଦନ୍ତର ସମୀକ୍ଷା

ବଲାଙ୍ଗୀର/ କଟକ : ବଲାଙ୍ଗୀର ନକଲି ସାର୍ଟିଫିକେଟ ମାମଲାର ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ ଟିମ୍‌। ବୁଧବାର କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା ବଲାଙ୍ଗୀର ପହଞ୍ଚି ତଦନ୍ତର ଅଗ୍ରଗତି ସମୀକ୍ଷା କରିଛନ୍ତି। ଏହି ସମୟରେ ବଲାଙ୍ଗୀର ଏସ୍‌ପି ନିତିନ କୁଶଳକର ଉପସ୍ଥିତ ରହି ମାମଲା ସଂପର୍କରେ ଅଧିକାରୀମାନଙ୍କୁ ସୂଚନା ଦେଇଥିଲେ। ଆଇଜି ପହଞ୍ଚିବା ପରେ ପ୍ରଥମେ ଡାକ ଅଧୀକ୍ଷକଙ୍କୁ ପଚରାଉଚରା କରିବା ପରେ ରିମାଣ୍ଡରେ ଆସିଥିବା ୪ ଅଭିଯୁକ୍ତଙ୍କୁ ମଧ୍ୟ ଜେରା କରିଛନ୍ତି।

ବୁଧବାର କ୍ରାଇମବ୍ରାଞ୍ଚ ଟିମ୍‌ ମାମଲାର ମାଷ୍ଟରମାଇଣ୍ଡ ମନୋଜ ମିଶ୍ର ଓ ତାଙ୍କ ସହଯୋଗୀ ଆଲୋକ ଉଦ୍‌ଗାତାଙ୍କ ସହ ଦୁଇ ଆବେଦନକାରୀ ତ୍ରିବିହାରୀ ପଣ୍ଡା ଓ ପରେଶ ବୁଡ଼େକଙ୍କୁ ରିମାଣ୍ଡରେ ଆଣି ରିଜର୍ଭ ବାରାକରେ ଜେରା କରାଯାଇଛି। ଅନ୍ୟପଟେ କ୍ରାଇମବ୍ରାଞ୍ଚର ଏକ ଟିମ୍‌ ସକାଳ ୧୦ଟାରୁ ଡାକଘରକୁ ଯାଇ ଛାନଭିନ କରିଥିଲା। ମାମଲା ସଂପର୍କିତ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଡାକଘରୁ ଜବତ କରାଯାଇଛି। କ୍ରାଇମବ୍ରାଞ୍ଚ ତଦନ୍ତ ଅଧିକାରୀ ଡିଏସ୍‌ପି ଦେବବ୍ରତ ଚକ୍ର ଓ ଅନ୍ୟ ଅଧିକାରୀମାନେ ଡାକ ଅଧୀକ୍ଷକ ରାଜେନ୍ଦ୍ର ପଟ୍ଟନାୟକଙ୍କ ସହ ଆଲୋଚନା କରିଥିଲେ। ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଅଧୀକ୍ଷକଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ବି ଜେରା କରିଥିଲେ। କେମିତି ଅଧୀକ୍ଷକ ସାର୍ଟିଫିକେଟ ନକଲି ବୋଲି ଜାଣିପାରିଥିଲେ? କେମିତି ସନ୍ଦେହ ହେଲା ଓ ସେ ନକଲି ଧରିବାରେ ସଫଳ ହୋଇଥିଲେ? ସେ ସଂପର୍କିତ ସବିଶେଷ ତଥ୍ୟ ଡାକ ବିଭାଗ ଅଧୀକ୍ଷକ କ୍ରାଇମବ୍ରାଞ୍ଚ ଟିମ୍‌କୁ ଦେଇଥିଲେ।

କ୍ରାଇମବ୍ରାଞ୍ଚ ଟିମ୍‌ ପଚରାଉଚରା ସାରିବା ପରେ ମୋଟ ୩୮ ଜଣ ନକଲି ସାର୍ଟିଫିକେଟରେ ଚାକିରି ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ସବୁ ଜେରକ୍ସ କପି ଓ ସୁବଳୟା ଭୋଇ ଭୟରେ ଛାଡ଼ିଦେଇ ଯାଇଥିବା ସାର୍ଟିଫିକେଟ ଓ ମାର୍କସିଟ ଜବତ କରି ସାଂଗରେ ନେଇଥିଲେ। ଡାକ ବିଭାଗରେ ଆବେଦନ କରି ମେରିଟ ଲିଷ୍ଟକୁ ଆସିଥିବା ୩୮ଜଣଙ୍କ ଭିତରୁ ୧୭ ଜଣ ଗିରଫ ହୋଇଥିବା ବେଳେ ୨ ଜଣ ରାଜସାକ୍ଷୀ ହୋଇଛନ୍ତି। ଆଉ ୧୯ ଜଣ ଏବେ ବି ଫେରାର୍ ଅଛନ୍ତି। ସେହିପରି କ୍ରାଇମବ୍ରାଞ୍ଚ ଟିମ୍‌କୁ ବୁଧବାର ଡାକ ବିଭାଗ ପୂର୍ବରୁ ୨୦୨୨ ମସିହାରେ ଯେଉଁ ୪ ଜଣ ପୋଷ୍ଟମାଷ୍ଟର ଚାକିରି କରୁଛନ୍ତି ସେମାନଙ୍କ ସାର୍ଟିଫିକେଟ ଓ ମାର୍କସିଟ ସଂପର୍କରେ ବି ସୂଚନା ଦେଇଛନ୍ତି। ଅନ୍ୟପଟେ ତଦନ୍ତକୁ ତ୍ୱରାନିତ୍ୱ କରିବା ପାଇଁ ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ର, ଆଲୋକ ଉଦ୍‌ଗାତାଙ୍କ ସହ ଆବେଦନକାରୀ ଦୁଇଜଣ ତ୍ରିବିହାରୀ ପଣ୍ଡା ଓ ପରେଶ ବୁଡ଼େକଙ୍କୁ ମଧ୍ୟ ପୁଲିସ ତିନିଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରୁଛି। ମୁହାଁମୁହିଁ କ୍ରେତା ଓ ବିକ୍ରେତାଙ୍କୁ ଜେରା କରାଯାଉଛି। ଫଳରେ ରାକେଟରେ ଥିବା ଅନ୍ୟ କାର୍ପଟଦାରଙ୍କ ତଥ୍ୟ କ୍ରାଇମବ୍ରାଞ୍ଚ ହାତେଇଛି। କାହା କାହା ସହିତ ନକଲି କାରବାରରେ ମନୋଜ ଓ ଆଲୋକଙ୍କ ସମ୍ପର୍କ ଥିଲା? ଅନ୍ୟ କିଏ ଏମାନଙ୍କୁ ସାହାଯ୍ୟ କରୁଥିଲେ? କେଉଁମାନେ ଦଲାଲ ଭାବରେ ସହଯୋଗ କରୁଥିଲେ? କେମିତି ନକଲିକୁ ଅସଲି କରି ଲୋକଙ୍କୁ ଭୁତାଉଥିଲେ? ଏସବୁ ତଥ୍ୟ ସେମାନଙ୍କଠାରୁ ଓଗାଳିଛି କ୍ରାଇମବ୍ରାଞ୍ଚ ଟିମ୍‌।

ତ୍ରିବିହାରୀ ପଣ୍ଡା ବଲାଙ୍ଗୀର ସହରର ହୋଇଥିବା ବେଳେ ପରେଶ ବୁଡ଼େକ ପାଟଣାଗଡ଼ ଅଞ୍ଚଳର। ଏମାନେ ଦୁଇ ଜଣ ନକଲି ସାର୍ଟିଫିକେଟ କିଣି ଗ୍ରାମ ଡାକ ସେବକ ପଦବି ପାଇଁ ଆବେଦନ କରିଥିଲେ। ଏଣୁ ସେମାନେ କେମିତି ସାର୍ଟିଫିକେଟ ହାତେଇଥିଲେ ସେ ନେଇ ପଚରାଉଚରା କରି କାରବାରର ଚେର ଯାଏ ଯିବାକୁ ଚେଷ୍ଟା କରୁଛି କ୍ରାଇମବ୍ରାଞ୍ଚ। ଏହାସହ ରାଜ୍ୟ ଭିତର ଓ ବାହାର ଲିଙ୍କ୍ ନେଇ ମନୋଜ ଓ ଆଲୋକଙ୍କୁ ପଚରାଉଚୁରା କରାଯାଉଛି। ସନ୍ଧ୍ୟାରେ ନିଜେ କ୍ରାଇମବ୍ରାଞ୍ଚ ଆଇଜି ଶ୍ରୀ ସିହ୍ନା ଓ ତାଙ୍କ ସହ କ୍ରାଇମବ୍ରାଞ୍ଚ ଇନ୍‌ସପେକ୍ଟର ମମତାରାଣୀ ପଣ୍ଡାଙ୍କ ନେତୃତ୍ୱରେ ଆଉ ଏକ ଟିମ୍‌ ଆସି ବଲାଙ୍ଗୀର ପହଞ୍ଚିଛି। ନିଜେ ଆଇଜି ପୂରା ମାମଲାର ଅନୁଧ୍ୟାନ କରିବା ସହ ଏଠାରେ କ୍ୟାମ୍ପ କରି ରହିଛନ୍ତି। ଆଉ ଏକ ଟିମ୍‌ ପ୍ରଥମରୁ ଆସିଥିବା ମୁଖ୍ୟ ଟିମ୍‌କୁ ସହାୟତା କରିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର