କଟକ/ବଲାଙ୍ଗୀର : ବଲାଙ୍ଗୀର ସାର୍ଟିଫିକେଟ୍ କେଳେଙ୍କାରୀ ଘଟଣାରେ ଜାଲିଆତିର ଚେର ଏତେ ଲମ୍ବିଛି ଯେ ତାହା ଏବେ ତଦନ୍ତକାରୀ କ୍ରାଇମବ୍ରାଞ୍ଚ ଟିମର ନିଦ ହଜାଇ ଦେଇଛି। ମାଷ୍ଟରମାଇଣ୍ଡ ମନୋଜ କୁମାର ମିଶ୍ର ଲିଙ୍କରେ ୨୦୦ ରୁ ଉର୍ଦ୍ଧ୍ବ ସନ୍ଦିଗ୍ଧଙ୍କୁ ଠାବ କରାଯାଇଛି। ଏମାନଙ୍କ ମଧ୍ୟରେ ଶିକ୍ଷା ବିଭାଗ, ଡାକ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ସମେତ ଆଶାୟୀ ପ୍ରାର୍ଥୀଙ୍କ ନିକଟରେ ସାର୍ଟିଫିକେଟ୍ ପହଞ୍ଚାଇବାରେ ସହଯୋଗ କରୁଥିବା ଦଲାଲଙ୍କ ସମ୍ପୃକ୍ତି ରହିଥିବା କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।
ବଲାଙ୍ଗୀର ସାର୍ଟିଫିକେଟ୍ କେଳେଙ୍କାରୀ ଘଟଣାରେ ସଂପୃକ୍ତ ରିଲାଏନ୍ସ ଏଜୁକେସନାଲ୍ କମ୍ପ୍ଲେକ୍ସର ମାଲିକ ତଥା ମାଷ୍ଟରମାଇଣ୍ଡ ମନୋଜ କୁମାର ମିଶ୍ର, କମ୍ପ୍ୟୁଟର ଶିକ୍ଷକ ଆଲୋକ ରଞ୍ଜନ ଉଦଗାତା, ଜିଡିଏସ୍(ଗ୍ରାମୀଣ ଡାକ ସେବକ) ପାଇଁ ଆବେଦନ କରିଥିବା ତ୍ରିବିହାରୀ ପଣ୍ଡା ଓ ପରେଶ ବୁଡେକଙ୍କୁ ଗଲା ୫ ତାରିଖରେ କ୍ରାଇମବ୍ରାଞ୍ଚ ତିନି ଦିନିଆ ରିମାଣ୍ଡରେ ଆଣିଥିଲା। ସେମାନଙ୍କ ରିମାଣ୍ଡ ଶେଷ ହେବା ପରେ ଶନିବାର ଦିନ ବଲାଙ୍ଗୀର ଏସଡିଜେଏମ କୋର୍ଟରେ ହାଜର କରାଯାଇ ଜେଲ ହାଜତକୁ ପଠାଇ ଦିଆଯାଇଛି। ଏ ଭିତରେ ରକ୍ତଚାପ ବଢ଼ିବା କାରଣରୁ ଗତକାଲି ରାତିରେ ଆଲୋକ ଉଦ୍ଗାତାଙ୍କୁ ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶନିବାର ସ୍ୱାସ୍ଥ୍ୟାବସ୍ଥା ସ୍ବାଭାବିକ ହେବା ପରେ ତାଙ୍କୁ ପୁଣି ଜେଲକୁ ପଠାଯାଇଛି।
କ୍ରାଇମବ୍ରାଞ୍ଚ ଉଭୟ ମନୋଜ ଓ ସହଯୋଗୀ କମ୍ପ୍ୟୁଟର୍ ଶିକ୍ଷକ ଆଲୋକ ରଞ୍ଜନ ଉଦଗାତାଙ୍କ ପରିବାର ସଦସ୍ୟଙ୍କୁ ଜାଲ ସାର୍ଟିଫିକେଟ୍ କାରବାର ମାମଲାରେ ଜେରା କରିଛି। ସେମାନେ ଯେଉଁ ଉତ୍ତର ଦେଇଛନ୍ତି ଏହାକୁ ଉଭୟ ମନୋଜ ଓ ଆଲୋକଙ୍କ ବୟାନ ସହିତ ମେଳ କରାଯାଇଛି। କିନ୍ତୁ ସେଥିରେ କୌଣସି ତାଳମେଳ ରହୁ ନଥିବାରୁ ଉଭୟ ପରିବାର ସଦସ୍ୟ ଏହି ଜାଲିଆତିରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ଏମାନେ ବି କ୍ରାଇମବ୍ରାଞ୍ଚ ସ୍କାନରରେ ଥିବାରୁ କୌଣସି ମୁହୂର୍ତ୍ତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବାର ସମ୍ଭାବନା ରହିଛି। ରିଲାଏନ୍ସ ଏଜୁକେସନାଲ୍ କମ୍ପ୍ଲେକ୍ସର ମାଲିକ ତଥା ମାଷ୍ଟରମାଇଣ୍ଡ ମନୋଜ କୁମାର ମିଶ୍ର ନାଁରେ ଥିବା ୫ଟି ଜମିର କୌଣସି କିଣାବିକାକୁ ଅନୁମତି ନ ଦେବାକୁ ବଲାଙ୍ଗୀର ସବ୍ ରେଜିଷ୍ଟ୍ରାରଙ୍କୁ ଚିଠି ଲେଖାଯାଇଛି। ପାଖାପାଖି ୧୦ ବର୍ଷ ହେବ ଏଭଳି ଜାଲିଆତି କରି ସାର୍ଟିଫିକେଟ୍ ବିକ୍ରି କରିଆସୁଥିବା ମନୋଜ ଦେଢ଼ କୋଟି ଟଙ୍କାରେ ୫ ଟି ମୂଲ୍ୟବାନ ଜମି କିଣିଥିଲା। କୋର୍ଟଙ୍କ ନିର୍ଦ୍ଦେଶ ବଳରେ ଏହି ଜମିକୁ କ୍ରାଇମବ୍ରାଞ୍ଚ ଜବତ କରିଛି।
କ୍ରାଇମବ୍ରାଞ୍ଚ ଡିଏସ୍ପି ଦେବବ୍ରତ ଚକ୍ର ଗୁରୁତ୍ୱପୂର୍ଣ୍ଣ ବୟାନ ଗଣମାଧ୍ୟମକୁ ଦେଇଛନ୍ତି। ଡିଏସ୍ପି ଶ୍ରୀ ଚକ୍ର କହିଛନ୍ତି, ଏହା ଏକ ବଡ଼ ମାମଲା। ବର୍ଷ ବର୍ଷ ହେଲା ଏ କାରବାର ଚାଲିଥିଲା। ବହୁ ତଥ୍ୟ ଆମକୁ ରିମାଣ୍ଡ ସମୟରେ ମିଳିଛି। ତଥ୍ୟ ଆଧାରରେ ଆଗକୁ କାମ କରିବୁ। ଆଗକୁ ଗିରଫଦାରୀ ବଢ଼ିବ ବୋଲି ସେ ସୂଚନା ଦେଇଛନ୍ତି।
ସମ୍ବଲପୁରରେ ଚଢ଼ଉ
ସମ୍ବଲପୁର : ଡାକ ବିଭାଗରେ ହୋଇଥିବା ନିଯୁକ୍ତିରେ ୬ ଜଣ ପ୍ରାର୍ଥୀ ନକଲି ସାର୍ଟିଫିକେଟ୍ ଦେଇ ଚାକିରି ହାତେଇଥିବା ସନ୍ଦେହ କରି ସମ୍ବଲପୁର ଡିଭିଜନ୍ର ଡାକ ଅଧୀକ୍ଷକ ବିପିନ ବିହାରୀ ନେଗୀ ସମ୍ବଲପୁର ଟାଉନ୍ ଥାନାରେ ଶୁକ୍ରବାର ରାତି ଲିଖିତ ଅଭିଯୋଗ କରିବା ପରେ ନକଲି ସାର୍ଟିପିକେଟ୍ ଘଟଣା ପଦାକୁ ଆସିଥିଲା।
ସମ୍ବଲପୁର ଟାଉନ୍ ଥାନାରେ ମାମଲା ରୁଜୁ ପରେ ତଦନ୍ତ ଆରମ୍ଭ ହୋଇଛି। ସମ୍ବଲପୁର ଏସ୍ପି ବି. ଗଙ୍ଗାଧରଙ୍କ ନିର୍ଦ୍ଦେଶକ୍ରମେ ୩ଟି ପୁଲିସ ଟିମ୍ ବରଗଡ଼, ଦେବଗଡ଼ ଓ ଭବାନୀପାଟଣାରେ ଶନିବାର ଚଢ଼ଉ କରିଛି। ସାର୍ଟିଫିକେଟ୍ ନକଲି ବୋଲି ପ୍ରମାଣିତ ହେଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି। ବଲାଙ୍ଗୀର ଓ ଆସ୍କା ଡିଭିଜନ୍ ଅଧୀନରେ ଏଭଳି ନକଲି ସାର୍ଟିଫିକେଟ୍ ଧରାପଡ଼ିଥିବାରୁ ସେଠାକାର ଅଧୀକ୍ଷକଙ୍କ ସହ ଆଲୋଚନା କରିବା ପରେ ଏଠାରେ ମଧ୍ୟ ଯାଞ୍ଚ କରାଯାଇଥିବା ଶ୍ରୀ ନେଗି କହିଛନ୍ତି।