କେନ୍ଦୁଝର: ଜାଲ୍‌ ସାର୍ଟିଫିକେଟ୍‌ ମାମଲାରେ ସାକ୍ଷୀଙ୍କୁ ସମନ କରିଛନ୍ତି ଜେଏମ୍‌ଏଫ୍‌ସି। ମଙ୍ଗଳବାର କୋର୍ଟରେ ହେବାକୁ ଥିବା ଶୁଣାଣିରେ ସମସ୍ତ ତଥ୍ୟ ସହିତ ଉପସ୍ଥିତ ହେବାକୁ ନୋଟିସ୍‌ ହୋଇଛି। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ର ପିଇଓଙ୍କ ଏହି ଜାଲ୍‌ ସାର୍ଟିଫିକେଟ୍‌ ମାମଲା ଏବେ ଚର୍ଚ୍ଚାର ବିଷୟ ହୋଇଛି।
ସୁରେଶ କୁମାର ସେଠୀ ନାମକ ଜଣେ କର୍ମଚାରୀ ଜାଲ୍ ଯୁକ୍ତ ୨ ସଂସ୍କୃତ (ଉପଶାସ୍ତ୍ରୀ) ସାର୍ଟିଫିକେଟ୍ ପ୍ରଦାନ କରି ୨୦୧୪ରେ ପ୍ରଥମେ ସାହାରପଡ଼ା ଓ ପରେ ହାଟଡିହି ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟ କରୁଛନ୍ତି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ଶ୍ରୀ ସେଠୀ ୨୦୦୬ରେ ହାଟଡିହି ଉଚ୍ଚମାଧ୍ୟମିକ ବିଦ୍ୟାଳୟରୁ ଦଶମ ପାସ୍ କରିବା ପରେ ସେହିବର୍ଷ ଧରଣୀଧର କନିଷ୍ଠ ମହାବିଦ୍ୟାଳୟରେ ଯୁକ୍ତ ୨ ବିଜ୍ଞାନରେ ନାମ ଲେଖାଇ ଥିଲେ। ପ୍ରଥମ ପ୍ରୟାସରେ ବିଫଳ ହେବା ପରେ ୨୦୦୯ରେ ୬୦୦ ମାର୍କରୁ ୨୭୮ ମାର୍କ (୪୬.୩୩ ପ୍ରତିଶତ) ରଖି ତୃତୀୟ ଶ୍ରେଣୀରେ ପାସ୍‌ କରିଥିଲେ। ତାଙ୍କର ରୋଲ୍ ନମ୍ବର ୬୧୫-ଜିଏ-୦୫୪ ଥିଲା। ପରେ ଯୁକ୍ତ ୨ ଯୋଗ୍ୟତା ବଳରେ ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ ଆନନ୍ଦପୁର ମହାବିଦ୍ୟାଳୟରେ ଯୁକ୍ତ ୩ ବିଜ୍ଞାନରେ ୧୮୦୦ ମାର୍କରୁ ୮୨୧ ମାର୍କ ରଖିଥିଲେ। 

Advertisment

ଚାକିରି ପାଇଁ ଚୟନ ପ୍ରକ୍ରିୟାରେ ଯୁକ୍ତ ୨ ବିଜ୍ଞାନରେ କମ୍‌ ନମ୍ବର ଥିବାରୁ ଶ୍ରୀ ସେଠୀ ତଞ୍ଚକତା କରି ପୁରୀ ପଞ୍ଚସଖା ସଂସ୍କୃତ ମହାବିଦ୍ୟାଳୟର ଯୁକ୍ତ ୨ ସାର୍ଟିଫିକେଟ୍ (ଉପଶାସ୍ତ୍ରୀ) ପ୍ରଦାନ କରିଥିଲେ। ସଂସ୍କୃତ ମହାବିଦ୍ୟାଳୟରେ ସେ ୨୦୦୮ରୁ ୨୦୧୦ ମସିହା ପର୍ଯ୍ୟନ୍ତ ପଢ଼ିଛନ୍ତି। ସେ ମୋଟ ୬୫୦ରୁ ୪୭୧ ମାର୍କ ରଖିଥିବା ଦର୍ଶାଇଛନ୍ତି। ସମାନ ସମୟରେ ଧରଣୀଧର ମହାବିଦ୍ୟାଳୟରୁ ଯୁକ୍ତ ୨ ବିଜ୍ଞାନ, ଆନନ୍ଦପୁର ମହାବିଦ୍ୟାଳୟରୁ ଯୁକ୍ତ ୩ ବିଜ୍ଞାନ ସହ ପୁରୀରେ ଯୁକ୍ତ ୨ ସଂସ୍କୃତ କିପରି ଅଧ୍ୟୟନ କଲେ ତାକୁ ‌ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏହି ଘଟଣା ଜଣାପଡ଼ିବା ପରେ ନନ୍ଦିପଦା ଥାନାର ତତ୍କାଳୀନ ଆସିଷ୍ଟାଣ୍ଟ ସବ୍‌ଇନ୍‌ସ୍ପେକ୍ଟର ନିମାଇଁ ଚରଣ ପଟ୍ଟନାୟକ ୨୦୨୦ ଜୁନ୍ ୨୮ରେ ଥାନାରେ ଅଭିଯୋଗ କରିଥିଲେ। ଶ୍ରୀ ପଟ୍ଟନାୟକଙ୍କ ଅଭିଯୋଗ ଆଧାରରେ ନନ୍ଦିପଦା ପୁଲିସ ସୁରେଶ କୁମାର ସେଠୀଙ୍କ ବିରୋଧରେ କେସ୍‌ ନମ୍ବର ୭୫/୨୦୨୦ ଭାରତୀୟ ପିଙ୍ଗଳ କୋଡ୍‌ ଧାରା ୪୬୭, ୪୬୯, ୪୭୧, ୪୨୦(ଖ)ରେ ମାମଲା ରୁଜୁ କରିଥିଲା। ଏହି ମାମଲାରେ ସାକ୍ଷୀ ପ୍ରଦାନ ପାଇଁ କୋର୍ଟ ହରେକୃଷ୍ଣ ସେଠୀଙ୍କ ସମେତ ଅନ୍ୟମାନଙ୍କୁ ସମନ କରିଛନ୍ତି। ଶ୍ରୀ ସେଠୀ ବର୍ତ୍ତମାନ ହାଟଡିହି ବ୍ଲକ୍‌ ଢେଙ୍କା, ଅଁରା ଓ ବାଙ୍ଗୋର ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ବରେ ଅଛନ୍ତି।