ଧରାପଡ଼ିଲେ ନକଲି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ: ୨୮ ଜଣଙ୍କ ନାମଲେଖା ବାତିଲ୍‌

ଭୁବନେଶ୍ବର: ନକଲି ଦିବ୍ୟାଙ୍ଗ ସାର୍ଟିଫିକେଟ୍‌ ଦାଖଲ କରି ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟରେ ନାମ ଲେଖାଇଥିବା ୨୮ ଜଣ ଛାତ୍ରଛାତ୍ରୀ ଚିହ୍ନଟ ହୋଇଛନ୍ତି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଖୋଳତା‌ଡ଼ ପରେ ୨୦୧୯-୨୦, ୨୦୨୦-୨୧ ଓ ୨୦୨୧-୨୨ ଶିକ୍ଷାବର୍ଷରେ ୨୮ ଜଣ ନକଲି ଦିବ୍ୟାଙ୍ଗ ସାର୍ଟିଫିକେଟ୍‌ ଦାଖଲ କରି ନାମ ଲେଖାଇଥିବା ଜଣାପଡ଼ିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଉକ୍ତ ୨୮ ଜଣ ଛାତ୍ରଛାତ୍ରୀଙ୍କ ନାମଲେଖା ବାତିଲ୍‌ କରିଛି ବିଭାଗ। ଏଥିସହ ସାମ୍‌ସ ୱେବସାଇଟ୍‌ରେ ଅପ୍‌ଡେଟ୍‌ କରିବାକୁ ବିଭାଗୀୟ ଉପନିର୍ଦେଶକ ରାଜେଶ କୁମାର ସାହୁ ଆଜି ଓକାକ୍‌ ଏମ୍‌ଡିଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ୨୮ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୦୧୯-୨୦ରେ ଦୁଇ ଜଣ ନକଲି ସାର୍ଟିଫିକେଟ୍‌ ଦାଖଲ କରିଥିବା ବେଳେ ୨୦୨୦-୨୧ରେ ୯ ଓ ୨୦୨୧-୨୨ରେ ସର୍ବାଧିକ ୧୭ ଜଣ ରହିଛନ୍ତି।
ସୂଚନାଯୋଗ୍ୟ, ନକଲି ସାର୍ଟିଫିକେଟ୍‌ରେ ନାମଲେଖା ହୋଇଥିବା ନେଇ ଅଭିଯୋଗ ପରେ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ଘଟଣାର ତଦନ୍ତ କରାଯାଇଥିଲା। ତଦନ୍ତ ରିପୋର୍ଟ ଆସିବା ପରେ ଦୋଷୀ ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏଥିସହ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ଓ ସେଲ୍ଫ ଫାଇନାନ୍ସିଂ କଲେଜରେ ପଢ଼ୁଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଦିବ୍ୟାଙ୍ଗ ସା‌ର୍ଟିଫିକେଟ୍‌ ଯାଞ୍ଚ କରିବାକୁ ବିଭାଗୀୟ ସଚିବ ଶାଶ୍ବତ ମିଶ୍ର ଗତ ମାସରେ କଲେଜ ଅଧ୍ୟକ୍ଷମାନଙ୍କୁ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର