କାୟା ମେଲାଉଛି ଜାଲ୍‌ ସାର୍ଟିଫିକେଟ୍‌ ରାକେଟ୍‌!

ସାର୍ଟିଫିକେଟ କିଣିବା ଲାଗି ହେଉଛି ବଡ଼ ଡିଲ୍‌ 

ଶିକ୍ଷା ସହାୟକ ପ୍ରାର୍ଥୀଙ୍କୁ ଯାଞ୍ଚ କରିବାକୁ ନିର୍ଦେଶ

ଭୁବନେଶ୍ୱର : ସାରା ରାଜ୍ୟରେ ପୁଣିଥରେ ସକ୍ରିୟ ହୋଇଉଠିଛନ୍ତି ଜାଲ୍‌ ସାର୍ଟିଫିକେଟ ରାକେଟ୍‌। କିରାଣିଠାରୁ ଆରମ୍ଭ କରି ଶିକ୍ଷା ସହାୟକ ନିଯୁକ୍ତି ପର୍ଯ୍ୟନ୍ତ, ସବୁଠି ଜାଲ୍‌ ସାର୍ଟିଫିକେଟ୍‌ ଦେଉଛନ୍ତି ପ୍ରାର୍ଥୀ। ପୂର୍ବରୁ ଏଭଳି ଅନେକ ଅଭିଯୋଗ ଆସିଥିବାବେଳେ ଏବେ ଚାଲିଥିବା ଶିକ୍ଷା ସହାୟକ ନିଯୁକ୍ତିରେ ବି ନକଲି ସାର୍ଟିଫିକେଟ୍‌ ଦେଇ ଯୁବକ ଯୁବତୀ ଶିକ୍ଷା ସହାୟକ ଚାକିରି ହାତେଇବାକୁ ଉଦ୍ୟମ କରୁଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିକଟରେ ଏନେଇ ମାଳ ମାଳ ଅଭିଯୋଗ ପହଞ୍ଚିବା ପରେ ବିଭାଗୀୟ ଅଧିକାରୀଙ୍କ ଅକଲ୍‌ ଗୁଡୁମ୍‌। କାୟା ମେଲାଇ ଚାଲିଥିବା ଜାଲ୍‌ ସାର୍ଟିଫିକେଟକୁ କିଭଳି ରୋକିବେ ତାହାକୁ ନେଇ ଘନ ଘନ ବୈଠକ କରାଯାଇ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରିବାକୁ କୁହାଯାଇଛି।

ସାରା ରାଜ୍ୟରେ ଚାଲିଥିବା ଶିକ୍ଷା ସହାୟକ ନିଯୁକ୍ତି ପ୍ରକ୍ରିୟାରେ ପ୍ରାର୍ଥୀମାନଙ୍କ ସାର୍ଟିଫିକେଟ ଯାଞ୍ଚ କରାଯାଉଛି। ଗତ କିଛି ମାସ ହେଲା ଯାଞ୍ଚ ଚାଲିଥିବା ବେଳେ ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ବୌଦ୍ଧ ପରି ଜିଲ୍ଲାରେ ନିଯୁକ୍ତ ହେଉଥିବା ଶିକ୍ଷା ସହାୟକ ନକଲି ସାର୍ଟିଫିକେଟ୍‌ ଦେଇ ଚାକିରି ଲାଗି ଆବେଦନ କରିଥିବା ଅଭିଯୋଗ ଆସିଛି। ୧୦ରୁ ଅଧିକ ବ୍ୟକ୍ତି ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିକଟରେ ଅଭିଯୋଗ କରିବା ପରେ ତତ୍ପରତା ପ୍ରକାଶ ପାଇଛି। ବିଭାଗ ଅଧୀନରେ ଥିବା ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓପେପା) ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ପ୍ରାର୍ଥୀମାନଙ୍କ ସାର୍ଟିଫିକେଟ୍‌ଗୁଡ଼ିକୁ ସଠିକ୍‌ ଭାବେ  ଯାଞ୍ଚ କରିବାକୁ ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଡିପିଓ)ମାନଙ୍କୁ କଡ଼ା ନିର୍ଦେଶ ଦିଆଯାଇଛି। ଯଦି ଯାଞ୍ଚ ସମୟରେ କୌଣସି ପ୍ରାର୍ଥୀଙ୍କଠାରୁ ନକଲି ସାର୍ଟିଫିକେଟ୍‌ ବାହାରେ ତେବେ ସଙ୍ଗେ ସଙ୍ଗେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି। ଜେଲ୍‌ ଦଣ୍ଡ ସହ ଜରିମାନା ହେବାର ବି ନିୟମ ରହିଛି।

ମିଳିଥିବା ସୂଚନା ଅନୁଯାୟୀ ଶିକ୍ଷା ସହାୟକ ଚାକିରି ପାଇବା ଲାଗି ବିଭିନ୍ନ ଯୋଗ୍ୟତା ରଖାଯାଇଛି। ତାହାକୁ ଆଧାର କରି ପ୍ରାର୍ଥୀ ଚୟନ ହେଉଛନ୍ତି। ଯାଞ୍ଚ ସମୟରେ ପ୍ରାର୍ଥୀମାନେ ଯୁକ୍ତ୨, ଯୁକ୍ତ ୩, ସିଟି, ବି.ଏଡ୍‌ ପରି ସାର୍ଟିଫିକେଟ୍‌ ଦାଖଲ କରୁଛନ୍ତି। କେତେକ ସ୍ଥାନରେ ପ୍ରାର୍ଥୀଙ୍କ ସାର୍ଟିଫିକେଟ ବୈଧ ନ ଥିବା ଅଭିଯୋଗ ଆସିଛି। ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ (ଏନ୍‌ସିଟିଇ) ଅନୁମତି ପାଇଥିବା ଶିକ୍ଷାନଷ୍ଠାନରୁ ସାର୍ଟିଫିକେଟ୍‌ ଆଣି ପ୍ରାର୍ଥୀମାନେ ଦାଖଲ କରୁଛନ୍ତି। ବାହାର ରାଜ୍ୟର କିଛି ଶିକ୍ଷାନୁଷ୍ଠାନରୁ ସିଟି, ବି.ଏଡ୍‌ ପାସ୍‌ କରିଥିବା ନେଇ ପ୍ରାର୍ଥୀମାନେ ସାର୍ଟିଫିକେଟ୍‌ ଦେଉଛନ୍ତି। କେତେଜଣ ପ୍ରାର୍ଥୀ କୌଣସି ସ୍ଥାନରେ ବି.ଏଡ୍‌, ସିଟି ନ କରି ମଧ୍ୟ ସାର୍ଟିଫିକେଟ୍‌ ଦାଖଲ କରୁଥିବା ଅଭିଯୋଗ ଆସିଛି। ଓଡ଼ିଶା ସମେତ ବାହାର ରାଜ୍ୟର କିଛି ଦଲାଲ ସାର୍ଟିଫିକେଟ୍‌ କରାଇ ଦେବା ନାଁରେ ୫୦ ହଜାରରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଉଛନ୍ତି। ବଡ଼ ଧରଣର ଡିଲ୍‌ କରାଯାଉଛି।

ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କ କହିବାନୁଯାୟୀ ଏଭଳି ଘଟଣା ବାରମ୍ବାର ନଜରକୁ ଆସୁଛି। ନକଲି ସାର୍ଟିଫିକେଟ୍‌ ଦେଇ ପ୍ର୍ରାର୍ଥୀମାନେ ଶିକ୍ଷକ ଭାବେ ଚାକିରି ପାଉଛନ୍ତି। ବିନା ବାଧାରେ ଚାକିରି କରିବା ସହ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଦରମା ଆକାରରେ ନେଉଛନ୍ତି। ଚାକିରିର ସମୟ ସରିଯାଉଥିଲେ ମଧ୍ୟ ସେମାନଙ୍କୁ ଧରାଯାଇପାରୁନି। କାର୍ଯ୍ୟାନୁଷ୍ଠାନ ବି ହେଉନି। ଏହାଦ୍ୱାରା ମେଧାବୀ ଛାତ୍ରଛାତ୍ରୀ ବେକାର ହୋଇ ବୁଲୁଛନ୍ତି। ଏହା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। ଚୟନ ସମୟରେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉ।

ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି କରିବା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ନକଲି ସାର୍ଟିଫିକେଟ୍‌ ଦେଇ ଦୀର୍ଘବର୍ଷ ଧରି ଚାକିରି କରିଥିବା ୩୦ରୁ ଅଧିକ ଶିକ୍ଷକଙ୍କ ବିରୋଧରେ ଗତବର୍ଷ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ତଥାପି ଜାଲ୍‌ ସାର୍ଟିଫିକେଟ୍‌ ଉପରେ ରୋକ ଲଗାଯାଇପାରି ନାହିଁ।

ସମ୍ବନ୍ଧିତ ଖବର