ସମ୍ବଲପୁର/ବଲାଙ୍ଗୀର : ସମ୍ବଲପୁର ଡାକମଣ୍ଡଳରେ ଧରାପଡ଼ିଥିବା ନକଲି ସାର୍ଟିଫିକେଟ୍ ମାମଲା ସହ ବଲାଙ୍ଗୀର ଲିଙ୍କ ସ୍ପଷ୍ଟ ହୋଇଛି। ସମ୍ବଲପୁରରେ ୬ ଜଣ ଏଭଳି ପ୍ରାର୍ଥୀ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କର ଜାଲ୍ ସାର୍ଟିଫିକେଟ୍ ବଲାଙ୍ଗୀରରୁ ଆସିଥିବା ପୁଲିସ୍ ସୂଚନା ଦେଇଛି। ନକଲି ସାର୍ଟିଫିକେଟର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ରଙ୍କ କାରଖାନାରେ ଏହା ପ୍ରସ୍ତୁତ ହୋଇଥିଲା। ଦେବଗଡ଼ର ଝିଲି ସାହୁ ଏବଂ ବରଗଡ଼ ଜିଲ୍ଲାର ରୁଦ୍ରାଣୀ ପ୍ରଧାନ ଓ ଝରାଶ୍ରୀ ସାହାଙ୍କ ସାର୍ଟିଫିକେଟ୍ ବଲାଙ୍ଗୀରରେ ତିଆରି ହୋଇଥିବା ସମ୍ବଲପୁର ସଦର ଏସ୍ଡିପିଓ ପ୍ରଦୀପ ସାହୁ କହିଛନ୍ତି।
ଅଭିଯୁକ୍ତଙ୍କ କମ୍ପ୍ୟୁଟରରୁ ଏନେଇ ପ୍ରମାଣ ହସ୍ତଗତ ହୋଇଥିବା କୁହାଯାଉଛି। ଅନ୍ୟ ୩ ଜଣ ଭଦ୍ରକ ଜିଲ୍ଲାର ସୋନାଲି ସ୍ବାଇଁ, ଜଗତସିଂହପୁର ଜିଲ୍ଲାର ଜ୍ୟୋତିକାନ୍ତ ମହାନ୍ତି ଏବଂ କଳାହାଣ୍ଡିର ରୁଦ୍ରମଣି ମିଶ୍ରଙ୍କର ସାର୍ଟିଫିକେଟ୍ ଲିଙ୍କ୍ ମଧ୍ୟ ଖୋଜା ଚାଲିଥିବା ଶ୍ରୀ ସାହୁ କହିଛନ୍ତି। ନକଲି ସାର୍ଟିଫିକେଟ୍ ଦେଇ ଚାକିରି ପାଇଁ ମନୋନୀତ ପ୍ରାର୍ଥୀମାନେ ଏବେ ଫେରାର୍ ଅଛନ୍ତି। ସମସ୍ତଙ୍କ ମୋବାଇଲ୍ ନମ୍ବର ସ୍ବିଚ୍ଅଫ୍ ଥିବାରୁ ସେମାନଙ୍କୁ ଟ୍ରାକ୍ କରିବା ପୁଲିସ ପକ୍ଷରେ କଷ୍ଟକର ହୋଇପଡ଼ିଛି। ଅନ୍ୟପଟେ କଳାହାଣ୍ଡିର ରୁଦ୍ରମଣିଙ୍କ ବାପାଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।
ପୂର୍ବରୁ ବଲାଙ୍ଗୀର ଓ ଆସ୍କା ଡାକ ଡିଭିଜନ୍ ଅଧୀନରେ ନକଲି ସାର୍ଟିଫିକେଟ୍ ଧରିପଡ଼ିବା ପରେ ଡାକ ବିଭାଗ ଖୋଳତାଡ଼ ଆରମ୍ଭ କରିଥିଲା। ଏବେ ସମ୍ବଲପୁରରୁ ମଧ୍ୟ ନକଲି ସାର୍ଟିଫିକେଟ୍ ଧରାପଡ଼ିବା ପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ
ମୁଖ୍ୟ ମହାଡାକପାଳଙ୍କ ତରଫରୁ ସମ୍ବଲପୁର ମହାଡାକପାଳ ଏବଂ ସମସ୍ତ ମଣ୍ଡଳ ମୁଖ୍ୟଙ୍କୁ କୁହାଯାଇଛି। କେବଳ ୨୦୨୩ ନୁହେଁ, ୨୦୧୮ରୁ ଜିଡିଏସ୍ ପଦବିରେ ନିଯୁକ୍ତି ପାଇଥିବା ସମସ୍ତଙ୍କ ତାଲିକା (ଯେଉଁମାନେ ରାଜ୍ୟ ବାହାର ବୋର୍ଡର ସାର୍ଟିଫିକେଟ୍ ଦେଇଛନ୍ତି) ପ୍ରଦାନ କରିବାକୁ କୁହାଯାଇଛି।
ଆମ ବଲାଙ୍ଗୀର ପ୍ରତିନିଧୀ ଜଣାଇଛନ୍ତି ଯେ କୋଚିଂ ସେଣ୍ଟର ନାଁରେ ଚାଲିଥିଲା ନକଲି ସାର୍ଟିଫିକେଟ ଓ ମାର୍କସିଟ କାରବାର। ବିଭିନ୍ନ ବିଶ୍ୱବିଦ୍ୟାଳୟ, ସ୍କୁଲ ଓ କଲେଜର ମାର୍କସିଟ ଓ ସାର୍ଟିଫିକେଟର ଡିଜାଇନ ପ୍ରସ୍ତୁତ ହେଉଥିଲା। କଲର ପ୍ରିଣ୍ଟରରେ ବାହାରୁଥିଲା ସାର୍ଟିଫିକେଟ ଓ ମାର୍କସିଟ। ସେଥିରେ ପଡୁଥିଲା ଜାଲ ସିଲ୍ ମୋହର। ଦସ୍ତଖତ କରୁଥିଲେ ମାଷ୍ଟରମାଇଣ୍ଡ ମନୋଜ ମିଶ୍ର ଓ ସହଯୋଗୀ ଆଲୋକ ଉଦ୍ଗାତା। ମନୋଜ ଓ ଆଲୋକଙ୍କୁ ଦସ୍ତଖତ କରିବାକୁ କହି ନକଲି ସାର୍ଟିଫିକେଟରେ ମେଳ କରାଇବା ପରେ ଏହା ଜଣାପଡ଼ିଛି। ରିମାଣ୍ଡରେ ଥିବା ମାଷ୍ଟରମାଇଣ୍ଡଙ୍କ ସୂଚନା ଆଧାରରେ ଏହି ମାମଲାରେ ସମ୍ପୃକ୍ତି ସନ୍ଦେହରେ ୭ ଜଣଙ୍କୁ କ୍ରାଇମବ୍ରାଞ୍ଚ ଅଟକ ରଖି ଜେରା କରୁଛି। ରବିବାର ୩ ଜଣଙ୍କୁ ଅଟକ ରଖିଥିବା ବେଳେ ସୋମବାର ଅଟକ ସଂଖ୍ୟା ବଢ଼ିଛି। ଆଗକୁ ଗିରଫଦାରୀ ବଢ଼ିବ ବୋଲି କ୍ରାଇମବ୍ରାଞ୍ଚ ଡିଏସ୍ପି ସୂଚନା ଦେଇଛନ୍ତି।
ସୂଚନା ମିଳିଛି, ତ୍ରିବିହାରୀ ପଣ୍ଡା ଓ ପରେଶ ବୁଡ଼େକ ରିମାଣ୍ଡରେ ଆସି କ୍ରାଇମବ୍ରାଞ୍ଚକୁ ଦଲାଲଙ୍କ ସୂଚନା ଦେଇଛନ୍ତି। ତ୍ରିବିହାରୀ ଓ ପରେଶ ଉଭୟେ ଡାକ ବିଭାଗରେ ଚାକିରି ଆବେଦନ କରିଥିଲେ। ମେରିଟ୍ ଲିଷ୍ଟରେ ଉଭୟ ଆସିଥିଲେ। ତ୍ରିବିହାରୀ ବଲାଙ୍ଗୀର ସହର ରୁଗୁଡ଼ିପଡ଼ାର ଏବଂ ପରେଶ ବେଲପଡ଼ା ବ୍ଲକ୍ ଅଞ୍ଚଳର ବାସିନ୍ଦା। ସହରରେ ତ୍ରିବିହାରୀ କେମିତି ଓ କାହା ଜରିଆରେ ନକଲି ସାର୍ଟିଫିକେଟ ହାତେଇଛନ୍ତି ସେହି ସୂଚନା କ୍ରାଇମବ୍ରାଞ୍ଚ ପରେଶ ପାଖରୁ ଓଗାଳିଛି। ସେହିପରି ପରେଶ ବେଲପଡ଼ା ବ୍ଲକ୍ର ହୋଇଥିବା ବେଳେ ସେହି ବ୍ଲକ୍ରୁ ବହୁ ନକଲି ସାର୍ଟିଫିକେଟଧାରୀ ମେରିଟ ଲିଷ୍ଟରେ ଅଛନ୍ତି। ଏଣୁ ପରେଶ କେମିତି ଓ କାହା ଜରିଆରେ ନକଲି ସାର୍ଟିଫିକେଟ ହାତେଇଥିଲେ ସେ ସୂଚନା ପାଇଛି କ୍ରାଇମବ୍ରାଞ୍ଚ।