ସମ୍ବଲପୁର: ପୋଷ୍ଟ ଅଫିସ୍ରେ ଚାକିରି କରିବା ପାଇଁ ଦେଇଥିଲେ ଜାଲ ସାର୍ଟିଫିକେଟ। ଯାଞ୍ଚ ବେଳେ ଧରାପଡ଼ିବା ପରେ ୬ ଜଣ ଆଶାୟୀଙ୍କ ବିରୋଧରେ ଥାନାରେ ଅଭିଯୋଗ ମାମଲା ରୁଜୁ ହୋଇଛି। ଗ୍ରାମୀଣ ଡାକ ସେବକ ଭାବେ ନିଯୁକ୍ତି ପାଇବା ପାଇଁ ଏହି କାରସାଦି କରାଯାଇଥିଲା। ସବୁ କିଛି ଠିକ୍ ଚାଲିଥିଲା। ହେଲେ ଛାତ୍ରଛାତ୍ରୀଙ୍କ ମାର୍କସିଟ୍ ବିଶେଷ କରି ଓଡ଼ିଆ ବିଷୟର ମାର୍କ ସନ୍ଦେହ ସୃଷ୍ଟି କରିଥିଲା। ଅଭିଯୋଗ ପତ୍ରକୁ ନେଇ ଏବେ ସବୁଠୁ ବଡ଼ ସନ୍ଦେହ ସୃଷ୍ଟି ହୋଇଛି। ଅଭିଯୋଗପତ୍ରରେ ମାର୍ଚ୍ଚ ୨୭ ତାରିଖ ଲେଖାଥିବା ବେଳେ ଏ ନେଇ ଟାଉନ୍ ଥାନା ପୁଲିସ ଏପ୍ରିଲ୍ ୭ ତାରିଖ ଦିନ ମାମଲା ରୁଜୁ କରିଛି।
ଏପ୍ରିଲ୍ ୭ ତାରିଖ ଦିନ ହିଁ ଅଭିଯୋଗ ହୋଇଥିବା ରାତି ୧୦ଟା ମାମଲା ରୁଜୁ କରାଯାଇଥିବା ଟାଉନ ଥାନାଧିକାରୀ କହିଛନ୍ତି। ତେବେ ଡାକ ଅଧୀକ୍ଷକ ଦେଇଥିବା ଅଭିଯୋଗରେ ମାର୍ଚ୍ଚ ମାସ ୨୭ ତାରିଖ ଉଲ୍ଲେଖ ରହିଛି। ଡାକ ବିଭାଗ ପୂର୍ବ ତାରିଖ କାହିଁକି ପକାଇଥିଲା, ସେ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜାଲ୍ ସାର୍ଟିଫିକେଟ୍ ଦେଇଥିବା ଆଶାୟୀଙ୍କୁ ଘଣ୍ଟ ଘୋଡ଼ାଇବାକୁ ପ୍ରୟାସ ହୋଇ ନଥିଲା ତ? ଅନ୍ୟପଟେ ଚଢ଼ଉ ବେଳେ ପୁଲିସ ଜଣେ ବି ଆଶାୟୀଙ୍କୁ ଧରିବାରେ ସଫଳ ନହେବା ମଧ୍ୟ ଅନେକ ପ୍ରଶ୍ନ ଛିଡ଼ା କରୁଛି। ପୂର୍ବରୁ ସୂଚନା ପାଇ ଆଶାୟୀମାନେ ଫେରାର୍ ମାରିଥିବା କଥା ଶତପ୍ରତିଶତ ସତ। ସେମାନେ ଫେରାର ହେବା ପରେ ଅଭିଯୋଗକୁ ଦାଖଲ କରାଯାଇ ଥିବା ମଧ୍ୟ ଚର୍ଚ୍ଚା ହେଉଛି। ସମ୍ବଲପୁର ଟାଉନ୍ ଥାନାର ୩ଟି ଟିମ୍ ବିଭିନ୍ନ ସ୍ଥାନରେ ଶନିବାର ଚଢ଼ଉ କରିଥିଲେ ମଧ୍ୟ କିଛି ଫଳ ମିଳି ନଥିଲା। ସମସ୍ତେ ଘରୁ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି। ସେମାନଙ୍କ ନମ୍ବରଗୁଡ଼ିକ ମଧ୍ୟ ସ୍ବିଚ୍ ଅଫ୍ ଦେଖାଉଛି।
୫ ଜଣ ଆଶାୟୀ ବିଭିନ୍ନ ବିଷୟରେ ରଖିଥିବା ନମ୍ବର
ନାମ ଗଣିତ ଇଂରାଜୀ ସାମାଜିକବିଜ୍ଞାନ ବିଜ୍ଞାନ ହିନ୍ଦୀ ଓଡ଼ିଆ
ଝିଲ୍ଲି ସାହୁ ୯୮ ୯୮ ୯୮ ୯୯ ୯୯ ୯୮
ସୋନାଲି ସ୍ବାଇଁ ୯୮ ୯୫ ୯୮ ୯୬ ୯୪ ୯୬
ଜ୍ୟୋତିକାନ୍ତ ମହାନ୍ତି ୯୭ ୯୪ ୯୬ ୯୩ ୯୬ ୯୮
ରୁଦ୍ରାଣୀ ପ୍ରଧାନ ୯୯ ୯୯ ୯୯ ୯୮ ୯୯ ୯୯
ଝରାଶ୍ରୀ ସାହା ୯୯ ୯୯ ୯୮ ୯୯ ୯୯ ୯୯