ନକଲି ସାର୍ଟିଫିକେଟ୍‌ ହାଉଜାଉ, ସବୁ ବିଭାଗରେ ଯାଞ୍ଚ ହୋଇପାରେ ଅଧିକାରୀଙ୍କ ପ୍ରମାଣପତ୍ର

ଭୁବନେଶ୍ବର : ସରକାରୀ ଚାକିରି ପାଇଁ ଆଗ୍ରହୀ କି? ଯୋଗ୍ୟତା ନଥିଲେ ମଧ୍ୟ ସାର୍ଟିଫିକେଟ୍‌ ଯୋଗାଇ ଦିଆଯିବ। ୮ମ ପାସ୍‌ କରିଥିଲେ ମାଟ୍ରିକ୍‌ ସାର୍ଟିଫିକେଟ୍‌, ଯୁକ୍ତ ୨ ପାସ୍‌ କରିଥିଲେ ଯୁକ୍ତ ୩ ସାର୍ଟିଫିକେଟ୍‌ ପାଇପାରିବେ। ମେଡିକାଲ ହେଉ କି ଇଞ୍ଜିନିୟରିଂ ଅଥବା ଫାର୍ମାସି, ନର୍ସିଂ, ବିଏଡ୍‌; ଯେଉଁ ସାର୍ଟିଫିକେଟ୍‌ ଆବଶ୍ୟକ, ଆପଣଙ୍କ ଘ‌ରେ ପହଞ୍ଚିଯିବ। ପରୀକ୍ଷା ନ ଦେଇ ବି ଚାକିରି ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ। ଏଥିପାଇଁ ଖାଲି ଯାହା ପ୍ରଚୁର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ମାଟ୍ରିକ୍‌, ଯୁକ୍ତ ୨ ପାସ୍‌ ସାର୍ଟିଫିକେଟ୍‌ ପାଇଁ ୨ ଲକ୍ଷ ଏବଂ ଇଞ୍ଜିନିୟରିଂ, ମେଡିକାଲ ସାର୍ଟିଫିକେଟ୍‌ ପାଇଁ ୫ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।

ଡାକ ବିଭାଗରେ ପୋଷ୍ଟମାଷ୍ଟର ଚାକିରି ପାଇଁ ଆବେଦନ କରି ବଲାଙ୍ଗୀରରୁ ଧରାପଡ଼ିଥିବା ମାଷ୍ଟରମାଇଣ୍ଡଠାରୁ ଏଭଳି ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ଯାହାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ଗୋଟିଏ ପଟେ ଡାକ ବିଭାଗରେ ଚାକିରି ପାଇଁ ସାରା ଓଡ଼ିଶାରେ ବଡ଼ଧରଣର ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ଆଉ ଅନ୍ୟପଟେ ଜିଲ୍ଲା ପରେ ଜିଲ୍ଲାକୁ ଡେଇଁ ଚାଲିଛି ନକଲି ସାର୍ଟିଫିକେଟ୍‌ ଧରାପଡ଼ିବା ଘଟଣା। ବଲାଙ୍ଗୀର ପରେ କେନ୍ଦ୍ରାପଡ଼ା ଜିଲ୍ଲାରେ ନକଲି ମାଟ୍ରିକ୍‌ ସାର୍ଟିଫିକେଟ୍‌ ଦାଖଲ କରି ଡାକ ବିଭାଗରେ ଚାକିରି ପାଇଁ ଜଣେ ପ୍ରାର୍ଥୀ ଆବେଦନ କରିଥିବା ଘଟଣା ସାମ୍ନାକୁ ଆସିଛି। ଇତିମଧ୍ୟରେ ଆବେଦନକାରୀଙ୍କ ନାଁରେ କେନ୍ଦ୍ରାପଡ଼ା ଟାଉନ ଥାନାରେ ଏତଲା ଦିଆଯାଇଛି। ସେହିପରି ଭଦ୍ରକ ଜିଲ୍ଲାର ଜଣେ ଯୁବତୀ ଉତ୍ତରପ୍ରଦେଶ ମାଧ୍ୟମିକ ଶିକ୍ଷା ପରିଷଦରୁ ଶିକ୍ଷା ଗ୍ରହଣ କରିବା ସହ ଓଡ଼ିଆ ବିଷୟରେ ଶହେରୁ ୯୯ ମାର୍କ ରଖିଥିବା ନକଲି ମାର୍କସିଟ ଦାଖଲ କରିଥିବା ଜଣାପଡ଼ିଛି। ଏହାକୁ ନେଇ ଖୋଳତାଡ଼ ଜାରି ରହିଛି।

ବଲାଙ୍ଗୀର ମାମଲାର ମାଷ୍ଟରମାଇଣ୍ଡ ମନୋଜ ମିଶ୍ରଙ୍କ ସମେତ ୧୯ଜଣ ଅଭିଯୁକ୍ତଙ୍କୁ ଗିରଫ ପରେ ଏସ୍‌ପି ନୀତିନ କୁଶଳକର କହିଛନ୍ତି ଯେ ବହୁ ବର୍ଷ ହେଲା ଏଠାରେ ନକଲି ସାର୍ଟିଫିକେଟ୍‌ ବେପାର ଚାଲିଥିଲା। ରାଜ୍ୟ ସାରା ପିଲାଙ୍କୁ ବାହାର ରାଜ୍ୟର ସାର୍ଟିଫିକେଟ୍‌ ଯୋଗାଇ ଦିଆଯାଉଥିଲା। ଅନେକ ପିଲା ଏଠାରୁ ନକଲି ସାର୍ଟିଫିକେଟ୍‌ ନେଇ ଚାକିରି ବି ପାଇଛନ୍ତି। ଏସ୍‌ପିଙ୍କ ବକ୍ତବ୍ୟ ପରେ ଓଡ଼ିଶାରେ ନକଲି ସାର୍ଟିଫିକେଟ୍‌ର ଏକ ସାଂଘାତିକ ଚିତ୍ର ସାମ୍‌ନାକୁ ଅାସୁଛି। କାରଣ ଓଡ଼ିଶାର ଲକ୍ଷ ଲକ୍ଷ ଚାକିରିଆଙ୍କ ମଧ୍ୟରୁ କିଏ ଅସଲି ଓ କିଏ ନକଲି ସାର୍ଟିଫିକେଟ୍‌ ଦେଇ ଚାକିରି ପାଇଛନ୍ତି ତାହାର ଖୋଳତାଡ଼ କରିବା ଏବେ କଷ୍ଟକର ହୋଇପଡ଼ିବ। କାରଣ ଆଜି ସୁଦ୍ଧା ନକଲି ସାର୍ଟିଫିକେଟ୍‌ଧାରୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଧରିବାରେ ପୁଲିସ କି ପ୍ରଶାସନ ସଫଳ ହୋଇନାହିଁ। କ୍ରାଇମ୍‌ବ୍ରାଞ୍ଚ ବି ବହୁ କ୍ଷେତ୍ରରେ ଫେଲ୍‌ ମାରିଛି। ଏଭଳି ସମୟରେ ଡାକ ବିଭାଗ ନିଯୁକ୍ତିରେ ନକଲି ସାର୍ଟିଫିକେଟ୍‌ ହାଉଜାଉ ହେବା ଚିନ୍ତାର କାରଣ ପାଲଟିଛି।

ବିଭିନ୍ନ ସମୟରେ ଓଡ଼ିଶାରେ ନକଲି ସାର୍ଟିଫିକେଟ୍‌ ଜବତ ହୋଇଛି। ବିଶେଷକରି ନକଲି ସାର୍ଟିଫିକେଟ୍‌ ଦେଇ ସରକାରୀ ବିଦ୍ୟାଳୟରେ ଚାକିରି କରିଥିବା ୧୧୫୦ରୁ ଅଧିକ ଶିକ୍ଷକ/ଶିକ୍ଷୟିତ୍ରୀ ଏବେ ସୁଦ୍ଧା ବିଦା‌ ହେଲେଣି। ଶତାଧିକ ଜେଲ୍‌ ବି ଯାଇଛନ୍ତି। ଗଞ୍ଜାମରୁ ଆରମ୍ଭ କରି ଅନୁଗୁଳ, କେନ୍ଦୁଝର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ବାଲେଶ୍ବର, ସମ୍ବଲପୁର, ବଲାଙ୍ଗୀର, ଗଜପତି, କୋରାପୁଟ, ଗଞ୍ଜାମ ପ୍ରଭୃତି ଜିଲ୍ଲାରୁ ବି ନକଲି ସାର୍ଟିଫିକେଟ୍‌ଧାରୀ ଧରାପଡ଼ି ଜେଲ୍‌ ଯାଇଛନ୍ତି। ତା’ ସତ୍ତ୍ବେ ନକଲି ସାର୍ଟିଫିକେଟ୍‌ରେ ପୂର୍ଣ୍ଣଚ୍ଛେଦ ପଡ଼ିନି। ୨୦୨୨ରେ ନକଲି ଦିବ୍ୟାଙ୍ଗ ସାର୍ଟିଫିକେଟ୍‌ ଦେଇ ନାମ ଲେଖାଇଥିବା ପାଖାପାଖି ୫୦ଜଣ ଛାତ୍ରଛାତ୍ରୀ ନାମକରା ଶିକ୍ଷାନୁଷ୍ଠାନରୁ ଧରାପଡ଼ି ତଡ଼ା ଖାଇଥିଲେ।

ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ବିହାର, ତେଲେଙ୍ଗାନା ପ୍ରଭୃତି ରାଜ୍ୟରୁ ଶିକ୍ଷା ଗ୍ରହଣ କରିଥିବା ଦର୍ଶାଇ ବହୁ ସଂଖ୍ୟକ ପ୍ରାର୍ଥୀ ଓଡ଼ିଶାର ଚାକିରି ପାଇଁ ଆବେଦନ କରିଥିବା ଜଣାପଡ଼ିବା ପରେ ୨୦୧୯ରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ସତର୍କ କରାଇଥିଲା। ଅନୁବନ୍ଧିତ ନ ଥାଇ ପରୀକ୍ଷା ପରିଚାଳନା କରୁଥିବା ଦେଶର କେତେକ ବୋର୍ଡ(ପରିଷଦ) ପିଲାମାନଙ୍କୁ ସାର୍ଟିଫିକେଟ୍‌ ବାଣ୍ଟୁଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା। ନକଲି ସାର୍ଟିଫିକେଟ୍‌ଧାରୀ ଛାତ୍ରଛାତ୍ରୀ ଓଡ଼ିଶାରେ ବୁଲୁଥିବା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ପୁଲିସ କି ପ୍ରଶାସନ କେହି ଖୋଳତାଡ଼ କରି ନ ଥିଲେ। ଯେଉଁଥିପାଇଁ ନକଲି ସାର୍ଟିଫିକେଟ୍‌ ଏବେ ସବୁଠି ବୁଲୁଛି। ତିନି ମାସ ତଳେ ଫାର୍ମା ଲାଇସେନ୍ସ ସାର୍ଟିଫିକେଟ୍‌ ନେବା ପାଇଁ ଜାଲ୍‌ ପ୍ରମାଣପତ୍ର ଦାଖଲ କରିଥିବା ଦୁଇ ନକଲି ଫାର୍ମାସିଷ୍ଟଙ୍କୁ ଭୁବନେଶ୍ବରରୁ ଗିରଫ କରାଯାଇଥିଲା।

ଏତେ ସବୁ ପରେ ବି ନକଲି ସାଟିର୍ଫିକେଟ୍‌ ଉପରେ ରୋକ୍‌ ଲାଗି ପାରୁନି। ଯେଉଁମାନେ ଧରାପଡ଼ୁଛନ୍ତି, ସେମାନଙ୍କ ବିରୋଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହେଉନଥିବା ଏହାର କାରଣ। ଚାକିରିରୁ ବହିଷ୍କାର କରାଯାଉଛି ନ ହେଲେ ଏତଲା ଦେଇ ଚୁପ୍‌ ବସିଯାଉଛି ବିଭାଗ। ଅଧିକାଂଶ କ୍ଷେତ୍ରରେ ପୁଲିସର ଖୋଳତାଡ଼ ଅଧିକ ହେଉନାହିଁ। ଦୁଇ ତିନି ଜଣଙ୍କୁ ଗିରଫ କରି ଚୁପ୍‌ ବସିପଡ଼ୁଛି ପୁଲିସ। ମୂଳରେ ପହଞ୍ଚିପାରୁ ନାହାନ୍ତି କି କାହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେଉନି। ଯେଉଁଥିପାଇଁ ଅପରାଧୀ ଏବେ ସକ୍ରିୟ ହୋଇପଡ଼ିଛନ୍ତି।

The Hans India

ନକଲି ଚାକିରିଆ ଛାନିଆ
ବିରି ମାଡ଼ ଦେଖି କୋଳଥ ଚେପା। ବଲାଙ୍ଗୀରରେ ନକଲି ସାର୍ଟିଫିକେଟ୍‌ ଧରାପଡ଼ିବା ପରେ ନକଲି ସାର୍ଟିଫିକେଟ୍‌ ଦେଇ ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ସଂସ୍ଥାରେ ଚାକିରି କରିଥିବା ହଜାର ହଜାର ଚାକିରିଆଙ୍କ ମଧ୍ୟରେ ଛନକା ପଶିଛି। କିଏ କେଉଁ ବାଟେ ବର୍ତ୍ତିବାକୁ ଚେଷ୍ଟା ଚଳାଇଛନ୍ତି। ୧୦୦ରୁ ଅଧିକ ଶିକ୍ଷକ/ଶିକ୍ଷୟିତ୍ରୀ ତ ଦୀର୍ଘଦିନ ହେବ ସ୍କୁଲ ଆସୁନାହାନ୍ତି। ଖୋଜିଲେ ବି ସେମାନଙ୍କ ଠିକଣା ମିଳୁନି। ଅନ୍ୟାନ୍ୟ କ୍ଷେତ୍ରରେ ବି ସମାନ ଅବସ୍ଥା। କିରାଣିଠାରୁ ଆରମ୍ଭ କରି ଶିକ୍ଷା ସହାୟକ ନିଯୁକ୍ତି ପର୍ଯ୍ୟନ୍ତ, ସବୁଠି ଜାଲ୍‌ ସାର୍ଟିଫିକେଟ୍‌ ଦେଇଛନ୍ତି ପ୍ରାର୍ଥୀ।

କେଉଁଠି କେଉଁଠି ଲମ୍ବିଛି ନକଲି ସାର୍ଟିଫିକେଟ୍‌ର ଚେର? କେଉଁ କେଉଁ ବିଭାଗ, କେଉଁ କେଉଁ ଦପ୍ତରରେ ଚୌକି ମାଡ଼ି ବସିଛନ୍ତି ଜାଲିଆତି କରିଥିବା ବ୍ୟକ୍ତି? ଏସବୁର ଯେତେଶୀଘ୍ର ପର୍ଦ୍ଦାଫାସ୍‌ ହେବ, ସେମାନଙ୍କ ପାଇଁ ଚାକିରି ନପାଇ ନିରାଶ ହୋଇଥିବା ମେଧାବୀ ପ୍ରାର୍ଥୀଙ୍କୁ ସେତେ ଶୀଘ୍ର ନ୍ୟାୟ ମିଳିବ ବୋଲି ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର