ଟଙ୍କା ଦେଇ ଜାଲ୍‌ କୋଭିଡ ରିପୋର୍ଟ ଘଟଣା: ଖୋଲୁଛି ଗୁମର; ଚେର ଖୋଜା ଆରମ୍ଭ

ନମୁନା ଯାଇଥିବା ଘରୋଇ ହସ୍ପିଟାଲ କର୍ମଚାରୀଙ୍କ ବୟାନ ରେକର୍ଡ, ଦଲାଲ୍‌କୁ ବ୍ୟକ୍ତିଗତ ଭାବେ ଜାଣିଥିବା ମାନିଲେ କର୍ମଚାରୀ

ଭୁବନେଶ୍ବର: ଟଙ୍କା ଦେଇ ଜାଲ୍‌ କୋଭିଡ ରିପୋର୍ଟ ପ୍ରସ୍ତୁତ ହେଉଥିବା ନେଇ ‘ସମ୍ବାଦ’ରେ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ ପାଇବା ପରେ ଏହାର ଗୁମର ଫିଟିବ‌ା ଆରମ୍ଭ ହୋଇଛି। ସ୍ବାସ୍ଥ୍ୟ ବିଭାଗର ତନାଘନା ଯୋଗୁଁ ଏହି କେଳେଙ୍କାରୀରେ ଜଡ଼ିତ ନୂଆ ନୂଆ ମୁହଁ ସାମ୍ନାକୁ ଆସିବାରେ ଲାଗିଛନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରୀକ୍ଷା ହୋଇଥିବା ଲ୍ୟାବ୍‌ ସମେତ ନମୁନା ସଂଗ୍ରହ ହୋଇଥିବା ଘରୋଇ ହସ୍ପିଟାଲରେ ମଧ୍ୟ ଯାଞ୍ଚ କରାଯାଇଛି। ନମୁନା ସଂଗ୍ରହ ହୋଇଥିବା ହସ୍ପିଟାଲର କର୍ମଚାରୀ ଜଣକ ଲିଖିତ ଭାବେ ଏ ସଂପର୍କରେ ବିଭାଗକୁ ଉତ୍ତର ରଖିଛନ୍ତି। ଏଭଳି ଜାଲ୍‌ ରିପୋର୍ଟ ପ୍ରସ୍ତୁତ କରୁଥିବା କାର୍ପଟଦାରକୁ ମଧ୍ୟ ସଂପୃକ୍ତ ହସ୍ପିଟାଲର କର୍ମଚାରୀ ଜଣକ ବ୍ୟକ୍ତିଗତ ଭାବେ ଜାଣିଥିବା ସ୍ବୀକାର କରିଛନ୍ତି। ମାତ୍ର ହସ୍ପିଟାଲରୁ ନମୁନା ସଂଗ୍ରହ ହୋଇ ନ ଥିବା କହିଛନ୍ତି। ଯାହାଫଳରେ ସଂପୃକ୍ତ ନମୁନାଟି କେଉଁଠାରୁ ଆସିଲା ଏବଂ ବିନା କୌଣସି ଯାଞ୍ଚରେ ସଂପୃକ୍ତ ଘରୋଇ ହସ୍ପିଟାଲ କିଭଳି ପରୀକ୍ଷା ପାଇଁ ଲ୍ୟାବ୍‌କୁ ପଠାଇଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏହି କେଳେଙ୍କାରୀ ମୂଳରେ କେଉଁମାନେ ସଂପୃକ୍ତ ଅଛନ୍ତି, ସ୍ବାସ୍ଥ୍ୟ ବିଭାଗ ତାହା ଖୋଜିବା ଆରମ୍ଭ କରିଛି।।

ଜାଲ୍‌ କୋଭିଡ୍‌ ରିପୋର୍ଟ ଘଟଣାରେ ଏକାଧିକ ବୈଷୟିକ ଦିଗକୁ ସ୍ବାସ୍ଥ୍ୟ ବିଭାଗ ଗୁରୁତ୍ବ ଦେଉଛି। କରୋନା ଚିହ୍ନଟ ପାଇଁ ଆର୍‌ଟି-ପିସିଆର୍‌କୁ ଏକ ଉଚ୍ଚମାନର ପରୀକ୍ଷା ଭାବେ ବିଶ୍ବବ୍ୟାପୀ ବିବେଚନା କରାଯାଉଥିବା ବେଳେ ଏଥିରେ କିଭଳି ହେରଫେର୍ କରାଗଲା ତାହାକୁ ଖୋଜି ବାହାର କରିବା ବିଭାଗ ପାଇଁ ପ୍ରମୁଖ ଆହ୍ବାନ ପାଲଟିଛି। ଏଥିପାଇଁ ସ୍ବାସ୍ଥ୍ୟ ବିଭାଗ ଆର୍‌ଏମ୍‌ଆର୍‌ସିର ସହାୟତା ନେଇଛି। ଆଇସିଏମ୍‌ଆର୍‌ ଗାଇଡଲାଇନ୍ ଅନୁଯାୟୀ ପରୀକ୍ଷାରେ କୌଣସି ତ୍ରୁଟି ରହିଛି କି ନାହିଁ ତ‌‌ାହାର ଅନୁଧ୍ୟାନ କରିବାକୁ ଏକ ଟିମ୍ ପଠାଇବାକୁ କୁହାଯାଇଛି। ତେଣୁ କୌଣସି ବି ସମୟରେ ଆର୍‌ଏମ୍‌ଆର୍‌ସି ପକ୍ଷରୁ ଏହାର ଯାଞ୍ଚ କରାଯିବ। ମାତ୍ର ଏହା ଭିତରେ ବିଭାଗୀୟ ଅଧିକାରୀମାନେ ଏଭଳି ରୢାକେଟ୍‌ କିଭଳି କାର୍ଯ୍ୟ କରୁଛି ତାହା ସଂପର୍କରେ ଏକ ଠୋସ୍ ପ୍ରମାଣ ଯୋଗାଡ଼ କରି ସାରିଛନ୍ତି। ତେଣୁ ଆର୍‌ଏମ୍‌ଆର୍‌ସିଠାରୁ ରିପୋର୍ଟ ପାଇବା ପରେ ସ୍ବାସ୍ଥ୍ୟ ବିଭାଗ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ବୋଲି ଜଣାପଡ଼ିଛି।

ଆର୍‌ଏମ୍‌ଆର୍‌ସିର ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ: ସ୍ବାସ୍ଥ୍ୟ ବିଭାଗ

ନମୁନା ପରୀକ୍ଷା କରିଥିବା ଲ୍ୟାବ୍‌ ମଧ୍ୟ ବିଭାଗ ନିକଟରେ ନିଜର ଉତ୍ତର ରଖିସାରିଛି। ‌ଯେଉଁ ବ୍ୟକ୍ତିଙ୍କ ନମୁନା ପରୀକ୍ଷା ପାଇଁ ଟଙ୍କା ପଇଠ କରିଛନ୍ତି ସଂପୃକ୍ତ ବ୍ୟକ୍ତି ଜଣକ ଲ୍ୟାବ୍‌ର କର୍ମଚାରୀ ନୁହନ୍ତି କିମ୍ବା ତାଙ୍କ ସହିତ ସିଧାସଳଖ କୌଣସି ସଂପର୍କ ନାହିଁ। ରିପୋର୍ଟଟିକୁ ଗତ ୨୬ତାରିଖରେ ଆଇସିଏମ୍‌ଆର ପୋର୍ଟାଲରେ ଅପଲୋଡ୍ କରାଯାଇଥିବା ଲ୍ୟାବ୍‌ ପକ୍ଷରୁ କୁହାଯାଇଛି। ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଜାଲ୍‌ କୋଭିଡ ରିପୋର୍ଟ ଘଟଣାରେ ଏକାଧିକ ଦିଗକୁ ନେଇ ଅନୁଧ୍ୟାନ ଚାଲିଛି। ଜାଲ୍‌ କୋଭିଡ ରିପୋର୍ଟ ପ୍ରସ୍ତୁତକାରୀଙ୍କ ଉପରେ କଡ଼ା ନଜର ରଖିବା ଲାଗି ଜିଲ୍ଲାମାନଙ୍କୁ ଚିଠି ଦିଆଯାଇଛି। ନମୁନା ସଂଗ୍ରହ ହୋଇଥିବା ହସ୍ପିଟାଲ ଲ୍ୟାବ୍‌ ଟେକ୍‌ନିସିଆନ୍ ଓ କର୍ମଚାରୀଙ୍କୁ ମଧ୍ୟ ଏ ସଂପର୍କରେ ପଚରାଉଚରା କରାଯାଇଛି। ତେବେ ନମୁନା ସଂଗ୍ରହଠାରୁ ପରୀକ୍ଷା ପର୍ଯ୍ୟନ୍ତ ଏଥିରେ କୌଣସି ହେରଫେର୍ ହୋଇଛି କି ନାହିଁ ତାହା ଉପରେ ଆରଏମ୍‌ଆର୍‌ସିର ଅନୁଧ୍ୟାନ ଗୁରୁତ୍ବପୂର୍ଣ୍ଣ। ତେଣୁ ଆର୍‌ଏମ୍‌ଆର୍‌ସିର ରିପୋର୍ଟ ଆସିବା ପରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ତେବେ କେ‌ବେଠାରୁ ଏହି ରୢାକେଟ୍‌ କେବେଠାରୁ ରାଜଧାନୀରେ ସକ୍ରିୟ ରହିଛି ତାହା ସମସ୍ତଙ୍କୁ ଆନ୍ଦୋଳିତ କରୁଛି। ରାଜଧାନୀରେ ଏଭଳି କେତେ ସଂଖ୍ୟକ ଜାଲ୍ କୋଭିଡ ରିପୋର୍ଟ ପ୍ରସ୍ତୁତ କରାଯାଇଛି? ଏହି ରୢାକେଟ୍ କେବଳ ଘରୋଇ ଲ୍ୟାବ୍‌କୁ ଟାର୍ଗେଟ୍‌ କରିଛନ୍ତି କି ସରକାରୀ ହସ୍ପିଟାଲରେ ମଧ୍ୟ ଏଭଳି ଜାଲ୍‌ ରିପୋର୍ଟ ପ୍ରସ୍ତୁତ କରାଯାଉଛି ଏହା ସଂପର୍କରେ ନିର୍ଦ୍ଦିଷ୍ଟ ଭାବେ କାହା ପାଖରେ କିଛି ସୂଚନା ନାହିଁ। ଯେହେତୁ ଆରଟି-ପିସିଆର ପଜିଟିଭ୍ ନମୁନା ଆଇସିଏମ୍‌ଆର ପୋର୍ଟାଲରେ ଅପଲୋଡ୍‌ କରିବାକୁ ନିୟମ ରହିଛି; ତେଣୁ ଏହା ଜାଲ୍‌ ହୋଇଥିଲେ ହେଁ ତାହାକୁ ରାଜ୍ୟର କୋଭିଡ ତାଲିକାରୁ ବାଦ୍ ଦେବା ଏକପ୍ରକାର କଷ୍ଟକର ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର