ବ୍ରହ୍ମପୁର : ଗ୍ରାମୀଣ ଡାକ ସେବକ(ଜିଡିଏସ୍) ପଦବି ପାଇଁ ବ୍ରହ୍ମପୁର ପୋଷ୍ଟାଲ୍ ଡିଭିଜନ୍ ଅଧୀନରେ ଆବେଦନ କରିଥିବା ମୋଟ୍ ୫୭ ପ୍ରାର୍ଥୀଙ୍କ ମଧ୍ୟରୁ ୧୫ଜଣ ବାହାର ରାଜ୍ୟର ଦଶମ ଶ୍ରେଣୀ ସାର୍ଟିଫିକେଟ୍ ଦାଖଲ କରିଛନ୍ତି। ତନ୍ମଧ୍ୟରୁ ୧୦ଜଣ ଆନ୍ଧ୍ର ବୋର୍ଡ଼ର ଦଶମ ଶ୍ରେଣୀ ଶିକ୍ଷା ପ୍ରମାଣପତ୍ର ଦାଖଲ କରିଥିବା ବେଳେ ୨ଜଣ ଛତିଶଗଡ଼ ଓ ୩ଜଣ ଉତ୍ତରପ୍ରଦେଶ ବୋର୍ଡ଼ର ଦଶମ ଶ୍ରେଣୀ ସାର୍ଟିଫିକେଟ୍ ଦାଖଲ କରିଛନ୍ତି। ଯାଞ୍ଚ୍ ପରେ ଆନ୍ଧ୍ର ସାର୍ଟିଫିକେଟ୍ ଠିକ୍ ରହିଥିବା ବେଳେ ଛତିଶଗଡ଼ ସାର୍ଟିଫିକେଟ୍ ଦାଖଲ କରିଥିବା ଦୁଇ ପ୍ରାର୍ଥୀଙ୍କ ଆବେଦନ ନାକଚ ହୋଇଯାଇଛି। ହେଲେ, ଉତ୍ତରପ୍ରଦେଶର ଦଶମ ଶ୍ରେଣୀ ସାର୍ଟିଫିକେଟ୍ ଦାଖଲ କରିଥିବା ୩ଜଣ ପ୍ରାର୍ଥୀ ଯାଞ୍ଚ୍ ପାଇଁ ଆସୁନାହାନ୍ତି। ସାର୍ଟିଫିକେଟ୍ ଯାଞ୍ଚ୍ ହେଲେ ପ୍ରକୃତ କଥା ସାମ୍ନାକୁ ଆସିବ ବୋଲି ବ୍ରହ୍ମପୁର ପୋଷ୍ଟାଲ୍ ଡିଭିଜନ୍ର ଅଧୀକ୍ଷକ ତାରିଣୀ ପାଢ଼ୀ ସୂଚନା ଦେଇଛନ୍ତି।
ବ୍ରହ୍ମପୁର ପୋଷ୍ଟାଲ୍ ଡିଭିଜନ୍ ଅଧୀନରେ ଚଳିତ ବର୍ଷ ଗ୍ରାମୀଣ ଡାକ ସେବକ(ଜିଡିଏସ୍) ପାଇଁ ମୋଟ ୫୭ ପଦବି ନିମନ୍ତେ ବିଜ୍ଞାପନ ପ୍ରକାଶ ପାଇଥିଲା। ଏଥିପାଇଁ ଅନ୍ଲାଇନ୍ରେ ପ୍ରାର୍ଥୀମାନେ ଆବେଦନ କରିଥିଲେ। ପ୍ରାର୍ଥୀମାନେ ଅନ୍ଲାଇନ୍ରେ ଶିକ୍ଷା ପ୍ରମାଣପତ୍ର, ମାର୍କସିଟ୍ ସହିତ ଅନ୍ୟ ପ୍ରମାଣପତ୍ର ଅପ୍ଲୋଡ୍ କରିଥିଲେ। ମାଟ୍ରିକ୍ ପରୀକ୍ଷାରେ ସର୍ବାଧିକ ମାର୍କ ରଖିଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଇ ଚୟନ କରାଯାଇଛି। ଏବେ ସେହି ପ୍ରାର୍ଥୀଙ୍କ ଅସଲ ଶିକ୍ଷା ପ୍ରମାଣପତ୍ର ଯାଞ୍ଚ୍ କରାଯାଉଛି। ଦୁଇଟି ପର୍ଯ୍ୟାୟରେ ଏହି ଯାଞ୍ଚ୍ ହେଉଛି। ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀ ଅପ୍ଲୋଡ୍ କରିଥିବା ପ୍ରମାଣପତ୍ରର ଅସଲ ସାର୍ଟିଫିକେଟ୍ ଯାଞ୍ଚ୍ ଅଧିକାରୀଙ୍କୁ ଦେଖାଇବେ। ଏହାପରେ ସେହି ପ୍ରମାଣପତ୍ର ସମ୍ପୃକ୍ତ ବୋର୍ଡ଼ ତରଫରୁ ଜାରି କରାଯାଇଛି କି ନାହିଁ ତାହା ଯାଞ୍ଚ୍ କରାଯିବ।
ବ୍ରହ୍ମପୁର ଡିଭିଜନ୍ରେ ୧୫ଜଣ ଅନ୍ୟ ରାଜ୍ୟର ମାଟ୍ରିକ୍ ସାର୍ଟିଫିକେଟ୍ ଦାଖଲ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨ଜଣଙ୍କ ସାର୍ଟିଫିକେଟ୍ ଯାଞ୍ଚ୍ ସରିଛି। କିନ୍ତୁ, ଉତ୍ତରପ୍ରଦେଶ ବୋର୍ଡ଼ର ଦଶମ ଶ୍ରେଣୀ ସାର୍ଟିଫିକେଟ୍ ଦାଖଲ କରିଥିବା ପ୍ରାର୍ଥୀ ଯାଞ୍ଚ ପାଇଁ ଆସିନାହାନ୍ତି। ଆସନ୍ତା ୧୪ତାରିଖରେ ସାର୍ଟିଫିକେଟ୍ ଯାଞ୍ଚ୍ର ଶେଷ ଦିନ ରହିଛି। ଆଜି ସୁଦ୍ଧା ସେହି ୩ଜଣ ପ୍ରାର୍ଥୀ ଆସି ନଥିବା ଅଧୀକ୍ଷକ ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି। ସେହି ୩ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨ଜଣ କେନ୍ଦୁଝର ଜିଲ୍ଲାର ହୋଇଥିବା ବେଳେ ଜଣେ ଭଦ୍ରକ ଜିଲ୍ଲାର ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ। ସମ୍ପୃକ୍ତ ପ୍ରାର୍ଥୀମାନେ ଆସିଲେ ତାଙ୍କ ସାର୍ଟିଫିକେଟ୍ ଯାଞ୍ଚ୍ କରାଯିବ। ଯଦି ଯାଞ୍ଚ୍ରେ ନକଲି ବୋଲି ଜଣାପଡ଼ିବ ତେବେ ତାଙ୍କ ବିରୋଧରେ ଏତଲା ଦିଆଯିବ ବୋଲି ଅଧୀକ୍ଷକ ଶ୍ରୀ ପାଢ଼ୀ କହିଛନ୍ତି।