ରାୟଗଡ଼ା: ଗ୍ରାମୀଣ ଡାକ ସେବକ ପଦବି ନିଯୁକ୍ତି ନିମନ୍ତେ ଆଜି ସାର୍ଟିଫିକେଟ ଯାଞ୍ଚ ବେଳେ ମିଳିଛି ଉତ୍ତରପ୍ରଦେଶ ବୋର୍ଡ଼ର ଗୋଟିଏ ମ୍ୟାଟ୍ରିକ ନକଲି ସାର୍ଟିଫିକେଟ।ଆଉ ଧରା ପଡିଛନ୍ତି ପଦବି ସକାଶେ ମେରିଟ ଲିଷ୍ଟରେ ଥିବା ଯୋଗ୍ୟ ପ୍ରାର୍ଥୀ। ସେ ହେଉଛନ୍ତି ରବି ହିଆଲ ନାମକ ଜଣେ ଯୁବକ। ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଘଣ୍ଟିଖାଳ ଗ୍ରାମରେ ତାଙ୍କ ଘର ବୋଲି ଜଣାପଡିଛି। ଏ ନେଇ ରାୟଗଡା ଡାକ ଉପ ଅଧିକ୍ଷକ ସି. ଏଚ. ଜବାହର ରାଓ ରାୟଗଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ରାୟଗଡା ଡାକ ମଣ୍ଡଳରେ ୬୮ଟି ଗ୍ରାମୀଣ ଡାକ ସେବକ ପଦବି ପୂରଣ ନିମନ୍ତେ ଚଳିତ ବର୍ଷ ଅନଲାଇନ ମାଧ୍ୟମରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିରେ ୩୪ଜଣ ପ୍ରାର୍ଥୀ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ବିଭାଗ ତରଫରୁ ସରକାରଙ୍କ ଅନଲାଇନ ପୋର୍ଟାଲ ଡିଜି ଲକରରେ ଆବେଦନକାରୀଙ୍କ ସମସ୍ତ ସାର୍ଟିଫିକେଟ ଯାଞ୍ଚ କରାଯାଇ ନିଯୁକ୍ତି ପ୍ରଦାନ କରାଯାଉଛି। ପ୍ରଥମେ ୨୬ ଜଣଙ୍କ ସାର୍ଟିଫିକେଟ ଯାଞ୍ଚ ହୋଇସାରିଥିବା ବେଳେ ଆଜି ବଳକା ୮ ଜଣଙ୍କ ମଧ୍ୟରୁ ରବି ହିଆଲ ନିଜ ସାର୍ଟିଫିକେଟ ଧରି ଆଜି ରାୟଗଡା ଡାକ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ସେଠାରେ ତାଙ୍କର ସମସ୍ତ ପ୍ରମାଣପତ୍ର ଯାଞ୍ଚ ବେଳେ ରବି ଦେଇଥିବା ୨୦୧୧ ବର୍ଷର ୟୁପି ବୋର୍ଡ଼ ମାଟ୍ରିକ ସାର୍ଟିଫିକେଟରେ ସନ୍ଦେହ ଉପୁଜିବାରୁ ସାର୍ଟିଫିକେଟ ଯାଞ୍ଚ କରୁଥିବା ଡାକ ଉପ ଅଧିକ୍ଷକ ଶ୍ରୀ ରାଓ ଡିଜି ଲକର ଓ ୟୁପି ବୋର୍ଡ଼ରେ ଖୋଳତାଡ଼ କରିବା ପରେ ତାହା ନକଲି ବୋଲି ଜଣାପଡିଥିଲା।
ପ୍ରକାଶ ଥାଉକି ରବି ପ୍ରତ୍ୟେକ ବିଷୟରେ ୧୦୦ରୁ ୯୯ ମାର୍କ ଆଣିଥିଲେ। ତେବେ ରବି ଏହି ନକଲି ସାର୍ଟିଫିକେଟ କେମିତି ପାଇଲେ ବୋଲି ପଚରାଯିବାରୁ ସେ ଭିକାରୀ ମାଝି ନାମକ ଜଣେ ବ୍ୟକ୍ତିଙ୍କ ଠାରୁ କିଣିଥିବା କହିଥିଲେ। ଏଥିପାଇଁ ସେ କୌଣସି ପରୀକ୍ଷା ଦେଇନଥିବା ସ୍ବୀକାର କରିଥିଲେ। ନକଲି ସାର୍ଟିଫିକେଟ ପ୍ରଦାନ କରିଥିବା ଅଭିଯୋଗରେ ତାଙ୍କ ବିରୁଦ୍ଧରେ ରାୟଗଡା ପୁଲିସ ଥାନାରେ ଅଭିଯୋଗ କରାଯାଇଛି ବୋଲି ଶ୍ରୀ ରାଓ ପ୍ରକାଶ କରିଛନ୍ତି।ତେବେ ରାଜ୍ୟରେ ଜାଲ ସାର୍ଟିଫିକେଟକୁ ନେଇ ଚର୍ଚା ଜୋର ଧରିଥିବା ବେଳେ ରାୟଗଡା ଜିଲ୍ଲାରେ ମଧ୍ୟ ଏହାର ଚେର ଲମ୍ବିଥିବା ଏଥିରୁ ସ୍ପଷ୍ଟ ହେଉଛି।ତେବେ ଏହାର ତଦନ୍ତ କଲେ ଏହି ଚେର କେତେ ଦୂର ଲମ୍ବିଛି ତାହା ଜଣାପଡିବ।ତେବେ ଭଲ ଛାତ୍ର ଏଥିରୁ ବାଦ ପଡିବେ ବୋଲି କୁହାଯାଇଛି। ତଦନ୍ତ ହେଲେ ଆହୁରି ବହୁ ପ୍ରାର୍ଥୀ ଧରାପଡିବେ ବୋଲି ଚର୍ଚ୍ଚା ହେଉଛି।