ଜାଲ ଶିକ୍ଷାଗତ ପ୍ରମାଣପତ୍ର : ରାକେଟର ସୂତ୍ରଧର ତଦନ୍ତ ପରିସର ଭୁକ୍ତ କେବେ?

୨୦୧୯ରୁ ହୋଇଥିବା ନିଯୁକ୍ତିର ତଦନ୍ତ ପାଇଁ ଉଠିଲା ଦାବି

ଜୟପୁର: କୋରାପୁଟ ଡିଭିଜନ୍ ଅଧିନ‌ରେ ୩୨ଟି ପଦବୀ ମଧ୍ୟରୁ ୨୬ଟି ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ଚିହ୍ନଟ ହେବା ପରେ ଏହା ପଛରେ ରହିଥିବା ମୁଖ୍ୟସୁତ୍ରଧର ଜଣକ କିଏ , କେବେ ସେ ତଦନ୍ତର ପରିସରଭୁକ୍ତ ହେବେ ତାହାକୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି। ଏପରିକି ୨୦୧୯ମସିହାରୁ ଏ ପର୍ଯ୍ୟନ୍ତ ଡାକ ବିଭାଗରେ ଏଭଳି ବିଭିନ୍ନ ପଦବୀରେ ନିଯୁକ୍ତି ପାଇଥିବା ବିଭିନ୍ନ କର୍ମଚାରୀଙ୍କର ଶିକ୍ଷାଗତ ପ୍ରମାଣପତ୍ର ବି ଯାଂଚ କରିବାର ନିହାତି ଆବଶ୍ୟକ ବୋଲି ଏବେ ବିଭିନ୍ନ ମହଲରେ ଦାବି ହୋଇଛି। ଧରା ପଡ଼ିଥିବା ୨୬ଜଣ ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ଧାରୀ ସେଭଳି ଆବେଦନ କେବେ ବି କରି ନଥିବେ। ଏଥି ପୂର୍ବରୁ ଯେଉଁ ମାନେ ସେଭଳି ଶିକ୍ଷାଗତ ପ୍ରମାଣପତ୍ର ଦାଖଲ କରି ଚାକିରୀ ପାଇଛନ୍ତି ତାଙ୍କରି ଉଦାହରଣ ଦେଇ ହିଁ ସୁତ୍ରଧର ମାନେ ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ବିକ୍ରୀ କରିଥିବେ।

ଏପରିକି  ଏହି ୨୬ଜଣଙ୍କର ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ଚିହ୍ନଟ ପରେ ବିଭାଗର କିଛି ଅଦିକାରୀ ୨୦୧୯ମସିହା ପରେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କର ଶିକ୍ଷାଗତ ପ୍ରମାଣପତ୍ର ଯାଂଚ କରି ଏହି ଶିକ୍ଷାଗତ ପ୍ରମାଣପତ୍ର ବି ଜାଲ୍ ବୋଲି ଜାଣିବାକୁ ପାଇଥିବା ଜଣେ ଅଧିକାରୀ ନିଜ ନାଁକୁ ଗୋପନରେ ରଖି କହିଛନ୍ତି। ଏପରିକି ସେ ସମୟରେ ନିଯୁକ୍ତି ପାଇଥିବା ବହୁ କର୍ମଚାରୀଙ୍କର ମାତୃଭାଷା ଓଡିଆରେ ୯୦ପ୍ରତିଶତରୁ ଅଧିକା ମାର୍କ ରହିବା ସହ ଉତ୍ତରପ୍ରଦେଶରୁ ଶିକ୍ଷାଗତ ପ୍ରମାଣପତ୍ର ଦାଖଲ କରିଥିବା ବି ସୂଚନା ମିଳିଛି। ଏହି ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ବାହାରିବା ପରେ ଏଭଳି ଦାଖଲ କରି ଚାକିରୀ ପାଇଥିବା କିଛି କର୍ମଚାରୀ ବି ଗତ କିଛି ଦିନ ହେବ ବିଭିନ୍ନ ବାହାନାରେ ଛୁଟିରେ ରହିବା ଆରମ୍ଭ ହୋଇଥିବା ସୂଚନା ମିଳିଛି। ଏହା କେବଳ ଡାକ ବିଭାଗ ହିଁ ନୁହେଁ ରାଜ୍ୟସରକାରଙ୍କ ଅନ୍ୟ କିଛି ବିଭାଗରେ ବି ଏହାରି ମଧ୍ୟରେ ହୋଇଥିବା ନିଯୁକ୍ତିରେ ଏଭଳି ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ଦାଖଲ କରି ଚାକିରୀ କରୁଥିବା ଜଣେ ସରକାରୀ ବିଭାଗର କର୍ମଚାରୀ ନିଜ ନାଁକୁ ଗୋପନରେ ରଖି କହିଛନ୍ତି। ଜିଲ୍ଲାର ଜଣେ ଉଚ୍ଚପଦସ୍ଥ  ସରକାରୀ କର୍ମଚାରୀଙ୍କ ସହ ଜୟପୁର ଅଂଚଳର ଜୈନେକ ବ୍ୟକ୍ତି ବି ଏହି ରାକେଟରେ  ସାମିଲ ଥିବା ବିଶ୍ବସ୍ତସୂତ୍ରରୁ ସୂଚନା ମିଳିଛି।

ଆଂଚଳିକ ଭିତ୍ତିରେ ନିଯୁକ୍ତି ଏବଂ ସ୍ଥାନୀୟ ଶିକ୍ଷାନୁଷ୍ଠାନରେ ପାସ୍ କରୁଥିବା ପିଲାଙ୍କୁ ଅଗ୍ରାଧିକାର ନ ଦେଇ ରାଜ୍ୟସ୍ତରରେ, ସର୍ବଭାରତସ୍ତରରେ ଏଭଳି ନିଯୁକ୍ତି କରୁଥିବାରୁ ଏଭଳି ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ଦାଖଲ କରି ବିଭିନ୍ନ ପଦବୀକୁ ହାତାଉଛନ୍ତି ବୋଲି  ସେ ବାରମ୍ବାର ଅଭିଯୋଗ କରି ଆସିଛନ୍ତି  ବୋଲି କହିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ଏହାର ଫଳ ସ୍ବରୁପ ଏବେ ୨୬ଟି ଚିହ୍ନଟ ହୋଇଛି। ଏଭଳି ଶତାଧିକ ରହିଛି। ତୁରନ୍ତ ଗତ ୨୦୧୯ମସିହାରୁ ଏପର୍ଯ୍ୟନ୍ତ ନିଯୁକ୍ତି ହୋଇଥିବା ବିଭିନ୍ନ ବିଭାଗର କର୍ମଚାରୀଙ୍କର ଶିକ୍ଷାଗତ  ପ୍ରମାଣପତ୍ର, ଜାତି ପ୍ରମାଣପତ୍ରର ଯାଂଚ କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି ବିଧାୟକ। ଯଦି ଡିଜିଲକ୍ ଆପ୍ କିମ୍ବା ପଦ୍ଧତି ରହିଛି ତାହାକୁ ତୁରନ୍ତ କାର୍ଯ୍ୟକାରୀ କରି ୨୦୧୯ମସିହାରୁ ସମସ୍ତ ନିଯୁକ୍ତିର ଯାଂଚ କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି ମାନବାଧିକାର କର୍ମୀ ଅନୁପ ପାତ୍ର, ସତୀଶ ନନ୍ଦ, ଆଇନଜୀବୀ ସରୋଜ ପାଢ଼ୀ। ଏହାରି ମଧ୍ୟରେ ପୁଲିସ ତଦନ୍ତକୁ ଜ‌ୋର କରିବା ସହ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି।

 

ସମ୍ବନ୍ଧିତ ଖବର