ଟଙ୍କା ଦିଅ, ପଜିଟିଭ୍‌ ରିପୋର୍ଟ ନିଅ; ବିନା ଟେଷ୍ଟରେ ମିଳୁଛି ଜାଲ୍‌ କୋଭିଡ୍‌ ରିପୋର୍ଟ

ଆର୍‌ଟି-ପିସିଆର୍‌ ପାଇଁ ନେଉଛନ୍ତି ୧୨ଶହ ଟଙ୍କା
ଆଣ୍ଟିଜେନ୍ ପାଇଁ ‘ଖୁସିରେ ଯାହା ଦେବ’
ସରକାରୀ ହସ୍ପିଟାଲରୁ ଘରୋଇ ଲ୍ୟାବ୍ ସବୁଠି ମାତିଛନ୍ତି ଦଲାଲ୍‌
ଜାଲ୍‌ ପଜିଟିଭ୍ ପାଇଁ ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି!

ଭୁବନେଶ୍ୱର, (କ୍ଷିତୀଶ ରାୟ | ସରିତ୍‌ଦୀପ ଶତପଥୀ) : ‘ଆଜ୍ଞା ଶୁଣିଲି…ଆପଣ ବିନା ପରୀକ୍ଷାରେ କୋଭିଡ୍‌ ପଜିଟିଭ୍ ରପୋର୍ଟ କରାଇ ଦେଉଛନ୍ତି। ମୋ ପତ୍ନୀଙ୍କର ଗୋଟେ ସେମିତି ରିପୋର୍ଟ କରେଇ ଦିଅନ୍ତେନି? ଛୁଟି ନେଇ ଟିକେ ବାହାରକୁ ଯିବାର ଥିଲା ତ। ସେଇଥିପାଇଁ କହୁଥିଲି।’ ଆମ ରିପୋର୍ଟର ରାଜଧାନୀର ଜଣେ ଦଲାଲଙ୍କ ମୋବାଇଲକୁ ଫୋନ୍ କରି ଏଭଳି ଅନୁରୋଧ କରିବାରୁ ସେପଟରୁ ଉତ୍ତର ଆସିଲା- ‘ଦେଖନ୍ତୁ.. ଏବେ ଭୁବନେଶ୍ବରରେ କୋଭିଡ୍‌ ପଜିଟିଭ୍‌ଙ୍କ ସଂଖ୍ୟା କମି ଆସିଲାଣି। ତେଣୁ ଜାଲ୍‌ ଆର୍‌ଟି-ପିସିଆର୍‌ ପଜିଟିଭ୍ ରିପୋର୍ଟ ପ୍ରସ୍ତୁତ କରିବାକୁ ଟିକେ କଷ୍ଟ ହେଉଛି। ତଥାପି ଆପଣ ଆଧାର କାର୍ଡ ପଠାନ୍ତୁ.. ଚେଷ୍ଟା କରୁଛି।’ ଆମ ରିପୋର୍ଟର ପଚାରିଲେ- ‘ଆଜ୍ଞା.. ଏଥିପାଇଁ କେତେ ଟଙ୍କା ଦେବାକୁ ପଡ଼ିବ ?’ ସେପଟୁ ବ୍ୟକ୍ତି ଜଣକ କହିଲେ.. ‘ଲ୍ୟାବ୍ ଅନୁଯାୟୀ ରେଟ୍‌ ଅଲଗା ରହିଛି। ହେଲେ ସରକାର ପରା ଆର୍‌ଟି-ପିସିଆର୍‌ ପାଇଁ ଘରୋଇ ଲ୍ୟାବ୍‌ରେ ୪ଶହ ଟଙ୍କା ଫିକ୍ସ କରିଛନ୍ତି ? ସେମିତି କିଛି ନାହିଁ କିଏ ୫ଶହ ନଉଛି ତ ଆଉ କିଏ ୭ଶହ… ତଥାପି ଆର୍‌ଟି-ପିସିଆର୍‌ ପାଇଁ ସମୁଦାୟ ୧୨ଶହ ଟଙ୍କା ପଡ଼ିବ, ବେଶି ନୁହେଁ।’

ଟଙ୍କା ଦେବାକୁ ରାଜି ହୋଇଯିବାରୁ ଦଲାଲ ଆମକୁ ବାଟ ବତେଇଲେ- ‘ଏ ନମ୍ବରରେ ହ୍ବାଟସ୍‌ଆପ୍ ଅଛି। ସେଥିରେ ଆଧାର କାର୍ଡ ପଠେଇବେ… ଯେତେ ଜଲ୍‌ଦି ଟଙ୍କା ପଠେଇବେ ସାମ୍ପୁଲ୍‌ଟା ସେତେ ଶୀଘ୍ର ଯିବ।’ ତାଙ୍କ କଥା ମାନି ଆମ ରିପୋର୍ଟର ଶନିବାର ଦିନ ହ୍ବାଟ୍ସଆପ୍‌ରେ ଆଧାର କାର୍ଡ ସହିତ ଫୋନ୍ ପେ’ରେ ସଂପୃକ୍ତ ବ୍ୟକ୍ତିଙ୍କ ପାଖକୁ ୧୨ଶହ ଟଙ୍କା ପଠାଇଦେଲେ। ସୋମବାର ଦିନ ୩ଟା ୨୩ ମିନିଟ୍‌ରେ ଆମ ରିପୋର୍ଟରଙ୍କ ମୋବାଇଲକୁ ନମୁନା ସଂଗ୍ରହ ହୋଇଥିବା ମେସେଜ୍ ଆସିଗଲା। ରାତି ପ୍ରାୟ ସାଢ଼େ ୯ଟା ସମୟରେ ଏକ ଘରୋଇ ଲ୍ୟାବ୍‌ରୁ ଫୋନ୍‌ ଆସିଲା-‘ଆପଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି, ରୋଗୀଙ୍କୁ ଆଇସୋଲେଟ୍‌ କରି ଦିଅନ୍ତୁ। ରିପୋର୍ଟଟି ଆପଣ ହସ୍ପିଟାଲରୁ ପାଇଯିବେ।’ ମଙ୍ଗଳବାର ସକାଳେ ସଂପୃକ୍ତ ଦଲାଲ ଜଣକ ଆର୍‌ଟି-ପିସିଆର୍‌ କୋଭିଡ୍‌ ପଜିଟିଭ୍ ରିପୋର୍ଟଟି ଆମ ରିପୋର୍ଟରଙ୍କ ମୋବାଇଲକୁ ପଠାଇଦେଲେ।

ଅର୍ଥାତ ଆପଣଙ୍କ ଶରୀରରେ କୋଭିଡ୍‌ ଲକ୍ଷଣ ପ୍ରକାଶ ପାଇବା ଦରକାର ନାହିଁ, ନମୁନା ସଂଗ୍ରହ କି ପରୀକ୍ଷା କରିବା ଲାଗି ହସ୍ପିଟାଲ କିମ୍ବା ଘରୋଇ ଲ୍ୟାବ୍‌କୁ ଯିବା ଆବଶ୍ୟକ ନାହିଁ। ଆପଣ ଚାହିଲେ, ମାତ୍ର ୧୨୦୦ ଟଙ୍କା ଦେଇ ଘରେ ବସି ଏଭଳି ଢଙ୍ଗରେ ଜାଲ୍‌ କୋଭିଡ୍‌ ପଜିଟିଭ୍ ରିପୋର୍ଟ ପାଇପାରିବେ। ରାଜଧାନୀରେ ଏଭଳି ଜାଲ୍‌ ‌କୋଭିଡ ପଜିଟିଭ୍ ରିପୋର୍ଟ ପ୍ରସ୍ତୁତ କରୁଥିବା ରୢାକେଟ୍‌ ସଂପର୍କରେ ଖବର ମିଳିବା ପରେ ‘ସମ୍ବାଦ’ ପକ୍ଷରୁ କରାଯାଇଥିବ‌ା ଅନୁସନ୍ଧାନରୁ ଏଭଳି ସାଂଘାତିକ ତଥ୍ୟ ପଦାକୁ ଆସିଛି। ଏହାର ପ୍ରମାଣ ସ୍ବରୂପ ଦଲାଲଙ୍କ ସହ ‌ହୋଇଥିବା କଥାବାର୍ତ୍ତାର ସମସ୍ତ କଲ୍‌ ରେକର୍ଡ, ଫୋନ୍ ପେ’ ଯୋଗେ ଦଲାଲଙ୍କ ଆକାଉଣ୍ଟକୁ ପଠାଯାଇଥିବା ୧୨୦୦ ଟଙ୍କାର ରିସିପ୍ଟ, ହ୍ବାଟ୍ସଆପ୍‌ରେ ପଠାଯାଇଥିବା ଆଧାରକାର୍ଡ ଆଦିର ସ୍କ୍ରିନ୍ ସଟ୍‌ ମଧ୍ୟ ଆମ ପାଖରେ ମହଜୁଦ୍ ଅଛି। ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଟେଷ୍ଟ ପାଇଁ ଯାଇଥିବା ଏହି ସାମ୍ପୁଲଟି ଏକ ଘରୋଇ ହସ୍ପିଟାଲରୁ ପରୀକ୍ଷା ପାଇଁ ପଠାଯାଇଛି। ସହିଦ ନଗର ଅଞ୍ଚଳରେ ଥିବା ଲ୍ୟାବ୍‌ରେ ଏହାର ପରୀକ୍ଷା କରାଯାଇଛି।

ଦ୍ବିତୀୟ ଲହରରେ ଏଭଳି ଜାଲ୍‌ କୋଭିଡ ରିପୋର୍ଟ ପ୍ରସ୍ତୁତ କରୁଥିବା ଗ୍ୟାଙ୍ଗ୍ ଏବେ ରାଜଧାନୀରେ ବେଶ ସକ୍ରିୟ ଥିବା ଜଣାପଡ଼ିଛି। କେବଳ ଯେ ଘରୋଇ ଲ୍ୟାବ୍‌ରେ ଏଭଳି ଜାଲ୍‌ ରିପୋର୍ଟ ପ୍ରସ୍ତୁତ ହେଉଛି ତା ନୁହେଁ; ଏହାର ଚେର କ୍ୟାପିଟାଲ ହସ୍ପିଟାଲ ଓ ଏମ୍‌ସ ପର୍ଯ୍ୟନ୍ତ ଲମ୍ବିଥିବା କୁହାଯାଉଛି। ସରକାରୀ ବାବୁଙ୍କଠାରୁ ଆରମ୍ଭ କରି ‌କର୍ପୋରେଟ୍‌ ସଂସ୍ଥାରେ ଚାକିରି କରୁଥିବା କିଛି କର୍ମଚାରୀ ଛୁଟି ପାଇବା ପାଇଁ ଟଙ୍କା ଦେଇ ଏଭଳି ଜାଲ୍‌ ରିପୋର୍ଟ ହାସଲ କରୁଥିବା ଜଣାପଡ଼ିଛି। ନିଜର ବା ପରିବାର ସଦସ୍ୟଙ୍କ ଜାଲ୍ କୋଭିଡ୍‌ ପଜିଟିଭ୍‌ ରି‌ପୋର୍ଟ ଦେଖାଇ ଅତିକମ୍‌ରେ ୧୫ଦିନ ପାଇଁ କାମରୁ ଛୁଟି ନେଉ ଯାଉଛନ୍ତି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅନେକ ସରକାରୀ କର୍ମଚାରୀ ରାଜଧାନୀକୁ ଆସି ଏବେ ଏଭଳି ଜାଲ୍‌ ରିପୋର୍ଟ ବାହାର କରୁଥିବା ଅନୁସନ୍ଧାନ ବେଳେ ଜଣାପଡ଼ିଛି। କୌଣସି କର୍ମଚାରୀ ଦଲାଲଙ୍କ ଜରିଆରେ ଥରେ ଏହା ହାସଲ କଲା ପରେ ତାଙ୍କଠାରୁ ଶୁଣି ଅନ୍ୟ ସାଥୀ କର୍ମଚାରୀମାନେ ବି ଭୁବନେଶ୍ବର ଆସି ସେହି ଦଲାଲଙ୍କ ଶରଣ ପଶୁଛନ୍ତି ଏବଂ ଟଙ୍କା ଦେଇ ଜାଲ୍ ରିପୋର୍ଟ ହାସଲ କରୁଛନ୍ତି।

ଏହା ବ୍ୟତୀତ ଷ୍ଟେଟ୍‌ ବ୍ୟାଙ୍କ୍ ଅଫ୍‌ ଇଣ୍ଡିଆ ପକ୍ଷରୁ ନିକଟରେ ଏସ୍‌ବିଆଇ-କବଚ ନାଁରେ ଏକ ନୂତନ ଋଣ ଯୋଜନା ପ୍ରଣୟନ କରାଯାଇଛି। ଏହି ଯୋଜନାରେ ଜଣେ କୋଭିଡ୍‌ ପଜିଟିଭ୍ ରିପୋର୍ଟ ଦେଖାଇଲେ ବ୍ୟାଙ୍କ୍ ପକ୍ଷରୁ ତାଙ୍କୁ ୧୧.୬ ପ୍ରତିଶତ ବଦଳରେ ୮.୫ପ୍ରତିଶତ ହାରରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପର୍ସନାଲ୍ ଲୋନ୍ ଦିଆଯାଉଛି। ତେଣୁ କମ୍‌ ସୁଧରେ ଋଣ ପାଇବା ଲାଗି କିଛି ଲୋକ ଜାଲ୍ କୋଭିଡ୍‌ ରିପୋର୍ଟ ପାଇଁ ଏଭଳି ଉପାୟ ଆପଣାଇଥିବା ଅନୁସନ୍ଧାନ ବେଳେ ଜଣାପଡ଼ିଛି। ମୁଖ୍ୟତଃ ଭୁବନେଶ୍ବରରେ ଏଭଳି ଜାଲ୍ ରାକେଟ୍‌ ଚାଲିଥିବାରୁ ରାଜ୍ୟର ଅନ୍ୟ ସବୁଠି ପଜିଟିଭ୍ ସଂଖ୍ୟା ହ୍ରାସ ପାଉଥିଲେ ମଧ୍ୟ ରାଜଧାନୀରେ କରୋନା ସଂକ୍ରମଣ କମିବା ନାଁ ନେଉନାହିଁ। କେବଳ ଯେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି ତାହା ନୁହେଁ; ଅଯଥାରେ ରାଜଧାନୀବାସୀଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ସରକାର ମଧ୍ୟ ସଂକ୍ରମଣ ବଢ଼ିଯିବା ଭୟରେ ନାଇଟ୍‌ କର୍ଫ୍ୟୁଠାରୁ ଆରମ୍ଭ କରି କଟକଣା ଜାରି କରିବା ଲାଗି ବାଧ୍ୟ ହେଉଛନ୍ତି। ଢୋଲ ଭିତରେ ମୂଷା ସାଜି ଏଭଳି ଗ୍ୟାଙ୍ଗ ରାଜ୍ୟର କୋଭିଡ ବିରୋଧରେ ଲଢ଼େଇକୁ ହୁଗୁଳା କରି ପକାଇଲେଣି। କୋଭିଡ୍‌ ରିପୋର୍ଟରେ ଏଭଳି ଜାଲିଆତି ଏବେ ରାଜ୍ୟର କରୋନା ଚିତ୍ରକୁ ବିଗାଡ଼ିଦେବା ସହିତ ଅର୍ଥନୀତି ଉପରେ ମଧ୍ୟରେ ଗଭୀର କୁପ୍ରଭାବ ପକାଉଛି।

ଏମିତି ଆରମ୍ଭ ହୋଇଥିଲା ଗୋପନ ଅନୁସନ୍ଧାନ:
ଟଙ୍କା ଦେଲେ ଜାଲ୍ କୋଭିଡ୍‌ ପଜିଟିଭ୍ ରିପୋର୍ଟ ମିଳୁଥିବା ଖବର ପାଇବା ପରେ ଗତ ଶନିବାର ଦିନ ‘ସମ୍ବାଦ’ର ଏକ ଟିମ୍ ପ୍ରଥମେ କ୍ୟାପିଟାଲ ହସ୍ପିଟାଲକୁ ଯାଇଥିଲା। ସେଠାରେ ଥିବା କୋଭିଡ ଟେଷ୍ଟିଂ କେନ୍ଦ୍ରରେ କାର୍ଯ୍ୟରତ ଜଣେ ବ୍ୟକ୍ତିଙ୍କୁ ଯୋଗାଯୋଗ କରିବାରୁ ସେ ଟଙ୍କା ନେଇ ଜାଲ୍ ପଜିଟିଭ୍ ଆଣ୍ଟି‌ଜେନ୍ ରିପୋର୍ଟ ଦେଇଦେବେ ବୋଲି କହିଥିଲେ। ମାତ୍ର ଏବେ ରାଜଧାନୀ ବାହାରେ ଥିବାରୁ ଆର୍‌ଟି-ପିସିଆର୍‌ ରିପୋର୍ଟ ଦେବାକୁ ଅକ୍ଷମତା ପ୍ରକାଶ କରିଥିଲେ। ତାଙ୍କ ଅନୁପସ୍ଥିତିରେ ସେ ଆଉ କାହା ଜରିଆରେ ପଜିଟିଭ୍ ରିପୋର୍ଟଟିଏ ତିଆରି କରିବା ଲାଗି ଅନୁରୋଧ କରିବାରୁ ସେ ଟିକେ ଥତମତ ହୋଇଥିଲେ ଏବଂ ପରବର୍ତୀ ସମୟରେ ଆଉ ଫୋନ୍ ଉଠାଇ ନ ଥିଲେ। ପରେ ହସ୍ପିଟାଲର ଜଣେ ସୁରକ୍ଷା କର୍ମୀଙ୍କୁ ଭେଟି ଏଭଳି ଅନୁରୋଧ କରିବାରୁ ସେ ଗୋଟିଏ ଘରୋଇ ଲ୍ୟାବ୍‌ର ଜଣକ ନମ୍ବର ଦେଇ କହିଥିଲେ, ତାକୁ ଫୋନ୍ କର। ସେ ରିପୋର୍ଟ ବାହାର କରିଦେବ। ସୁରକ୍ଷା କର୍ମୀଙ୍କଠାରୁ ନମ୍ବର ନେଇ ଜୟଦେବ ବିହାର ଅଞ୍ଚଳର ସଂପୃକ୍ତ ବ୍ୟକ୍ତିଙ୍କୁ ଫୋନ୍ କରିବାରୁ ସେ ପ୍ରଥମେ ଖୋଲା‌ଖୋଲି କଥା ହେବାକୁ ଭୟ କରିଥିଲେ। କହିଥିଲେ, ‘ତମେ ଯାହାଠୁ ନମ୍ବର ଆଣିଛ ତା ସହିତ ଟିକେ ଯୋଗାଯୋଗ କରେଇ ଦିଅ।’ କନଫରେନ୍‌ସରେ ସଂପୃକ୍ତ ସୁରକ୍ଷା କର୍ମୀଙ୍କୁ ଫୋନ୍ ଲଗାଇବା ପରେ ଏହି ବ୍ୟକ୍ତି ଜଣକ ଆଉ କିଛି ପ୍ରଶ୍ନ ନକରି ରାଜି ହୋଇ ଯାଇଥିଲେ ଏବଂ ଆପଣଙ୍କର କେବେ ରିପୋର୍ଟ ଦରକାର ବୋଲି ପଚାରିଥିଲେ। ଆମେ ଟିକେ ଶୀଘ୍ର ଦରକାର ବୋଲି କହିବାରୁ ଏଥିପାଇଁ କ’ଣ କରିବାକୁ ପଡ଼ିବ ସେ ବତାଇଥିଲେ। ଟଙ୍କା କେତେ ଲାଗିବ ବୋଲି ପଚାରିବାରୁ ସେ ୧୨ଶହ ଟଙ୍କା ଦାବି କରିଥିଲେ। ମାତ୍ର ଆମେ ହଜାରେ ଟଙ୍କାରେ ହୋଇପାରିବ କି ବୋଲି ପଚାରିବାରୁ ସେ ମାନି ନ ଥିଲେ, କହିଥିଲେ-‘ମୋର ଏଥିରେ ଟଙ୍କାଟିଏ ଲାଭ ନାହିଁ। ‌ଯିଏ ନମୁନା ପରୀକ୍ଷା କରିବ ସେ ତ ୭ଶହ ଟଙ୍କା ନେବ, ପଜିଟିଭ୍ ପେସେଣ୍ଟ ୩ଶହ ଟଙ୍କା ଓ ଯିଏ ସାମ୍ପୁଲ ନେବ ସିଏ ପୁଣି ଟଙ୍କା ନେବ… ଆଉ ମୋର ତ କିଛି ନାହିଁ।’ ଶନିବାର ରାତିରେ ତାଙ୍କୁ ଫୋନ୍‌ ପେ’ ୧୨ଶହ ଟଙ୍କା ପଠାଇଥିଲୁ। ଆଉ ଟଙ୍କା ପାଇବା ପରେ ‌ଆଜି ସେ ପଜିଟିଭ୍ ରିପୋର୍ଟ ପଠାଇ ଦେଇଥିଲେ।

ସରକାରୀ କୋଭିଡ ଡ୍ୟାସ୍‌ବୋର୍ଡରେ ମିଳିପାରୁନି କୋଭିଡ ରିପୋର୍ଟ :
କୋଭିଡ୍‌ ପରୀକ୍ଷା କରାଇଥିବା ବ୍ୟକ୍ତି ଜଣକ ନିଜର କୋଭିଡ ରିପୋର୍ଟ ସଂପର୍କିତ ତଥ୍ୟ ପାଇଁ ଓଡ଼ିଶା କୋଭିଡ ଡ୍ୟାସବୋର୍ଡରେ ବ୍ୟବସ୍ଥା କରାଯାଇଛି। ଏଥିରେ ଆର୍‌ଟି-ପିସିଆର୍‌ ନମୁନା ପାଇଁ ସଂଗ୍ରହ ସମୟରେ ଦିଆଯାଇଥିବା ଏସ୍‌ଆର୍‌ଏଫ୍‌ ଆଇଡି କିମ୍ବା ନମୁନା ପାଇଁ ପଞ୍ଜୀକୃତ ଫୋନ୍ ନମ୍ବର ଦେଇଥିଲେ ହେଁ କୌଣସି ରେକର୍ଡ ଉପଲବ୍ଧ ନ ଥିବା ଦର୍ଶାଉଛି। ଯାହାଫଳରେ ଲୋକଙ୍କ ସୁବିଧା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ଏହି ଡ୍ୟାସବୋର୍ଡଟି କୌଣସି କାମରେ ଆସୁନାହିଁ।

ସମ୍ବନ୍ଧିତ ଖବର