ସମ୍ବଲପୁର ଓ ବରଗଡ଼ ଡ୍ରଗ୍ସ ଇନ୍ସପେକ୍ଟରଙ୍କ ମିଳିତ ଚଢ଼ଉ : ବିପୁଳ ନକଲି କରୋନା ପ୍ରତିଷେଧକ ଜବତ

ପାଉଡ଼ର, ନୀଳ ଓ ନାଲି ପାଣିରେ ତିଆରି ହେଉଥିଲା ଇଞ୍ଜେକ୍ସନ
ପୂର୍ବରୁ ବନ୍ଧ୍ୟା ଦୋଷ ପାଇଁ ବି ଔଷଧ କରି ବିକୁଥିଲେ ଯୁବକ

ସମ୍ବଲପୁର : ସମ୍ବଲପୁର ଓ ବରଗଡ଼ ଡ୍ରଗ୍ସ ଇନ୍ସପେକ୍ଟର ଶୁକ୍ରବାର ବରଗଡ଼ ଜିଲ୍ଲା ଭେଡ଼େନ୍‌ ବ୍ଲକ ରିଷିଡ଼ା ଗ୍ରାମରେ ମିଳିତ ଭାବେ ଚଢ଼ଉ କରି ବିପୁଳ ପରିମାଣର ନକଲି କରୋନା ପ୍ରତିଷେଧକ ଜବତ କରିଛନ୍ତି। ପାଉଡର ଓ ନାଲି ରଙ୍ଗର ପାଣିରେ ତିଆରି ହେଉଥିବା ଏହି ପ୍ରତିଷେଧକ ଶିଶି ଉପରେ ‘କୋଭିଡ୍‌ ୧୯ ଭାକ୍ସିନ୍‌ ଫର୍‌ କରୋନା କୋଭିଡ୍‌-୧୯ ବୋଲି ଉଲ୍ଳେଖ ରହିଛି। ଏହି ଘଟଣାରେ ନକଲି ଔଷଧ ତିଆରି କରୁଥିବା ପ୍ରହଲ୍ଲାଦ ବିଶି (୩୨)କୁ ‌ନୋଟିସ୍‌ ଜାରି କରାଯାଇଥିବା ସମୟରେ ଜବତ ପ୍ରତିଷେଧକ ଓ ଔଷଧ ପରୀକ୍ଷା ପାଇଁ ଭୁବନେଶ୍ବରସ୍ଥିତ ଲ୍ୟାବ୍‌କୁ ପଠାଯାଇଛି।

ମିଳିଥିବା ସୂଚନା ଅନୁସାରେ, ସପ୍ତମ ଶ୍ରେଣୀ ପାସ୍‌ କରିଥିବା ପ୍ରହଲ୍ଲାଦ ବିଶି ପୂର୍ବରୁ ବନ୍ଧ୍ୟ‌ାଦୋଷ ଦୂରୀକରଣ ପାଇଁ ଏକ ଔଷଧ ତିଆରି କରିଥିଲା। ଏହି ଔଷଧରେ ଟିଟାନସ୍‌ ଟକ୍ସିଡ୍‌, ସେଫାଟିକ୍ସିମ୍‌ ସୋଡିୟମ୍‌, କାଷ୍ଟର ଅଏଲ୍‌ ଭଳି ସାମଗ୍ରୀ ମିଶା ଯାଇଥିଲା। ତେବେ ସବୁଠୁ ଗୁରୁତ୍ବୂପୂର୍ଣ୍ଣ ହେଉଛି ବିନା ପଞ୍ଜୀକରଣରେ ପ୍ରହଲ୍ଲାଦ ଔଷଧ ଖୋଳରେ କିନ୍ତୁ ମାନ୍ୟୁଫେକ୍ଚରିଂ ନମ୍ବର, ଟିନ୍‌ ନମ୍ବର ଆଦି ଉଲ୍ଳେଖ କରିବା ସହ ଏହାକୁ ୨୫୦୦ ଟଙ୍କାରେ ବିକ୍ରି କରୁଥିଲା। ଏହି ଔଷଧ ବିକ୍ରି ହେବା ପରେ ପ୍ରହଲ୍ଲାଦ କିଛି ପାଉଡର ଓ ନାଲି ରଙ୍ଗର ରା‌ସାୟନିକ ପଦାର୍ଥକୁ ମିଶାଇ କୋଭିଡ୍‌-୧୯ ପ୍ରତିଷେଧକ ଇଞ୍ଜେକ୍ସନ ତିଆରି କରିଥିଲେ। ଏହା ପରେ ସେ ୨ ଦିନ ତଳେ ବରଗଡ଼ ଜିଲ୍ଲା ଡ୍ରଗ୍ସ ଇନ୍ସେପେକ୍ଟର ସସ୍ମିତା ଦେହୁରୀଙ୍କୁ ଇ-ମେଲ୍‌ କରି ପ୍ରତିଷେଧକ ବିକ୍ରି କରିବାକୁ ଅନୁମତି ମାଗିଥିଲେ। ଯେତେବେଳେ ସାରା ବିଶ୍ବ ପ୍ରତିଷେଧକ ତିଆରି ପାଇଁ ଉଦ୍ୟମ ଚଳାଇଥିବାବେଳେ ପ୍ରହଲ୍ଲାଦ କିନ୍ତୁ ବିନା କୌଣସି ଠିକ୍‌ ଉପାଦାନ ଓ ପରୀକ୍ଷାଗାରରେ ଏହି ପ୍ରତିଷେଧକ ତିଆରି କରିଦେଇଥିବା ଦାବି କରିଥିଲେ। ଏଭଳି ଘଟଣା ପରେ ବରଗଡ଼ ଡିଆଇଙ୍କ ଅନୁରୋଧ କ୍ରମେ ସମ୍ବଲପୁର ଡ୍ରଗ୍ସ ଇନ୍ସପେକ୍ଟର ସମୀର ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିଥିଲେ। ତେବେ ଏହି ପ୍ରତିଷେଧକରେ କଣ କଣ ରହିଛି ବୋଲି ପଚାରିବା ପରେ ତାହା ଟପ୍‌ ସିକ୍ରେଟ୍‌ ହୋଇଥିବାରୁ କାହାକୁ ଜଣାଇହେବନି ବୋଲି ପ୍ରହଲ୍ଲାଦ ଡ୍ରଗ୍ସ ଇନ୍ସପେକ୍ଟର ଶ୍ରୀ ମଲ୍ଲିକଙ୍କୁ ଉତ୍ତର ଦେଇଥିଲେ। ଏହି ଘଟଣା ପରେ ପ୍ରହଲ୍ଲାଦ ତିଆରି କରିଥିବା ସମସ୍ତ ନକଲି କୋଭିଡ୍‌-୧୯ ପ୍ରତିଷେଧକ ଜବତ କରାଯିବା ସହ ବନ୍ଧ୍ୟା‌ ଦୋଷ ଦୂରୀକରଣ ପାଇଁ ତିଆରି କରିଥିବା ‘ଓଭୁ ଷ୍ଟପ୍‌’ ନାମକ ଔଷଧ ବି ଜବତ କରାଯାଇଛି।

ସମ୍ବନ୍ଧିତ ଖବର