କଟକ: ୨୦୧୮, ଜାନୁଆରିରେ ଦିଲ୍ଲୀ ପୁଲିସ ଏକ ଜାଲ ସାର୍ଟିଫିକେଟ୍ ଗ୍ୟାଙ୍ଗର ତିନି ଜଣଙ୍କୁ ଗିରଫ କରିବା ପରେ ଓଡ଼ିଶାର ସମ୍ବଲପୁର ବିଶ୍ବବିଦ୍ୟାଳୟ ନାଁ ସାମନାକୁ ଆସିଥିଲା। ଦେଶର ବିଭିନ୍ନ ବିଶ୍ବବିଦ୍ୟାଳୟ ସମେତ ସମ୍ବଲପୁର ନାଁରେ ବି ସେମାନେ ଡିଗ୍ରି ସାର୍ଟିଫିକେଟ୍ ବିକ୍ରି କରିଥିଲେ। ଏମାନେ ଆଶାୟୀଙ୍କୁ ବିଶ୍ବାସ ଦେବାକୁ ଯାଇ ସାର୍ଟିଫିକେଟର ସତ୍ୟାସତ୍ୟ ଯାଞ୍ଚ ଆଳରେ ଏହି ବିଶ୍ବବିଦ୍ୟାଳୟ ନାଁରେ ନକଲି ଓ୍ୱେବସାଇଟ୍ ବି ପ୍ରସ୍ତୁତ କରିଥିଲେ। ଏହି ଗ୍ୟାଙ୍ଗରେ ସଦସ୍ୟ ପଞ୍ଜାବ ଲୁଧିଆନାର ଗୋପାଳ କ୍ରିଷ୍ଣ ଓରଫ ପାଲିର ହେପାଜତରେ ଥିବା ଏକ ପ୍ରିଣ୍ଟିଂ ପ୍ରେସ୍ ଠାବ ହୋଇଥିଲା। ଏବେ ବଲାଙ୍ଗୀରରେ ଧରାପଡ଼ିଥିବା କାର୍ପଟଦାର ମନୋଜ କୁମାର ମିଶ୍ର ନିକଟରୁ ରାଜ୍ୟ ବାହାରର ୪୧ ବୋର୍ଡ ଓ ବିଶ୍ବବିଦ୍ୟାଳୟ ସାର୍ଟିଫିକେଟ୍ ଜବତ ହୋଇଛି।

Advertisment

ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା କଟକ, କୋରାପୁଟ, ବଲାଙ୍ଗୀର, ଗଞ୍ଜାମ ଇତ୍ୟାଦି ଜିଲ୍ଲାରେ ଜାଲ୍‌ ପ୍ରମାଣପତ୍ର କେଳେଙ୍କାରୀ ଘଟଣାରେ ପୁଲିସ ଚଢ଼ଉ ସମୟରେ ଗୋଟିଏ ସାମଞ୍ଜସ୍ୟ ଦେଖିବାକୁ ମିଳୁଛି। ଅଭିଯୁକ୍ତଙ୍କ ନିକଟରୁ ଜାଲ୍‌ ସାର୍ଟିଫିକେଟ୍ ବାଦ୍ ସରକାରୀ ଅଧିକାରୀଙ୍କ ନାଁରେ ପ୍ରିଣ୍ଟର, ସ୍କାନର, ଜାଲ ରବର୍ ଷ୍ଟାମ୍ପ, ସିଲ୍, ବ୍ଲାଙ୍କ୍ ସାର୍ଟିଫିକେଟ୍ ଇତ୍ୟାଦି ମିଳୁଛି। ଏହି ସବୁ ଜାଲ ସାର୍ଟିଫିକେଟ୍ ଏବେ ଓଡ଼ିଶାରେ ପ୍ରିଣ୍ଟ ହେଉଥିବା ସନ୍ଦେହ କରାଯାଉଛି। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ନୂଆଦିଲ୍ଲୀ, ବିହାର, ଆନ୍ଧ୍ରପ୍ରଦେଶ, ସିକିମ୍, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ତାମିଲନାଡ଼ୁ, ମଧ୍ୟପ୍ରଦେଶର ବୁନ୍ଦେଲଖଣ୍ଡ, ରାଜସ୍ଥାନର ବୋର୍ଡ ଓ ବିଶ୍ବବିଦ୍ୟାଳୟରୁ ବିଭିନ୍ନ ସମୟରେ ଜବତ ହେଉଥିବା ମାଧ୍ୟମିକ ଶିକ୍ଷା ପରିଷଦ, ବିଶ୍ବବିଦ୍ୟାଳୟ ସାର୍ଟିଫିକେଟ୍ ଓ ମାର୍କସିଟ୍ ଓଡ଼ିଶାରେ ପ୍ରସ୍ତୁତ ହେଉଛି। ଉକ୍ତ ରାଜ୍ୟର ସାର୍ଟିଫିକେଟ୍ ଓ ମାର୍କସିଟ୍ ନମୁନା ପ୍ରଥମେ ସଂଗ୍ରହ କରି ଆଣିବା ପରେ ଅବିକଳ ନକଲ ପ୍ରସ୍ତୁତ କରାଯାଉଛି। ଯେତେବେଳେ ଆଶାୟୀ ପ୍ରାର୍ଥୀ ଏହାକୁ ସରକାରୀ ନିଯୁକ୍ତି କ୍ଷେତ୍ରରେ ବ୍ୟବହାର କରୁଛନ୍ତି, ସାର୍ଟିଫିକେଟ୍ ଯାଞ୍ଚ ପାଇଁ ସମ୍ପୃକ୍ତ ଶିକ୍ଷାଅନୁଷ୍ଠାନକୁ ଯାଉଥିବାରୁ ଏହି ଜାଲ ସାର୍ଟିଫିକେଟ୍ ଗ୍ୟାଙ୍ଗ୍ ଧରାନପଡ଼ିବା ପାଇଁ ବଡ଼ ଧରଣର କାରବାର କରୁଛନ୍ତି। ରାଜ୍ୟ ବାହାରର ଉକ୍ତ ଶିକ୍ଷାନୁଷ୍ଠାନରେ ସାର୍ଟିଫିକେଟ୍ ଯାଞ୍ଚରେ ଥିବା ଅଧିକାରୀଙ୍କ ସହିତ ଏମାନଙ୍କ ଯୋଗସୂତ୍ର ରହୁଛି। ସେମାନେ ସାର୍ଟିଫିକେଟ୍ ଅସଲି ବୋଲି ଓଡ଼ିଶା ସରକାରଙ୍କୁ ରିପୋର୍ଟ ଦେଉଛନ୍ତି। ଯାହା ଫଳରେ ଏହି ଜାଲ୍‌ ସାର୍ଟିଫିକେଟ୍ କାରବାର ସହଜରେ ସାମନାକୁ ଆସି ପାରୁନଥିବା ସମ୍ପୃକ୍ତ ଅଧିକାରୀ ଜଣକ କହିଛନ୍ତି। ଓଡ଼ିଶା ପୁଲିସ ରାଜ୍ୟ ବାହାରର ଉକ୍ତ ଅନୁଷ୍ଠାନକୁ ଯାଇ ତଦନ୍ତ କଲେ ପ୍ରକୃତରେ ଏହା ପଛରେ ରାଜ୍ୟ ବାହାରର କୌଣସି ସରକାରୀ ଅଧିକାରୀ ସମ୍ପୃକ୍ତ ଅଛନ୍ତି କି ନା, ସେ ନେଇ ସ୍ପଷ୍ଟ ଚିତ୍ର ସାମନାକୁ ଆସିପାରିବ।

୨୦୧୫ ଅକ୍ଟୋବର ୧୯ରେ କୋରାପୁଟ ଜୟପୁର ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ମାଧ୍ୟମିକ ଶିକ୍ଷା ପରିଷଦ ଓ ବିଶ୍ବବିଦ୍ୟାଳୟ ନାଁରେ ନକଲି ସାର୍ଟିଫିକେଟ୍ ପ୍ରସ୍ତୁତ ଅଭିଯୋଗରେ ଗିରଫ କରିଥିଲା। ସେହିଭଳି ୨୦୨୦ ମାର୍ଚ୍ଚ ୧ରେ ଗଞ୍ଜାମରେ ନକଲି ବିଇଡି ସାର୍ଟିଫିକେଟ୍ ମାମଲାରେ ୫ ଜଣ ଗିରଫ ହୋଇଥିଲେ। ୨୦୨୦ ମାର୍ଚ୍ଚ ୭ରେ ଗଞ୍ଜାମ ଆସ୍କାରେ ଦୁଇ ସ୍କୁଲ ଶିକ୍ଷକ ନକଲି ସାର୍ଟିଫିକେଟ୍ ଦେଇ ଗିରଫ ହୋଇଥିଲେ। କଟକ ଲାଲବାଗ ଅଞ୍ଚଳରେ ଜାଲ୍ ଜମି ପଟ୍ଟା, କବଲା, ଆଧାର, ଭୋଟର କାର୍ଡ ଦେଇ ୟୁନିୟନ ବ୍ୟାଙ୍କ ଅଫ ଇଣ୍ତିଆର ରାଜ୍ୟ ବାର କାଉନସିଲ ଶାଖାରୁ ୬୦ ଲକ୍ଷ ଟଙ୍କା ଋଣ ଠକେଇ ଅଭିଯୋଗରେ ୨୦୨୧ ସେପ୍ଟେମ୍ବର ୧୧ ଓ ଡିସେମ୍ବର ୨ରେ ୪ ଜଣ ଗିରଫ ହୋଇଥିଲେ। ବରଗଡ଼ ଟାଉନ ଥାନାରେ ୨୦୨୨ ଅଗଷ୍ଟ ୧୪ ତାରିଖରେ ବର୍ତ୍ତମାନର କ୍ରାଇମବ୍ରାଞ୍ଚ ଡିଏସପି ରମେଶ ଚନ୍ଦ୍ର ଦୋରାଙ୍କ ବିରୋଧରେ ପୁଲିସ ଜାଲ୍ ଜାତିଗତ ପ୍ରମାଣପତ୍ର ଦେଇ ଚାକିରି ମାମଲା ରୁଜୁ କରିଥିଲା। ୨୦୨୨ ଅକ୍ଟୋବର ୨୯ରେ ଗଞ୍ଜାମ ବୁଗୁଡ଼ାରେ ନକଲି ସାର୍ଟିଫିକେଟ୍ ମାମଲାରେ ଫଟୋ ଷ୍ଟୁଡିଓ ମାଲିକ ଗିରଫ ହୋଇଥିଲା। ୨୦୨୨ ଅଗଷ୍ଟ ୨୧ରେ ବ୍ରହ୍ମପୁରରରେ ଆର୍ମି ନିଯୁକ୍ତି ମେଳାରେ ଜାଲ ଆବାସିକ ପ୍ରମାଣ ପତ୍ର ଦେଇ ତିନି ଗିରଫ ହୋଇଥିଲେ। କଟକ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ଜଣେ ଜମାଦାରକୁ ୨୦୨୨ ନଭେମ୍ବର ୨୩ରେ କଟକ କମିସନରେଟ୍ ପୁଲିସର ମଙ୍ଗଳାବାଗ ଥାନା ଜାଲ ଓଏସ୍‌ଏସ୍‌ଟିଇଟି(ଓଡିଶା ସେକେଣ୍ଡାରୀ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା) ମାମଲାରେ ଗିରଫ କରିଥିଲା। ଏବଂ ବର୍ତ୍ତମାନ ଗଲା ମାର୍ଚ୍ଚ ୨୩ ରେ ବଲାଙ୍ଗୀର ଡାକ ବିଭାଗରେ ନିଯୁକ୍ତିପତ୍ର ଯାଞ୍ଚରେ ଜାଲିଆତି ଘଟଣାରେ ୧୯ ଜଣ ଗିରଫ ହୋଇଛନ୍ତି।

ଏ ସଂପର୍କରେ ଅବସରପ୍ରାପ୍ତ ପୁଲିସ ଡିଜି ସଂଜୀବ ମାରିକ କହିଛନ୍ତି ଯେ ରାଜ୍ୟରେ ସରକାରୀ ନିଯୁକ୍ତି ସମୟରେ ଏଭଳି ନକଲି ସାର୍ଟିଫିକେଟ୍ କାରବାର ସାମନାକୁ ଆସିବାର ପୂର୍ବ ରେକର୍ଡ ରହିଛି। ଜନସେବା କେନ୍ଦ୍ରରେ ଗୋଟିଏ ସାର୍ଟିଫିକେଟର ରେଜିଷ୍ଟ୍ରେସନ୍ ନମ୍ବର ଓ ରୋଲ୍ ନମ୍ବର ରଖି କେବଳ ପ୍ରାର୍ଥୀଙ୍କ ନାଁ ବଦଳା ଯାଇଥାଏ। ସାର୍ଟିଫିକେଟ୍ ପାଇଁ ସମାନ ପ୍ରକାର କାଗଜ ବଜାରରେ ମିଳିଯାଉଛି। ନକଲି ନୋଟ୍ ବି ଏଭଳି ପ୍ରସ୍ତୁତ ହେଉଛି। ତେଣୁ ଏଠି ସାର୍ଟିଫିକେଟ୍ ପ୍ରସ୍ତୁତ କରିବାରେ କୌଣସି ପ୍ରକାର ସମସ୍ୟା ନଥିବା ଶ୍ରୀ ମାରିକ ସୂଚନା ଦେଇଛନ୍ତି।