ଜୟପୁର : କୋରାପୁଟ ଡାକ ଡିଭିଜନରେ ଗ୍ରାମୀଣ ଡାକ ସେବକ ପଦବି ନିମନ୍ତେ ଆବେଦନ କରିଥିବା ଅଧିକାଂଶ ପ୍ରାର୍ଥୀ ଜାଲ୍ ପ୍ରମାଣପତ୍ର ଦାଖଲ କରିଛନ୍ତି। ଦ୍ବିତୀୟ ପର୍ଯ୍ୟାୟରେ ୨୫ଜଣ ପ୍ରାର୍ଥୀଙ୍କ ପ୍ରମାଣପତ୍ର ଯାଞ୍ଚ ହୋଇଥିବା ବେଳେ ସେଥିରୁ ୨୨ଜଣ ଜାଲ୍ ପ୍ରମାଣପତ୍ର ଦେଇଥିବା ପ୍ରମାଣ ମିଳିଛି। ଜୟପୁର ବରିଷ୍ଠ ଡାକ ଅଧୀକ୍ଷକ ମନୋଜ ପ୍ରଗଡ଼ା ଆଜି ଜୟପୁର ଟାଉନ ଥାନାରେ ଏନେଇ ଏତଲା ଦେଇଛନ୍ତି। ଜାଲିଆତି ସଂପର୍କରେ କୋରାପୁଟ ଏସ୍ପିଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, କୋରାପୁଟ ଡାକ ଡିଭିଜନ୍ ପକ୍ଷରୁ ୫୮ଟି ଗ୍ରାମୀଣ ଡାକସେବକ ପଦବି ପୂରଣ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ନିର୍ଦ୍ଧାରିତ ସମୟ ସୁଦ୍ଧା ମାତ୍ର ୩୦ଜଣ ଆବେଦନ କରିଥିଲେ। ପ୍ରାଥମିକ ଯାଞ୍ଚ ସମୟରେ ୫ଜଣ ପ୍ରାର୍ଥୀ ଅନୁପସ୍ଥିତ ରହିଥିଲେ। ଦ୍ବିତୀୟ ପର୍ଯ୍ୟାୟ ଯାଞ୍ଚ ନିମନ୍ତେ ୨୫ଜଣ ପ୍ରାର୍ଥୀଙ୍କ ଆବେଦନକୁ ଗ୍ରହଣ କରାଯାଇଥିଲା। ତେବେ, ଦ୍ବିତୀୟ ପର୍ଯ୍ୟାୟରେ ଡିଜି ଲକର ଆପ୍ରେ ହୋଇଥିବା ଯାଞ୍ଚରୁ ଚକିତ କରିବା ଭଳି ତଥ୍ୟ ମିଳିଥିଲା। ମାତ୍ର, ୩ଜଣ ପ୍ରାର୍ଥୀ ବୈଧ ଶିକ୍ଷାଗତ ପ୍ରମାଣପତ୍ର ଦାଖଲ କରିଥିବା ସ୍ପଷ୍ଟ ହୋଇଥିଲା। ଅନ୍ୟ ୨୨ଜଣ ପ୍ରାର୍ଥୀଙ୍କ ପ୍ରମାଣପତ୍ର ସଂପୂର୍ଣ୍ଣ ଜାଲ୍ ବୋଲି ଜଣାପଡ଼ିଛି।
ଜାଲିଆତି କରିଥିବା ପ୍ରାର୍ଥୀ ଯେଉଁ ପ୍ରମାଣପତ୍ର ଦାଖଲ କରିଛନ୍ତି, ସେଥିରୁ ଅଧିକାଂଶ ଉତ୍ତରପ୍ରଦେଶର ବିଭିନ୍ନ ବିଦ୍ୟାଳୟର ବୋଲି ସୂଚନା ମିଳିଛି। ଆଉ ଗୋଟିଏ ସାଂଘାତିକ ସତ ମଧ୍ୟ ଯାଞ୍ଚ ପରେ ପଦାକୁ ଆସିଛି। ଯେଉଁ ପ୍ରାର୍ଥୀ ଜାଲ୍ ପ୍ରମାଣପତ୍ର ଦାଖଲ କରିଛନ୍ତି, ସେମାନେ ଦଶମ ପାସ୍ ପରେ ଉଚ୍ଚଶିକ୍ଷା ନିମନ୍ତେ ଆଦୌ ଆବେଦନ କରିନାହାନ୍ତି। ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍ ବୋଲି ଦର୍ଶାଇଛନ୍ତି। ଜାଲିଆତି କରିଥିବା ପ୍ରାର୍ଥୀ କୋରାପୁଟ ଓ ବଲାଙ୍ଗିର ଜିଲ୍ଲା ସହ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଅଞ୍ଚଳର ବୋଲି ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/fake.jpg)