ବରଗଡ଼: ବରଗଡ଼ ଜିଲ୍ଲାରେ ଜାଲ୍‌ ସାର୍ଟିଫିକେଟ୍‌ କାରବାର ବହୁ ପୁରୁଣା। ଏ ନେଇ ପୂର୍ବରୁ ‘ସମ୍ବାଦ’ରେ ବାରମ୍ବାର ଖବର ପ୍ରକାଶ ପାଇସାରିଛି। ଯାହା ଏବେ ପୁଣି ସତ ପ୍ରମାଣିତ ହୋଇଛି। ଭଟଲି ଅଞ୍ଚଳରେ ଜାଲ୍‌ ସାର୍ଟିଫିକେଟ୍‌ ମାମଲାରେ ପୁଲିସ୍‌ ଆର୍‌ଆଇ, ସରପଞ୍ଚ ସମେତ ୫ ଜଣଙ୍କୁ ଗିରଫ କରିଛି। ତେବେ ଏହି ଚେର ଆଉ କେତେ ଦୂର ଲମିଛି ତାହା ପୁଲିସ୍‌ ଠାବ କରିପାରୁଛି ନା ନାହିଁ ଦେଖିବାକୁ ବାକି ରହିଲା। ବରଗଡ଼ ସହରରେ ଶିକ୍ଷିତ ପିଲାଙ୍କୁ ଚାକିରି ଆଳରେ ଭୁଆଁ ବୁଲାଇବା ଉଦ୍ଦେଶ୍ୟରେ ପୂର୍ବରୁ ଏଭଳି ଗ୍ୟାଙ୍ଗ ସକ୍ରିୟ ରହିଛି। ଏହି ଗ୍ୟାଙ୍ଗ ହାବୁଡ଼ରେ ପଡ଼ି ଚାକିରି ଆଶାୟୀ ପିଲାମାନେ ସର୍ବସ୍ବାନ୍ତ ହେଉଥିବା ଅଭିଯୋଗ ହୋଇଛି।

Advertisment

ମାମଲା ବିଧିବଦ୍ଧ ଭାବେ ଥାନାରେ ପହଞ୍ଚୁ ନଥିବାରୁ ପୁଲିସ୍‌ ମଧୢ ଚୁପ୍‌ ରହୁଛି। ଏଣେ ବିଭିନ୍ନ କମ୍ପାନିରେ ନିଯୁକ୍ତି ଦେବା ବାହାନାରେ ଗ୍ୟାଙ୍ଗ ସଦସ୍ୟମାନେ ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି। ସହରରେ ଏଭଳି ୨/୩ଟି ଗ୍ୟାଙ୍ଗ ସକ୍ରିୟ ରହିଛନ୍ତି। ଗ୍ୟାଙ୍ଗ ସଦସ୍ୟମାନେ ଚାକିରି ଆଶାୟୀ ପିଲାଙ୍କୁ ପ୍ରଥମେ ଟାର୍ଗେଟ କରୁଛନ୍ତି। ଏହା ପରେ ଜାଲ ବିଛାଇ ଦିଆଯାଉଛି। ଚାକିରି ଆଶାରେ ପିଲାଙ୍କ ପରିବାର ବର୍ଗ ମଧୢ ହାବୁଡ଼ରେ ପଡୁଛନ୍ତି। ଏଥି ପାଇଁ ଗ୍ୟାଙ୍ଗ ସଦସ୍ୟମାନେ ପିଲାମାନଙ୍କଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରୁଛନ୍ତି।

ଏହା ପରେ ବିଭିନ୍ନ କମ୍ପାନିର ଜାଲ୍‌ କାଗଜପତ୍ର ପ୍ରସ୍ତୁତ କରୁଛନ୍ତି। ସହରର କିଛି ଗୋପନୀୟ ସ୍ଥାନରେ ଗ୍ୟାଙ୍ଗର ଅଫିସ୍‌ ରହିଛି। ସେଠାରେ ଅତ୍ୟାଧୁନିକ କମ୍ପ୍ୟୁଟର, ପ୍ରିଣ୍ଟର ଏବ˚ ଅନ୍ୟ ସରଞ୍ଜାମ ରହିଛି। ନକଲି ଆପଏଣ୍ଟମେଣ୍ଟ ଲେଟର‌୍‌ ପ୍ରସ୍ତୁତ କରାଯାଉଥିବା ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ। ଏହା ବାଦ୍‌ ଗୋପନୀୟ ଆଡ୍ଡାରେ ନକଲି ଭୋଟର‌୍‌ କାର୍ଡ, ପାସପୋର୍ଟ, ସାର୍ଟିଫିକେଟ୍‌, ମାର୍କସିଟ୍‌ ମଧ୍ୟ ପ୍ରସ୍ତୁତ ହେଉଥିବା କୁହାଯାଉଛି। ଏଭଳି ଗ୍ୟାଙ୍ଗର ପର୍ଦାଫାସ କରିବା ଏବେ ପୁଲିସ୍‌ ପାଇଁ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି।