କଟକ: ଡାକ ବିଭାଗର ଗ୍ରାମୀଣ ଡାକ ସେବକ(ଜିଡିଏସ) ନିଯୁକ୍ତିରେ ବଡ଼ଧରଣର କେଳେଙ୍କାରୀ ସାମନାକୁ ଆସିଛି। କ୍ରାଇମବ୍ରାଞ୍ଚ ଏହି ଘଟଣାରେ ନିଯୁକ୍ତି ପାଇଁ ଚୟନ ହୋଇଥିବା ଜଣେ ପ୍ରାର୍ଥୀ ଚନ୍ଦନ ଚରଣ ସାହୁଙ୍କୁ ଗିରଫ କରିଛି। ମାଟ୍ରିକ ମାର୍କସିଟରେ ୯୫ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଚନ୍ଦନ ଇଂରାଜୀରେ ଧାଡ଼ିଏ ଶୁଦ୍ଧ ବାକ୍ୟ ଲେଖିବାରେ ବି ସମର୍ଥ ହୋଇ ନଥିବା ତଦନ୍ତରୁ ଜଣାପଡ଼ିଛି। ଚନ୍ଦନ ଭଳି ୨୨ ଜଣ ପ୍ରାର୍ଥୀ ଜାଲ୍ ସାର୍ଟିଫିକେଟ୍ ବ୍ୟବହାର କରିଥିବା ତଦନ୍ତରୁ ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ଫେରାର୍ ଥିବା ବେଳେ ସେମାନଙ୍କୁ ଗିରଫ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି।
ସୂଚନା ଅନୁଯାୟୀ, କୋରାପୁଟରେ ମାଟ୍ରିକ ସାର୍ଟିଫିକେଟ୍ ଦେଇ ୨୨ଜଣ ପ୍ରାର୍ଥୀ ଗ୍ରାମୀଣ ଡାକ ସେବକ(ଜିଡିଏସ) ପଦବି ପାଇଁ ଚୟନ ହୋଇଥିଲେ। କୋରାପୁଟ ଡାକ ଡିଭିଜନର ବରିଷ୍ଠ ଡାକ ଅଧୀକ୍ଷକ ମନୋଜ ପ୍ରଗଡ଼ା ଯାଞ୍ଚ ସମୟରେ ଏ ସଂକ୍ରାନ୍ତରେ ଜାଣିବାକୁ ପାଇଥିଲେ। ଏସଂକ୍ରାନ୍ତରେ ସେ ଜୟପୁର ଟାଉନ ଥାନାରେ ୨୦୨୩ ଏପ୍ରିଲ ୫ ତାରିଖରେ ଅଭିଯୋଗ କରିବା ପରେ ପୁଲିସ ଦଫା ୪୬୫, ୪୬୭, ୪୬୮, ୪୭୦, ୪୭୧, ୩୪ରେ ମାମଲା ରୁଜୁ କରିଥିଲା। ପରେ ଏହି ମାମଲାର ତଦନ୍ତ ଦାୟିତ୍ବ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା। କ୍ରାଇମବ୍ରାଞ୍ଚର ଡିଏସପି ଅନାଦି ଚରଣ ସେଠୀଙ୍କ ନେତୃତ୍ବରେ ଏକ ଟିମ୍ ଗଠନ ହେବା ସହିତ ଏହି ମାମଲାର ତଦନ୍ତ ଆରମ୍ଭ ହୋଇଥିଲା। ଏହି ପ୍ରାର୍ଥୀମାନେ ଉତ୍ତରପ୍ରଦେଶ ଓ ଓଡ଼ିଶାର ମାଟ୍ରିକ ଓ ଯୁକ୍ତ ଦୁଇ ସାର୍ଟିଫିକେଟ୍ ବ୍ୟବହାର କରିଥିବା ତଦନ୍ତ ସମୟରେ ଜଣାପଡ଼ିଛି। ସେମାନଙ୍କ ନମ୍ବର ୯୫ ପ୍ରତିଶତରୁ ଅଧିକ ଥିବା ଜାଣିବାକୁ ମିଳିଛି। କିନ୍ତୁ ଇଂରାଜୀ ଓ ଓଡ଼ିଶାରେ ଏତେ ଦୁର୍ବଳ ଯେ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କୁ ଏହା ଚକିତ କରିଛି।
ଚୟନ ହୋଇଥିବା ପ୍ରାର୍ଥୀ ଚନ୍ଦନ ଚରଣ ସାହୁକୁ କ୍ରାଇମବ୍ରାଞ୍ଚ ଗିରଫ କରି ଜୟପୁର ଏସଡିଜେଏମଙ୍କ କୋର୍ଟରେ ହାଜର କରିଛି। ଏହି ମାମଲାରେ ପୂର୍ବରୁ ୭ ଜଣ ଗିରଫ ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି। ଜିଡିଏସ୍ ପଦବି ପାଇଁ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ ସମୟରେ ଜାଲ୍ ମାଟ୍ରିକ ସାର୍ଟିଫିକେଟ୍ ଓ ମାର୍କସିଟ୍ ଦାଖଲ କରିଥିଲେ। କିନ୍ତୁ ଚୟନ ପରେ ଯେତେବେଳେ ଏହାର ଯାଞ୍ଚ ପାଇଁ ଡାକ ବିଭାଗର କାର୍ଯ୍ୟାଳୟକୁ ଆସିଥିଲେ ସେତେବେଳେ ଡାକ ବିଭାଗର ସନ୍ଦେହ ହେବାରୁ ଯାଞ୍ଚ ସମୟରେ ଏହା ଜାଲ ବୋଲି ଜଣାପଡ଼ିଥିଲା। ସୂଚନାଯୋଗ୍ୟ ଯେ ବଲାଙ୍ଗୀରରେ ମଧ୍ୟ ସମାନ ଧରଣର ଜାଲ୍ ସାର୍ଟିଫିକେଟ୍ ରାକେଟ୍ ୨୦୨୩ରେ ଧରା ପଡିଥିଲା। ଏହି କାରବାରରେ ୨୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା।