ନକଲି ଔଷଧ କାରବାର: ସୁଦୀପ୍‌କୁ ରିମାଣ୍ଡରେ ଆଣିବା ପାଇଁ ଆବେଦନ

ଭୁବନେଶ୍ବର : ଓଡ଼ିଶାର ମେଡିଲୟେଡ୍‌ ମେଡିକାମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ସଂସ୍ଥାକୁ ନକଲି ଔଷଧ ଯୋଗାଉଥିବା ମହାରାଷ୍ଟ୍ର କମ୍ପାନି ମ୍ୟାକ୍ସ ରିଲିଫ୍ ହେଲ୍‌ଥ କେୟାରର ପ୍ରୋପ୍ରାଇଟର ସୁଦୀପ ଚାଟାର୍ଜୀ ରିମାଣ୍ଡରେ ଆସିବ। ଏଥିପାଇଁ ଆଜି କଟକ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଆବେଦନ କରିଛି ଏସ୍‌ଟିଏଫ୍‌। ଉପଯୁକ୍ତ ପ୍ରମାଣ ମିଳିଲେ କୋର୍ଟଙ୍କ ଆଦେଶକ୍ରମେ ତାକୁ ଏସ୍‌ଟିଏଫ୍‌ କରିଥିବା ମାମଲା‌ରେ ଗୁନ୍ଥା ଯିବ। ଏହା ପରେ ତାକୁ ରିମା‌ଣ୍ଡରେ ଆଣିବା ପାଇଁ ସ୍ବୀକୃତି ମିଳିବ।

ସେହିଭଳି ମେଡିଲୟେଡ୍‌ ମେଡିକାମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଶିବ ପ୍ରସନ୍ନ ଜେନାଙ୍କୁ ମଧ୍ୟ ରିମାଣ୍ଡରେ ଅଣାଯିବ। ଉଭୟଙ୍କୁ ଏକାଠି ଓ ଅଲଗା ଅଲଗା ଜେରା କରାଯିବ। ଉଭୟଙ୍କ ମଧ୍ୟରେ ଥିବା ଏହି ଚୋରା କାରବାରର ଚେର କେତେ ବାଟ ରହିଛି ତାହାକୁ ଏସ୍‌ଟିଏଫ୍‌ ଖୋଜିବ। ମେଡିଲୟେଡ୍ ମେଡିକାମେଣ୍ଟ ମହାରାଷ୍ଟ୍ରର ଏହି କମ୍ପାନି ଠାରୁ କେବଳ ନକଲି ଔଷଧ ଆଣି ବିକୁ ନଥିଲା ବରଂ ପ୍ରାଧିକୃତ ଡିଲର ଥିଲା। ସେଠାରୁ ଔଷଧ ଆଣିବା ସହ ମାର୍କେଟିଂ ଦାୟିତ୍ବ ମଧ୍ୟ ନେଇଥିଲା। ଓଡ଼ିଶା ସମେତ ପଶ୍ଚିମବଙ୍ଗରେ କୋଟି କୋଟି ଟଙ୍କାର ଔଷଧ ବିକ୍ରି କରିବା ପାଇଁ ଚୁକ୍ତି ହୋଇଥିଲା। ତଦନ୍ତ ବେଳେ ଏସ୍‌ଟିଏଫ୍‌ ହାତରେ ଏହି ତଥ୍ୟ ଲାଗିବା ପରେ ସୁଦୀପ୍‌କୁ ରିମାଣ୍ଡରେ ଆଣିବା ପାଇଁ ଯୋଜନା ହୋଇଥିଲା। ପୂର୍ବରୁ ତାକୁ ମହାରାଷ୍ଟ୍ର ପୁଲିସ ଗରିଫ କରି ସାରିଥିଲା। ଏବେ ଉଭୟଙ୍କୁ ଜେରା ହେଲେ ଆହୁରି ଗହନ ତଥ୍ୟ ଏସ୍‌ଟିଏଫ୍‌ ହାତରେ ଲାଗିବ ବୋଲି ଆଶା କରାଯାଉଛି।

ଅନ୍ୟପଟେ ମେଡିଲୟେଡ୍ ମେଡିକାମେଣ୍ଟ ସଂସ୍ଥାର ମାଲିକ ପତି-ପତ୍ନୀଙ୍କ ସମସ୍ତ ଆର୍ଥିକ କାରବାରର ତଦନ୍ତ କ୍ରାଇମ୍‌ବ୍ରାଞ୍ଚର ଇଓଡବ୍ଲୁ(ଅର୍ଥନୈତିକ ଅପରାଧ ଶାଖା) କରୁଛି। ଏସ୍‌ଟିଏଫ୍‌ ସୁପାରିସ କ୍ରମେ ୩ ଦିନ ହେବ ଇଓଡବ୍ଲୁ ତନାଘନା କରୁଛି। ଶିବ ପ୍ରସନ୍ନଙ୍କ ସମ୍ପର୍କୀୟଙ୍କ ନାମରେ ମଧ୍ୟ ଆକାଉଣ୍ଟ ଖୋଲାଯାଇ କାରବାର କରାଯାଉଥିଲା ବୋଲି ଇଓଡବ୍ଲୁ ଜାଣିବାକୁ ପାଇଛି। ଏଯାବତ୍‌ କୋଟିଏ ଟଙ୍କା ଠାବ ହୋଇ ସାରିଲାଣି ବୋଲି ଏକ ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି। ସନ୍ଦିଗ୍ଧ ସମସ୍ତ ଆକାଉଣ୍ଟ ଉପରେ ନଜର ରଖାଯାଇଛି। କିଏ ଟଙ୍କା ଉଠାଉଛି, କିଏ ଜମା କରୁଛି, କିଏ ସେହି ସବୁ ଆକାଉଣ୍ଟ ପରିଚାଳନା କରୁଛି, ତାହା ଉପରେ କଡ଼ା ନଜର ରହିଛି। ଉଲ୍ଲେଖଯୋଗ୍ୟ, ଶିବ ପ୍ରସନ୍ନଙ୍କର ୪ଟି ଆକାଉଣ୍ଟକୁ ଏସ୍‌ଟିଏଫ୍‌ ଅଚଳ କରିସାରିଛି।

ସମ୍ବନ୍ଧିତ ଖବର