ଜାଲ୍‌ ସାର୍ଟିଫିକେଟ: ବହିଷ୍କାର ପୂର୍ବରୁ ଇସ୍ତଫା ଦେଇ ଶିକ୍ଷକ ଫେରାର

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ନକଲି ପ୍ରମାଣପତ୍ର ଦେଇ ଚାକିରି କରିଥିବା ଆଉଜଣେ ଶିକ୍ଷକଙ୍କ ସମ୍ପର୍କରେ ଜଣାପଡ଼ିଛି। ଏହି ଶିକ୍ଷକଙ୍କ ବିଇଡି ପ୍ରମାଣପତ୍ର ନକଲି ବୋଲି ଜଣାପଡ଼ିବା ପରେ ତାଙ୍କୁ ଶିକ୍ଷା‌ ବିଭାଗ ପକ୍ଷରୁ ‌କାରଣଦର୍ଶାଅ ନୋଟିସ୍‌ ଜାରି କରାଯାଇଥିଲା। ତେବେ ନୋଟିସ୍‌ର ଉତ୍ତର ରଖିବା ବଦଳରେ ସେ ଇସ୍ତଫା ଦେଇ ଫେରାର ‌ହୋଇଯାଇଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ଟଣସ୍ଥିତ ପାଟେଶ୍ବରୀ ହାଇସ୍କୁଲ୍‌ର ଶିକ୍ଷକ ଯଶୋବନ୍ତ ସାହୁ ଉତ୍କଳ ବିଶ୍ବବିଦ୍ୟାଳୟରୁ ବିଇଡି ପାସ୍‌ କରିଥିବା ଦର୍ଶାଇଥିଲେ। ନିଯୁକ୍ତି ସମୟରେ ନିଜ ପ୍ରମାଣପତ୍ର ମଧ୍ୟ ଦାଖଲ କରିଥିଲେ। ଏହି ପ୍ରମାଣପତ୍ରର ରୋଲ୍‌ ନମ୍ବର ଥିଲା ୪୧୦ ସି ୦୧୩ ଏବଂ ରେଜିଷ୍ଟ୍ରେସନ ନମ୍ବର ଥିଲା ୧୫୭୩୪/୯୫। ତାଙ୍କ ବିଇଡି ପ୍ରମାଣପତ୍ର ନକଲି ବୋଲି ଅଭିଯୋଗ ହେବା ପରେ ଶିକ୍ଷା ବିଭାଗ ପକ୍ଷରୁ ଫେବ୍ରୁଆରି ୪ ତାରିଖରେ ଉତ୍କଳ ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାରଙ୍କୁ ଚିଠି (ନମ୍ବର-୯୦୪) ଲେଖାଯାଇଥିଲା। ଏହି ପ୍ରମା‌ଣପତ୍ର ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ମଗାଯାଇଥିଲା। ଉତ୍କଳ ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଏକ ଚିଠି (ନମ୍ବର-୨୨୩୮/ ତା ୧୭.୨.୨୦୨୨) ଦେଇଥିଲେ। ଏଥିରେ ସେ ଏଭଳି କୌଣସି ବ୍ୟକ୍ତି ଉକ୍ତ ରୋଲ୍‌ନମ୍ବରରେ ନ ଥିବା ଦର୍ଶାଇଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟରୁ ଏହି ଚିଠି ପାଇବା ପରେ ଏପ୍ରିଲ ୪ ତାରିଖରେ ଜିଲ୍ଲା ଶିକ୍ଷା ଅଧିକାରୀ ଚିଠି (ନମ୍ବର-୨୫୦୮)ରେ ଟଣସ୍ଥିତ ମା’ ପାଟେଶ୍ବରୀ ହାଇସ୍କୁଲ୍‌ର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଯଶୋବନ୍ତ ସାହୁଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କରିଥିଲେ। ନୋଟିସ୍‌ ପାଇବା ପରେ ଶ୍ରୀ ସାହୁ ନୋଟିସ୍‌ର ଉତ୍ତର ଦେବା ବଦଳରେ ଇସ୍ତଫା ଦେଇଥିବା ଜଣାପଡ଼ିଛି।

ଏ ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ପଚାରିବାରୁ, ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଯଶୋବନ୍ତ ସାହୁଙ୍କ ବିଇଡି ପ୍ରମାଣପତ୍ର ନକଲି ବୋଲି ଜଣାପଡ଼ିବା ପରେ ତାଙ୍କୁ ବହିଷ୍କାର ପ୍ରକ୍ରିୟା ଆରମ୍ଭ ହୋଇଛି। ବହିଷ୍କାର ପୂର୍ବରୁ ସେ ଇସ୍ତଫା ଦେଇଥିବା ଖବର ମିଳିଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ପ୍ରଥମ ପର୍ଯ୍ୟାୟରେ ୧୨ଜଣ ନକଲି ଶିକ୍ଷକଙ୍କୁ ବହିଷ୍କାର କରିବା ପରେ ଏବେ ଆହୁରି ୪ଜଣ ନକଲି ଶିକ୍ଷକ ସ୍କାନର୍‌ରେ ଥିବା ଜଣାପଡ଼ିଛି। ଏମାନଙ୍କୁ ମଧ୍ୟରୁ ଜଣେ ଲେଖାଏଁ ସାହାରପଡ଼ା ଓ ହରିଚନ୍ଦନପୁର ବ୍ଲକ୍‌‌ର ହୋଇଥିବା ବେଳେ ଅନ୍ୟ ଦୁଇଜଣ ଘସିପୁରା ବ୍ଲକ୍‌ର ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର