ନିଖୋଜ, ମୃତକଙ୍କ ନାଁରେ ନକଲି ମୃତ୍ୟୁ ପ୍ରମାଣପତ୍ର

ଗୋଳନ୍ଥରା : ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ କେଲୁଆପଲ୍ଲୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନକଲି ଜନ୍ମମୃତ୍ୟୁ ପ୍ରମାଣପତ୍ରର ରାକେଟ୍ ସକ୍ରିୟ ହୋଇଉଠିଛନ୍ତି। ସ୍ବାସ୍ଥ୍ୟ ବିଭାଗ ଓ ପ୍ରଶାସନର ଆଖିରେ ଅଙ୍ଗୁଳି ଗେଞ୍ଜି ଏହି ରାକେଟ୍ ନି‌ଖୋଜ ଓ ମୃତକଙ୍କ ନାମରେ ନକଲି ଜନ୍ମମୃତ୍ୟୁ ପ୍ରମାଣପତ୍ର ତିଆରି କରୁଛନ୍ତି। ୫୦୦୦ରୁ ୧୦ହଜାର ଟଙ୍କା ଖର୍ଚ୍ଚ କଲେ ଏହି ପ୍ରମାଣପତ୍ର ମିଳୁଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା, ବର୍ଷ ବର୍ଷ ଧରି ନିଖୋଜ ଥିବା ଏବଂ ମୃତ୍ୟୁବରଣ କରିସାରିଥିବା ବ୍ୟକ୍ତିମାନଙ୍କ ନାମରେ ବି ମୃତ୍ୟୁ ପ୍ରମାଣପତ୍ର ତିଆରି କରାଯାଉଛି। ଏନେଇ ପୂର୍ବରୁ ‘ସମ୍ବାଦ’ରେ ସବିଶେଷ ରିପୋର୍ଟ ପ୍ରକାଶ ପାଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଆଜିଯାଏ ସ୍ବାସ୍ଥ୍ୟ ବିଭାଗ ଓ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ପାଇଁ ପାଦ ଆଗକୁ ବଢ଼ାଇପାରୁନି। ଏହାକୁ ନେଇ ବର୍ତ୍ତମାନ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତିରେ କେଲୁଆପଲ୍ଲୀ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ୬୦ରୁ ୭୦ ବର୍ଷ ତଳେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମୃତ୍ୟୁ ତାରିଖକୁ ୧୯୮୧ ମସିହା ଏପ୍ରିଲ୍ ୪ ତାରିଖ ବୋଲି ଦର୍ଶାଯାଇଛି। ଆଉ ମୃତ୍ୟୁ ପ୍ରମାଣପତ୍ର ପାଇଁ ୧୯୮୧ ମସିହା ଏପ୍ରିଲ୍ ୩୦ ତାରିଖରେ ପଞ୍ଜୀକରଣ ହୋଇଥିବା ୨୦୧୯ ମସିହା ମାର୍ଚ୍ଚ ୩ ତାରିଖରେ ତାଙ୍କ ନାମରେ ମୃତ୍ୟୁ ପ୍ରମାଣପତ୍ର ଦିଆଯାଇଛି। ଖାଲି ଏତିକି ନୁହେଁ, ଗୋଳନ୍ଥରା ଥାନା ଓ ଚିକିଟି ବ୍ଲକ୍ ଅଧୀନ ସୁମାଣ୍ଡିରେ ଜଣେ ବ୍ୟକ୍ତି ଦୁର୍ଘଟଣାରେ ପ୍ରାଣ ହରାଇଥିବା ତାଙ୍କୁ କେଲୁଆପଲ୍ଲୀରେ ମୃତ୍ୟୁ ପ୍ରମାଣପତ୍ର ମିଳୁଛି। ଏସମସ୍ତ ନକଲି ପ୍ରମାଣପତ୍ରର କପି ‘ସମ୍ବାଦ’ର ହସ୍ତଗତ ହୋଇଛି।

କେବଳ ଗୋଟିଏ କି ଦୁଇଟି ନ‌ୁହେଁ, ଏଭଳି ଶତାଧିକ ଜାଲ୍ ପ୍ରମାଣପତ୍ର ଲୋକଙ୍କୁ ଦିଆଯାଇଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା, ଜମିଜମା ପଞ୍ଜୀକରଣ ଲାଗି ଏହି ପ୍ରମାଣପତ୍ର ବର୍ତ୍ତମାନ ବ୍ୟବହାର କରାଯାଉଛି। ବିଗତ ୭ ବର୍ଷ ଭିତରେ ଜାଲ୍ ମୃତ୍ୟୁ ପ୍ରମାଣପତ୍ର ମାଧ୍ୟମରେ କନିଷି ଉପନିବନ୍ଧକଙ୍କ ଅଫିସରେ କେତେ ଜମିଜମା କିଣାବିକା ହୋଇଛି, ତାହାର ତଦନ୍ତ କଲେ ପ୍ରକୃତ ରହସ୍ୟ ପଦାକୁ ଆସିପାରିବ। ଫଳରେ କେଲୁଆପଲ୍ଲୀ ସ୍ୱାସ୍ଥ୍ୟକେନ୍ଦ୍ରର ମୋହର ଲାଗି ମିଳିଥିବା ସମସ୍ତ ଜାଲ୍ ପ୍ରମାଣପତ୍ରକୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି ହୋଇଛି। କାରଣ ଏହି ଜାଲ ପ୍ରମାଣପତ୍ର ମାଧ୍ୟମରେ ଜମି ମାଫିଆ ବର୍ତ୍ତମାନ ମାଲାମାଲ୍ ହେଉଛନ୍ତି।

ସମ୍ବନ୍ଧିତ ଖବର