୧୨ ନକଲି ପିଇଟିଙ୍କ କେଳେଙ୍କାରୀ: ତିଗିରିଆ, ବାଲିଆପାଳ କଲେଜ ନାଁରେ ଜାଲ୍ ସାର୍ଟିଫିକେଟ୍

 ଅନୁଗୁଳରେ ଯଦି ଏତେ, ଢେଙ୍କାନାଳରେ?

ଅନୁଗୁଳ: ଧୀରେ ଧୀରେ ଖୋଲୁଛି ନକଲି କ୍ରୀଡ଼ା ଶିକ୍ଷକ/ଶିକ୍ଷୟିତ୍ରୀଙ୍କର କେଳେଙ୍କାରୀ। ରାଜ୍ୟର ଦୁଇ ଖ୍ୟାତାନାମା କଲେଜ ନାଁରେ ଏହି ଶିକ୍ଷକମାନେ କରିଛନ୍ତି ଜାଲ୍ ସାର୍ଟିଫିକେଟ୍। ସେଠାରେ ଆଦୌ ନାଁ ନ ଲେଖାଇ ନିଜକୁ ସେଠାକାର କୃତି ବିଦ୍ୟାର୍ଥୀ ବୋଲି ଦର୍ଶାଇ ସରକାରଙ୍କୁ ଭୂଆଁ ବୁଲାଇଛନ୍ତି। ଅନୁଗୁଳ ଜିଲ୍ଲାରେ ଚାକିରି କରି ସରକାରୀ ତହବିଲ୍‌ରୁ ଲକ୍ଷ ଲକ୍ଷ ଟଙ୍କା ଉଠାଣ କରିଛନ୍ତି। ଅନୁଗୁଳ ଜିଲ୍ଲା ଶିକ୍ଷା ବିଭାଗ ସମ୍ପୃକ୍ତ କଲେଜକୁ ଯାଇ ଏହି ଶିକ୍ଷକମାନଙ୍କର ନାମ ଯାଞ୍ଚ କଲା ପରେ ଏକଥାର ଖୁଲାସା ହୋଇଛି। ଜିଲ୍ଲା ଶିକ୍ଷା ବିଭାଗ ଏନେଇ ବୋର୍ଡକୁ ମଧ୍ୟ ଚିଠି ଲେଖିଥିବା ଜଣାପଡ଼ିଛି।

ସୂଚନା ମୁତାବକ, ଜାଲ୍ ସାର୍ଟିଫିକେଟ୍ ତିଆରି କରାଯାଇଥିବା କଲେଜ ଦୁଇଟି ହେଲା କଟକ ଜିଲ୍ଲା ତିରିଗିଆ ସ୍ଥିତି ପ୍ରସନ୍ନମଣି କଲେଜ ଅଫ୍‌ ଫିଜିକାଲ୍ ଏଜୁକେସନ୍‌ ଆଣ୍ଡ୍‌ ଯୋଗ ଏବଂ ବାଲେଶ୍ବର ଜିଲ୍ଲା ବାଲିଆପାଳ କଲେଜ ଅଫ୍ ଫିଜିକାଲ୍ ଏଜୁକେସନ୍‌। ଶାରୀରିକ ଶିକ୍ଷା କ୍ଷେତ୍ରରେ ଏହି ଦୁଇଟି କଲେଜ ହେଉଛି ରାଜ୍ୟର ଜଣାଶୁଣା କଲେଜ। ତିଗିରିଆ କଲେଜ ବେଶ୍ ପ୍ରତିଷ୍ଠିତ। ଏନ୍‌ସିଟିଇ ଏବଂ ରାଜ୍ୟ ସରକାରଙ୍କ ଦ୍ବାରା ସ୍ବୀକୃତିପ୍ରାପ୍ତ ଏହି କଲେଜରେ ବିଦ୍ୟାର୍ଥୀମାନେ ଶାରୀରିକ ଶିକ୍ଷା ଉପରେ ପାଠ ପଢ଼ନ୍ତି। ଏଠାରୁ ଉତୀର୍ଣ୍ଣ ପିଲାମାନେ ସରକାରୀ ସ୍କୁଲରେ ପିଇଟି/ କ୍ରୀଡ଼ା ଶିକ୍ଷକ ହେବାକୁ ଯୋଗ୍ୟ।

ଗତ ୨୦୧୨ମସିହାଠାରୁ ଆରମ୍ଭ କରି ବିଭିନ୍ନ ସମୟରେ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍କୁଲରେ ଯେଉଁ ଶିକ୍ଷକମାନେ ପିଇଟିମାନେ ନିୟୋଜିତ ହୋଇଥିଲେ, ସେମାନେ ବାଲିଆପାଳ ଏବଂ ତିଗିରିଆ କଲେଜର ସାର୍ଟିଫିକେଟ୍ ରାଜ୍ୟ ସରକାରଙ୍କ ନିକଟରେ ୨ଖଲ କରିଥିଲେ। ଅନୁଗୁଳ ଜିଲ୍ଲାରେ ସେମାନଙ୍କୁ ନିଯୁକ୍ତି ଦିଆଯାଇଥିଲା।
ଅନୁଗୁଳ ଜିଲ୍ଲା ଶିକ୍ଷା ବିଭାଗ ବି ସେମାନଙ୍କ ସାର୍ଟିଫିକେଟ୍ ତନଖି ନ ଥିଲା। କିଛି ଦିନ ତଳେ ହଠାତ୍‌ ଜିଲ୍ଲା ଶିକ୍ଷା ବିଭାଗ ନିକଟକୁ ଏକ ବେନାମି ଚିଠି ଆସିଥିଲେ। ଯେଉଁଥିରେ ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି କରାଯାଇଥିବା କଥା ସୂଚନା ଦିଆଯାଇଥିଲା। ବେନାମି ଚିଠିର ଖୋଳତାଡ଼ କରୁ କରୁ ବିଭାଗର ସନ୍ଦେହ ଆହୁରି ଦୃଢ଼ୀଭୂତ ହୋଇଥିଲା।

୨୦୧୬ବ୍ୟାଚ୍‌ର ୯ଜଣ ଶିକ୍ଷକଙ୍କ ସାର୍ଟିଫିକେଟ୍ ନେଇ ତିଗିରିଆ କଲେଜକୁ ଜିଲ୍ଲା ଶିକ୍ଷା ବିଭାଗ ଯାଇଥିଲା। କଲେଜ ରେଜିଷ୍ଟର ତନଖିଲା ପରେ ୯ଜଣରୁ ୮ଜଣ ଶିକ୍ଷକଙ୍କର ନାଁ କଲେଜରେ ନ ଥିବା କଲେଜ କର୍ତୃପକ୍ଷ ସ୍ପଷ୍ଟ କରିଥିଲେ। ଯାହା ବିଭାଗକୁ ତାଜୁବ କରିଥିଲା। ଏହି ଶିକ୍ଷକମାନେ ରେଗୁଲାର ସ୍ଥିତିକୁ ଚାଲି ଆସିଥିଲେ। ମୋଟା ଅଙ୍କର ଦରମା ପାଇଲା ବେଳକୁ ସେମାନଙ୍କ ଦରମା ତୁରନ୍ତ ବନ୍ଦ କରାଯାଇଛି। ୨୦୧୬ବ୍ୟାଚ୍‌ ଭଳି ଅନ୍ୟ ବ୍ୟାଚ୍‌ ଉପରେ ମଧ୍ୟ ବିଭାଗର ସନ୍ଦେହ ଉପୁଜିଥିଲା। ସେଥିରୁ କିଛି ବିଦ୍ୟାର୍ଥୀଙ୍କର ସାର୍ଟିଫିକେଟ୍ ଅସଲି ବୋଲି ସ୍ପଷ୍ଟ ହୋଇଥିବା ବେଳେ ଆଉ ତିନି ଜଣ ସାର୍ଟିଫିକେଟ୍ ଦେଲେ ନାହିଁ। ଜଣେ ବାଲିଆପାଳ କଲେଜରୁ ପାସ୍‌ କରିଥିବା ଦର୍ଶାଇ ସାର୍ଟିଫିକେଟ୍ ଦେଇଥିଲେ। ତାଙ୍କ ସାର୍ଟିଫିକେଟ୍ ମଧ୍ୟ ଜାଲ୍ ବୋଲି ବାଲିଆପାଳ କଲେଜ କର୍ତୃପକ୍ଷ ସ୍ପଷ୍ଟ କରିଥିଲେ। ଏହି ନକଲି ଶିକ୍ଷକମାନେ ଯେଉଁ ସାର୍ଟିଫିକେଟ୍ ଦେଖାଉଛନ୍ତି, ତାହା କଲେଜ ନୁହେଁ। କେବଳ କଲେଜ ନାଁରେ ସବୁ କାରନାମା କରାଯାଇଛି। ଇଏ କେବଳ ଅନୁଗୁଳ ଜିଲ୍ଲାର କଥା ନୁହେଁ, ସେହି ବ୍ୟାଚ୍‌ରେ ପଡ଼ୋଶୀ ଜିଲ୍ଲା ଢେଙ୍କାନାଳ ସମେତ ସାରା ରାଜ୍ୟରେ ପିଇଟିମାନଙ୍କୁ ନିଯୁକ୍ତି ଦିଆଯାଇଥିଲା। ଯଦି ଅନୁଗୁଳ ଜିଲ୍ଲାରେ ୧୨ଜଣ ପିଇଟି ନକଲି ବାହାରିଲେଣି, ତେବେ ଢେଙ୍କାନାଳ ଜିଲ୍ଲାରେ କେତେ? ପୂରା ରାଜ୍ୟରେ ନକଲି ସାର୍ଟିଫିକେଟ୍ ନେଇ କେତେ ଚାକିରି କରିଛନ୍ତି? ତାହାକୁ ନେଇ ଜୋର୍‌ ଚର୍ଚ୍ଚା ଉଠିଲାଣି। ପିଇଟିଙ୍କର ଏ ପ୍ରକାର କାରନାମା ପଦାକୁ ଆସିଲା ପରେ ହିନ୍ଦୀ ଏବଂ ସଂସ୍କୃତ ଶିକ୍ଷକଙ୍କ ଉପରେ ବି ସନ୍ଦେହ ବଢ଼ିଛି। ଏ ଶିକ୍ଷକମାନଙ୍କର ସାର୍ଟିଫିକେଟ୍ କେତେ ଅସଲି ତାହାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର