ଉତ୍ତରପ୍ରଦେଶ ଓ ଝାଡ଼ଖଣ୍ଡ ବୋର୍ଡ ନାଁରେ ଜାଲ୍ ସାର୍ଟିଫିକେଟ୍‌

ସାର୍ଟିଫିକେଟ ଯାଞ୍ଚ ବେଳେ ଆସିଲେନି ୫୦ ନିଯୁକ୍ତି ଆଶାୟୀ

କଟକ : ଓଡ଼ିଆ ପିଲା ଉତ୍ତରପ୍ରଦେଶ, ଝାଡ଼ଖଣ୍ଡରେ ମାଟ୍ରିକ ପରୀକ୍ଷା ଦେଉଛନ୍ତି। ପୁଣି ଓଡ଼ିଆରେ ୯୦/୯୫ ପ୍ରତିଶତରୁ ଅଧିକ ନମ୍ବର ରଖିଥିବାର ସାର୍ଟିଫିକେଟ ଆଣି ଚାକିରି ପାଇଁ ଦାଖଲ କରୁଛନ୍ତି। ଡାକ ବିଭାଗରେ ଜାଲ୍ ମାର୍କସିଟ୍‌ର ଗୁମର ଧୀରେ ଧୀରେ ଫିଟୁ ଥିବା ବେଳେ ପ୍ରାୟ ଅଧିକାଂଶ ସାର୍ଟିଫିକେଟ ଉତ୍ତରପ୍ରଦେଶ ଓ ଝାଡ଼ଖଣ୍ଡ ବୋର୍ଡର ବୋଲି ଜଣା ପଡିଛି। ଯଦିଓ କଟକ ସିଟି ଡିଭିଜନ ଓ ସାଉଥ୍‌ ଡିଭିଜନ୍‌ରେ ୨ଟି ଜାଲ୍ ସାର୍ଟିଫ‌ିକେଟ ଧରା ପଡିଛି ଏବଂ ୬ଟି ଯାଞ୍ଚ ପାଇଁ ଯାଇଛି କିନ୍ତୁ ଚୂଡାନ୍ତ ପର୍ଯ୍ୟାୟକୁ ମନୋନୀତ ପ୍ରାର୍ଥୀଙ୍କ ମଧ୍ୟରୁ ୫୦ଜଣ ସାର୍ଟିଫିକେଟ୍‌ ଯାଞ୍ଚ ପାଇଁ ନ ଆସିବା ଘଟଣା ସନ୍ଦେହର କାରଣ ହୋଇଛି। ସବୁ ସାର୍ଟିଫିକେଟ ଯାଞ୍ଚ କରି ଆବେଦନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ରାକେଟର ପର୍ଦ୍ଦାଫାସ କରିବାକୁ ଦାବି ହେଉଛି।

କିନ୍ତୁ, ସଂପୂର୍ଣ୍ଣ ପ୍ରକ୍ରିୟା ସନ୍ଦେହଜନକ ହୋଇଥିବା ବେଳେ ଏ ଦିଗରେ ପୁଲିସ ସେହିଭଳି ତ୍ବରାନ୍ବିତ ଢଙ୍ଗରେ ପଦକ୍ଷେପ ନ ନେବା ଘଟଣା ଉଦ୍‌ବେଗର କାରଣ ହୋଇଛି। ନିଯୁକ୍ତି ପାଇଁ ଆସିଥିବା ଜଣେ ପ୍ରାର୍ଥୀ ୯୫ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି ବୋଲି ପ୍ରମାଣପତ୍ର ଦେଇଥିଲେ ବି ଇଂରାଜୀରେ ଦରଖାସ୍ତ ଲେଖି ନ ପାରି ସାର୍ଟିଫିକେଟ ଛାଡ଼ି ପଳାଇବା ଘଟଣା ସଂପୂର୍ଣ୍ଣ ପ୍ରକ୍ରିୟାକୁ ସନ୍ଦେହ ଘେରକୁ ଟାଣି ନେଇଛି। ମାଟ୍ରିକ୍‌ ନମ୍ବର ଭିତ୍ତିରେ ଶାଖା ଡାକପାଳ ଓ ସହାୟକ ଶାଖା ଡାକପାଳ ପଦରେ ନିଯୁକ୍ତି ପାଇଁ ଚୟନ ହେଉଥିବାରୁ ଏଭଳି ଜାଲିଆତି ବର୍ଷକୁ ବର୍ଷ ବଢି ଚାଲିଛି। ଜାଲ୍ ସାର୍ଟିଫିକେଟ କେଳେଙ୍କାରୀ ସାମନାକୁ ଆସିବା ପରେ ଚୟନ ହୋଇଥିବା ପ୍ରାର୍ଥୀ ଆଉ ସାର୍ଟିଫିକେଟ ଯାଞ୍ଚ ପାଇଁ ଆସୁନାହାନ୍ତି।

୨୦୨୨ ବର୍ଷ ପାଇଁ କଟକ ସିଟି ଡିଭିଜନରେ ୨୯ଟି ପଦ ପୂରଣ ପାଇଁ ୨୯ଜଣଙ୍କୁ ଚୟନ କରାଯାଇଥିଲା। କିନ୍ତୁ, ଯାଞ୍ଚ ପାଇଁ ମାତ୍ର ୧୪ ଜଣ ଆସିଥିଲେ। ସେହିପରି ସାଉଥ୍‌ ଡିଭିଜନ୍‌ରେ ୨ଟି ଜାଲ୍ ସାର୍ଟି‌ଫିକେଟ ଧରା ପଡିଥିବା ବେଳେ ୬ଟି ଜାଲ ସାର୍ଟିଫିକେଟ୍‌କୁ ଯାଞ୍ଚ ପାଇଁ ଝାଡ଼ଖଣ୍ଡ ପଠାଯାଇଛି। ଯାହାର ରିପୋର୍ଟ କିନ୍ତୁ ଏଯାଏ ମିଳିନି। ସାଉଥ ଡିଭିଜନରେ ଚୂଡ଼ାନ୍ତ ପର୍ଯ୍ୟାୟକୁ ମନୋନୀତ ୬୧ ଜଣଙ୍କ ମଧ୍ୟରୁ ୩୫ ଜଣ ସାର୍ଟିଫିକେଟ ଯାଞ୍ଚ ପାଇଁ ନ ଆସିବା ଘଟଣା ସନ୍ଦେହ ସୃଷ୍ଟି କରୁଛି। ଡାକବିଭାଗରେ ଶାଖା ଡାକପାଳ ଓ ସହାୟକ ଶାଖା ଡାକପାଳ ପଦ ପାଇଁ ସାର୍ଟିଫିକେଟ୍‌ ଯାଂଚ ଚାଲିଥିବା ବେଳେ ୬୧ଜଣ ଆବେଦନକାରୀଙ୍କ ମଧ୍ୟରୁ ମାତ୍ର ୨୬ଜଣ ଯାଂଚ ପାଇଁ ଆସିଥିଲେ। ଯାଞ୍ଚ ଶେଷ ତାରିଖ ୨୬ ତାରିଖ ଥିବାବେଳେ ୩୫ ଜଣ ଆବେଦନକାରୀ ଆସି ନଥିଲେ।

ସମ୍ବନ୍ଧିତ ଖବର