କଟକ : କଟକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ(ସିଡିଏମ୍ଓ)ଙ୍କ କାର୍ଯ୍ୟାଳୟରେ ଜାଲ ଜାତି ଓ ଶିକ୍ଷାଗତ ପ୍ରମାଣପତ୍ରକୁ ନେଇ ତନାଘନା ଆରମ୍ଭ ହୋଇଛି। ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଡିଏମଓ( ଏମଏସ), ଡିଏଚଏଚ କଟକ ଓ ସମସ୍ତ ଉପଖଣ୍ଡ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମଚାରୀଙ୍କୁ ଚିଠି (ନଂ ୧୧୩୧୯) କରାଯାଇଛି। ବିଭିନ୍ନ ବିଭାଗରେ କାମ କରୁଥିବା ସମସ୍ତ ସ୍ବାସ୍ଥ୍ୟ କର୍ମୀ, ସେବିକା ନିଜ ନିଜର ପ୍ରମାଣପତ୍ର ୧୫ ଦିନ ଭିତରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧୀନରେ କାମ କରୁଥିବା କର୍ମଚାରୀମାନେ ଆସନ୍ତା ୧୫ ଦିନ ଭିତରେ ସେଲଫ୍ ଆଟେଷ୍ଟ୍ କରି ନିଜର ସମସ୍ତ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ପ୍ରଦାନ କରିବାକୁ କୁହାଯାଇଛି।
କର୍ମଚାରୀମାନେ ନିଜର ପଦବି ଅନୁଯାୟୀ ମାଟ୍ରିକ୍ ସାର୍ଟିଫିକେଟ୍, ୧୦ମ ପାସ କରିନଥିବା କର୍ମଚାରୀ ସପ୍ତମ ଶ୍ରେଣୀ ସାର୍ଟିଫିକେଟ୍, ଡି ଫାର୍ମା ସାର୍ଟିଫିକେଟ୍, ଏଏନ୍ଏମ୍, ଜିଏନ୍ଏମ୍, ଡିଏମ୍ଏଲ୍ଟି, ଡିଏମ୍ଆରଟି ପ୍ରମାଣପତ୍ର ଦାଖଲ କରିବେ। ଦାଖଲ ହୋଇଥିବା ପ୍ରମାଣପତ୍ର କୌଣସି ଏକ ସ୍ବୀକୃତିପ୍ରାପ୍ତ ଅନୁଷ୍ଠାନର ହୋଇଥିବା ଆବଶ୍ୟକ ବୋଲି ଚିଠିରେ ସ୍ପଷ୍ଟ କରାଯାଇଛି। ସେହିଭଳି ଅନୁସୂଚିତ ଜାତି, ଜନଜାତି ଓ ଏସଇବିସି ପ୍ରମାଣପତ୍ର ଦେଇ ଚାକିରି ପାଇଥିବା କର୍ମଚାରୀମାନେ ସେମାନଙ୍କ ଜାତିଗତ ପ୍ରମାଣପତ୍ର ଦାଖଲ କରିବାକୁ କୁହାଯାଇଛି।
ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଏହି ନିର୍ଦ୍ଦେଶନାମା ପରେ ଏବେ କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଛି। ନକଲି ପ୍ରମାଣପତ୍ର ଦେଇ ବର୍ଷ ବର୍ଷ ଧରି ଚାକରି କରି ଦରମା ନେଉଥିବା କର୍ମଚାରୀ ଆତଙ୍କିତ ହୋଇପଡିଛନ୍ତି। ଏଏନଏମ, ଜିଏନ୍ଏମ, ଡିଏମଏଲଟି ଓ ଡିଏମ୍ ଆରଟି ପ୍ରମାଣପତ୍ର ସ୍ବୀକୃତିପ୍ରାପ୍ତ ଅନୁଷ୍ଠାନର ହୋଇ ନଥିଲେ ଏହି ପ୍ରମାଣପତ୍ର ମଧ୍ୟ ନକଲି ବୋଲି ଧରାଯିବ। ଏଥିସହିତ ଜାତିଗତ ପ୍ରମାଣପତ୍ର ଭୁଲ ଥିରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାଜ୍ୟ ବାହାରୁ ଆସିଥିବା ସାର୍ଟିପିକେଟ୍ ଗୁଡିକୁ ଯାଞ୍ଚ କରି ସନ୍ଦେହ ହେଲେ ତାହାକୁ ସଂପୃକ୍ତ ଅନୁଷ୍ଠାନକୁ ପଠାଇ ତଥ୍ୟ ସଂଗ୍ରହ କରାଯିବ। ଏଭଳି ଭାବେ ଜିଲ୍ଲା ମୁଖ୍ୟ ଚିକତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧୀନରେ କାମ କରୁଥିବା ୧୮୦୦ କର୍ମଚାରୀଙ୍କ ପ୍ରମାଣପତ୍ର ଯାଞ୍ଚ୍ କରାଯିବ। କିଛି କର୍ମଚାରୀ ହରିୟାନା, ଆନ୍ଧ୍ର, ରାଜସ୍ଥାନ, ଛତିଶଗଡ଼, ବିହାର, ଉତ୍ତରପ୍ରଦେଶରୁ ଆଣି ସାର୍ଟିଫିକେଟ୍ ଦେଇଥିବା ଜଣାପଡିଛି। ତେବେ ଭୁଲ ପ୍ରମାଣପତ୍ର ଦେଇ ଚାକିରି ପାଇଥିବା କର୍ମଚାରୀ ଏବେ ଜିପିଏଫ୍ ପାଇଁ ଆବେଦନ କରିଥିବା ନେଇ ଚର୍ଚ୍ଚା ହେଉଛି।