ଦୋକାନରେ ମିଳୁଛି ନକଲି ପ୍ରମାଣପତ୍ର

ବ୍ୟାସନଗର/ଦାନଗଦୀ : ବ୍ୟାସନଗର କୋର୍ଟ ଛକ ନିକଟରେ ଥିବା ମିନତି କମ୍ୟୁନିକେସନରେ ନକଲି ଜାତି ପ୍ରମାଣପତ୍ର ମିଳୁଛି। ଏହାର ପ୍ରମାଣ ପାଇବା ପରେ ଦାନଗଦୀ ତହସିଲଦାର ଏହି ସଂସ୍ଥା ନାଁରେ ଯାଜପୁରରୋଡ ଥାନାରେ ଅଭିଯୋଗ କରିଛନ୍ତି। ହେଲେ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଦାନଗଦୀ ତହସିଲ୍ ଅନ୍ତର୍ଗତ ମଣ୍ତପଡ଼ା ଗ୍ରାମର ତ୍ରିନାଥ ମହାନ୍ତ ଓ ତାଙ୍କ ପତ୍ନୀ ସୁଷମା ବିବାହ ପ୍ରମାଣପତ୍ର ଆବଶ୍ୟକ ଥିବାରୁ ତହସିଲ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ଏଥି ପାଇଁ ଜାତିଗତ ପ୍ରମାଣପତ୍ର ଆବଶ୍ୟକ ଥିବାରୁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଆବେଦନ କରିବାକୁ ପରାମର୍ଶ ଦିଆଯାଇଥିଲା। ଜାତି ପ୍ରମାଣପତ୍ର ପାଇଁ ଏହି ଦମ୍ପତି ଗତ ୧୨ ତାରିଖରେ ବ୍ୟାସନଗର କୋର୍ଟ ଛକ ନିକଟରେ ଥିବା ମିନତି କମ୍ୟୁନିକେସନ୍‌ ଜରିଆରେ ଆବେଦନ କରିଥିଲେ। ଏଥିପାଇଁ ସେମାନଙ୍କ ନିକଟରୁ ୭ଶହ ଟଙ୍କା ନେଇଥିଲେ।

ଦିନକ ପରେ ଏହି ସଂସ୍ଥା ପକ୍ଷରୁ ତ୍ରିନାଥ ଓ ସୁଷମାଙ୍କୁ ଜାତି ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହି ପ୍ରମାଣପତ୍ର ଆଧାରରେ ସେମାନେ ବିବାହ ପ୍ରମାଣପତ୍ର ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିଥିଲେ। ତହସିଲଦାର ନମ୍ରତା ମୋଦୀ ଏହାର ତଦନ୍ତ କରିବା ସମୟରେ ଜାତି ପ୍ରମାଣପତ୍ର ନକଲି ବୋଲି ଜଣାପଡ଼ିଥିଲା। ପ୍ରମାଣପତ୍ରରେ ଦାନଗଦୀ ତହସିଲ ଲେଖା ହୋଇଥିଲେ ହେଁ ସେଥିରେ ଥିବା ଇସ୍ୟୁ ନମ୍ବର ଭୁଲ ରହିଥିଲା। ପ୍ରମାଣପତ୍ରର ତଳେ ଅଧିକାରୀଙ୍କ ଦସ୍ତଖତ ସ୍ଥାନରେ ରସୁଲପୁର ତହସିଲର ପୂର୍ବତନ ଅତିରିକ୍ତ ତହସିଲଦାର ମୋହନ ଜେନାଙ୍କ ଦସ୍ତଖତ ରହି ପ୍ରମାଣପତ୍ରରେ ରହିଥିବା ସରକାରୀ ବାରକୋର୍ଡରେ ରସୁଲପୁର ତହସିଲ ପକ୍ଷରୁ ଓବିସି ପ୍ରମାଣପତ୍ର ପ୍ରଦାନ କରାଯାଇଥିବା ଜନୈକ ବ୍ୟକ୍ତିଙ୍କ ନାମ ଆସିଥିଲା। ଫଳରେ ମିନତି କମ୍ୟୁନିକେସନ୍ ପକ୍ଷରୁ ବିଭିନ୍ନ ତହସିଲ୍ ଓ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଦସ୍ତଖତ ଏବଂ ବାର୍‌କୋର୍ଡକୁ ଜାଲିଆତି କରାଯାଇ ପ୍ରମାଣପତ୍ର ପ୍ରଦାନ କରାଯାଉଥିବା ସ୍ପଷ୍ଟ ହୋଇଥିଲା। ଦାନଗଦୀ ତହସିଲଦାରଏନେଇ ଯାଜପୁରରୋଡ ଥାନାରେ ଅଭିଯୋଗ କରିଥିଲେ। ହେଲେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର