ତୁମୁଡ଼ିବନ୍ଧ: ସାରା ରାଜ୍ୟରେ ଜାଲ ସାର୍ଟିଫିକେଟକୁ ନେଇ ତନାଘନା ଚାଲିଥିବା ବେଳେ ଏବେ କନ୍ଧମାଳ ଜିଲ୍ଲାକୁ ମଧ୍ୟ ଏହି ଜାଲ ସାର୍ଟିଫିକେଟ ରାକେଟ ଗ୍ରାସ କରିଛି। ଲକ୍ଷେ ଟଙ୍କା ଦେଲେ ମିଳିଯାଉଛି ଶିକ୍ଷକ ଚାକିରି ନିମନ୍ତେ ଓଟିଇଟି ପ୍ରମାଣପତ୍ର। ଜିଲ୍ଲାରେ ଶହଶହ ଶିକ୍ଷକ ମିଥ୍ୟା ପ୍ରମାଣପତ୍ର ଦାଖଲ କରି ଏଭଳି ଚାକିରି ହାତେଇଛନ୍ତି। ହେଲେ ଶିକ୍ଷା ବିଭାଗ ପକ୍ଷରୁ ଯାଞ୍ଚ୍ ହେଉ ନଥିବାରୁ ମିଥ୍ୟା ପ୍ରମାଣପତ୍ର ଦାଖଲ କରି ଚାକିରି କରୁଥିବା ଶିକ୍ଷକ ଧରା ପଡ଼ୁନାହାନ୍ତି ବୋଲି ସାଧାରଣରେ ଅଭିଯୋଗ ହେଉଛି।
ଶିକ୍ଷା ବିଭାଗ ନିୟମ ପ୍ରକାରେ ଶିକ୍ଷକ ଚାକିରି କରିବା ପରେ ଓ ପୂର୍ବରୁ ଓଟିଇଟି ସାର୍ଟିଫିକେଟ ପ୍ରଦାନ କରିବା ବାଧ୍ୟତାମୂଳକ। ତେଣୁ ଜିଲ୍ଲାରେ କାର୍ଯ୍ୟ କରୁଥିବା ଶହ ଶହ ଶିକ୍ଷକ ଜାଲ୍ ଓଟିଇଟି ସାର୍ଟିଫିକେଟ ଯୋଗାଡ଼ କରି ଦାଖଲ କରିଥିବା ନେଇ ଏବେ ଏକ ନୂଆ ତଥ୍ୟ ପଦାକୁ ଆସିଛି। ଏହାର ସୁଯୋଗ ନେଇ କିଛି ଦଲାଲ୍ ଏହି ନକଲି ଓଟିଇଟି ସାର୍ଟିଫିକେଟ କରାଇଦେବାକୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାବି କରୁଛନ୍ତି। ଏହି ରାକେଟ୍ରେ ରାଇକିଆ ବ୍ଲକ୍ ବଡ଼ବାରବା ଅଞ୍ଚଳର ଜଣେ ଶିକ୍ଷକ ଥିବା ଅଭିଯୋଗ ହୋଇଛି। ସେ ଗଞ୍ଜାମ ଜିଲ୍ଲା ନିବାସୀ ହୋଇଥିବା ବେଳେ ୧୦ ବର୍ଷ ହେଲା ବଡ଼ବାରବା ଅଞ୍ଚଳର ଗୋଟିଏ ସ୍କୁଲରେ ରହିଛନ୍ତି। ସେଠାରେ ରହି କନ୍ଧମାଳର ରାଇକିଆ, ଘୁ.ଉଦୟଗିରି, କ.ନୂଆଗାଁ, ଦାରିଙ୍ଗବାଡ଼ି, ବାଲିଗୁଡ଼ା, ତୁମୁଡ଼ିବନ୍ଧ ଓ କୋଟଗଡ଼ ଅଞ୍ଚଳରେ କାର୍ଯ୍ୟ କରୁଥିବା ପ୍ରାୟ ଶହେରୁ ଊର୍ଦ୍ଧ୍ବ ଶିକ୍ଷକଙ୍କୁ ଜାଲ୍ ଓଟିଇଟି ସାର୍ଟିଫିକେଟ ବିକ୍ରି କରିବାରେ ମୁଖ୍ୟ ଭୂମିକା ନେଇଥିବା ଅଭିଯୋଗ ହୋଇଛି। ଜାଲ୍ ଓଟିଇଟି ସାର୍ଟିଫିକେଟ୍ ଦାଖଲ କରି ଏହି ଶିକ୍ଷକମାନେ ଚାକିରି ପାଇଥିବା ଜଣାପଡ଼ିଛି। ତେବେ ଏ ପର୍ଯ୍ୟନ୍ତ କୌଣସି ଲିଖିତ ଅଭିଯୋଗ କିମ୍ବା ମାମଲା ଆଗକୁ ଆସିନାହିଁ। ଏ ସମ୍ପର୍କରେ ସଂପୃକ୍ତ ଶିକ୍ଷକଙ୍କୁ ଭେଟି ପଚାରିବାରୁ ସେ ଜାଲ ସାର୍ଟିଫିକେଟ ସଂପର୍କରେ କିଛି ଜାଣିନାହାନ୍ତି ବୋଲି କହିଛନ୍ତି। ସେ କେବଳ ମଧ୍ୟସ୍ଥତା କରି ସଂପୃକ୍ତ ଲୋକଙ୍କୁ କେଉଁଠି ଜାଲ୍ ଓଟିଇଟି ପ୍ରମାଣପତ୍ର ମିଳୁଛି ତାହାର ଠିକଣା ଦେଇଥିବା ସଫେଇ ଦେଇଥିଲେ। ସେ ଜାଲ୍ ସାର୍ଟିଫିକେଟ କାରବାରରେ ସିଧାସଳଖ ସଂପୃକ୍ତ ନାହାନ୍ତି, କେବଳ ମଧ୍ୟସ୍ଥତା କରିଥିବା ସ୍ବୀକାର କରିଛନ୍ତି।
ସୂଚନାଯୋଗ୍ୟ ଯେ, ଶିକ୍ଷକଙ୍କ ପ୍ରମାଣପତ୍ର ଯାଞ୍ଚ ପାଇଁ ୨୦୧୯ ମସିହାରେ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା। ହେଲେ କନ୍ଧମାଳ ଜିଲ୍ଲା ଶିକ୍ଷା ବିଭାଗ ଏହି ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବା ଦିଗରେ କୌଣସି ଆନ୍ତରିକତା ଦେଖାଇ ନାହାନ୍ତି। ଜିଲ୍ଲାରେ ଠିକାରେ ନିଯୁକ୍ତି ପାଇଥିବା ୨୯୧ ଜଣ ହାଇସ୍କୁଲ ଶିକ୍ଷକଙ୍କ ସାର୍ଟିଫିକେଟ୍ ଯାଞ୍ଚ୍ କରାଯିବା ପରେ ସେଥିରୁ ୧୨ ଜଣ ନକଲି ବିଇଡି ସାର୍ଟିଫିକେଟ୍ଧାରୀ ଶିକ୍ଷକ ନଜରକୁ ଆସିଥିଲେ ଏବଂ ପ୍ରଶାସନ ସେମାନଙ୍କୁ ଚାକିରିରୁ ବହିଷ୍କାର କରିଛି। ମାତ୍ର, ଜିଲ୍ଲାରେ ସରକାରୀ ହାଇସ୍କୁଲଠାରୁ ଆରମ୍ଭ କରି ବେସରକାରୀ, ବ୍ଲକ୍ଗ୍ରାଣ୍ଟ ହାଇସ୍କୁଲ୍ରେ ଉଭୟ ନିୟମିତ ଶିକ୍ଷକ, ଠିକା ଶିକ୍ଷକ, ବ୍ଲକ୍ଗ୍ରାଣ୍ଟ ଶିକ୍ଷକ, ଗଣଶିକ୍ଷକ, ଶିକ୍ଷା ସହାୟକ ଆଦି ବିଭିନ୍ନ ବର୍ଗର ଶିକ୍ଷକମାନେ ନିଯୁକ୍ତି ପାଇଥିଲେ ବି ସେମାନଙ୍କ ଶିକ୍ଷାଗତ ପ୍ରମାଣପତ୍ର କିମ୍ବା ଓଟିଇଟି ସାର୍ଟିଫିକେଟ ଏ ପର୍ଯ୍ୟନ୍ତ ଯାଞ୍ଚ୍ ହୋଇପାରି ନାହିଁ। ତେଣୁ ଜିଲ୍ଲାପାଳ ତୁରନ୍ତ ହସ୍ତକ୍ଷେପ କରି ଜିଲ୍ଲାରେ ହୋଇଥିବା ଓଟିଇଟି ଜାଲ୍ ସାର୍ଟିଫିକେଟ କାରବାରର ପର୍ଦ୍ଦାଫାସ୍ କରିବା ସହ ଜାଲ୍ ସାର୍ଟିଫିକେଟ ଦେଇ ଚାକିରି କରୁଥିବା ଶିକ୍ଷକଙ୍କୁ ଚିହ୍ନଟ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।