ଅନୁଗୁଳ : କେବଳ ଗୌହାଟୀ କିମ୍ବା ଝାନ୍ସୀ ବୁନ୍ଦେଲଖଣ୍ଡ ବିଶ୍ବବିଦ୍ୟାଳୟର ଜାଲ୍ ବିଏଡ୍ ସାର୍ଟିଫିକେଟ୍ ଦେଇ ଅନୁଗୁଳ ଜିଲ୍ଲାରେ ନକଲି ଶିକ୍ଷକ ଚାକିରି କରି ନଥିଲେ, ବରଂ ଏଥିପାଇଁ ଉତ୍କଳ ବିଶ୍ବବିଦ୍ୟାଳୟ ନାଁରେ ବି ବାହାର କରିଥିଲେ ନକଲି ସାର୍ଟିଫିକେଟ୍। ତା ସହିତ ଜାଲ୍ ଜାତିଗତ ପ୍ରମାଣପତ୍ର ଦେଇ ଢେଙ୍କାନାଳ ଡିଆଇଇଟିରୁ ବି ହାସଲ କରିଥିଲେ ସିଟି ପ୍ରମାଣପତ୍ର। ୧୧ଜଣ ବ୍ଲକ୍ ଗ୍ରାଣ୍ଟ୍ ଶିକ୍ଷକଙ୍କର କେଳେଙ୍କାରୀ ବାଦ୍ ଆଉ ଦୁଇ ଜଣ ଶିକ୍ଷକଙ୍କର ଏ ପ୍ରକାର କାରସାଦି କଥା ପଦାକୁ ଆସିଛି। ୨୭ବର୍ଷ ପରେ ନକଲି ଜାତିଗତ ସାର୍ଟିଫିକେଟ୍ ଦେଇ ଶିକ୍ଷକ କେମିତି ଢେଙ୍କାନାଳ ଡିଆଇଇଟିରେ ପାଠ ପଢ଼ିଥିଲେ ଅନୁଗୁଳ ଜିଲ୍ଲା ଶିକ୍ଷା ବିଭାଗ ତାର ଖୁଲାସା କରିଛି। ଏ ଦୁଇ ଜଣ ଶିକ୍ଷକଙ୍କୁ ମିଶାଇ ଚଳିତ ବର୍ଷ ଆରମ୍ଭରେ ମୋଟ୍ ୧୩ ଜଣ ନକଲି ଶିକ୍ଷକ ଧରାପଡ଼ିଥିବା ସ୍ପଷ୍ଟ ହୋଇଛି।
ବିଶ୍ବସ୍ତ ସୂତ୍ର ମୁତାବକ, ଉତ୍କଳ ବିଶ୍ବବିଦ୍ୟାଳୟ ନାଁରେ ନକଲି ସାର୍ଟିଫିକେଟ୍ ତିଆରି କରିଥିବା ଶିକ୍ଷକ ଜଣକ ହେଲେ ଜଣେ ସଂସ୍କୃତ ଶିକ୍ଷକ। ସେ ଜିଲ୍ଲାର ଏକ ବ୍ଲକ୍ ଗ୍ରାଣ୍ଟ ସ୍କୁଲ୍ରେ ଶିକ୍ଷକତା କରୁଛନ୍ତି। ସେ ସଂସ୍କୃତରେ ସ୍ନାତକ କରିଥିଲେ। ତାଙ୍କର ସାର୍ଟିଫିକେଟ୍କୁ ନେଇ ଶିକ୍ଷା ବିଭାଗର ସନ୍ଦେହ ହୋଇଥିଲା। ଏନେଇ ଉତ୍କଳ ବିଶ୍ବବିଦ୍ୟାଳୟକୁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଚିଠି ଲେଖି ସତ୍ୟତା ଜଣାଇବାକୁ ଅନୁରୋଧ କରାଯାଇଥିଲା। ନିକଟରେ ଉତ୍କଳ ବିଶ୍ବବିଦ୍ୟାଳୟର ଏ ସାର୍ଟିଫିକେଟ୍କୁ ନକଲି ବୋଲି ସ୍ପଷ୍ଟ କରିଛି। ତେଣୁ, ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।
ଦ୍ବିତୀୟ ଘଟଣାର ଖୁଲାସା ପ୍ରାୟ ୨୭ବର୍ଷ ପରେ ହୋଇଛି। ସୂଚନା ମୁତାବକ, ଏହି ଶିକ୍ଷକ ଜଣକ ହେଉଛନ୍ତି ଜଣେ ପ୍ରାଥମିକ ଶିକ୍ଷକ। ଛେଣ୍ଡିପଦା ବ୍ଲକ୍ରେ ଚାକିରି କରୁଛନ୍ତି। ୧୯୯୬ମସିହାରେ ସେ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରୁ ସିଟି ପାଠ ପଢ଼ିଥିଲେ। ତାଙ୍କ ପାଖରେ ଅସଲି ସିଟି ସାର୍ଟିଫିକେଟ୍ ଅଛି। କିନ୍ତୁ, ସେଠାରେ ପାଠ ପଢ଼ିଲା ବେଳେ ସେ କାରସାଦି କରିଛନ୍ତି। ସେତେବେଳେ ମୋଟ୍ ମାର୍କ ଉପରେ ସିଟି ନାମଲେଖା ଚୟନ ହେଉଥିଲା। ତେଣୁ, କଲେଜରେ ସିଟ୍ ପାଇବା ପାଇଁ ସେ କେମିତି ଜାଲ୍ ଏସ୍ଟି ସାର୍ଟିଫିକେଟ୍ ଦାଖଲ କରିଥିଲେ, ଜିଲ୍ଲା ଶିକ୍ଷା ବିଭାଗ ତନାଘନାରୁ ଏ କଥା ଜଣାପଡ଼ିଥିବା ବିଶ୍ବସ୍ତ ସୂତ୍ରରୁ ସ୍ପଷ୍ଟ ହୋଇଛି। ଅନୁଗୁଳ ଜିଲ୍ଲା ଶିକ୍ଷା ବିଭାଗରେ ଜାଲିଆତି ମାତ୍ରା କେତେ ଭରି ରହିଛି, ଏ ସବୁ ଘଟଣା ସୂଚାଇ ଦେଉଛି ବୋଲି ଚର୍ଚ୍ଚା ହେଉଛି।