ନକଲି ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଗୁମର ଖୋଲୁଛି

ଭୁବନେଶ୍ବର: ଭଦ୍ରକ ପରେ ‌ଭୁବନେଶ୍ବରରେ ଖୋଲୁଛି ନକଲି ଦିବ୍ୟାଙ୍ଗ ସାର୍ଟିଫିକେଟ୍‌ ଛାତ୍ରଛାତ୍ରୀଙ୍କ ଗୁମର। ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ୮ ଜଣ ଛାତ୍ରଛାତ୍ରୀଙ୍କ ପରେ ରାଜଧାନୀ ମହାବିଦ୍ୟାଳୟରୁ ୬ ଜଣ ଧରାପଡ଼ିଛନ୍ତି। କଲେଜ କର୍ତୃପକ୍ଷ ଏନେଇ ଥାନାରେ ଉକ୍ତ ଛାତ୍ରଛାତ୍ରୀଙ୍କ ବିରୋଧରେ ଏତଲା ଦେବା ପରେ ଘଟଣା ଲୋକଲୋଚନକୁ ଆସିଛି। ଜାନୁଆରିରୁ ଏପର୍ଯ୍ୟନ୍ତ ରାଜ୍ୟର ୩ଟି ପ୍ରମୁଖ ଶିକ୍ଷାନୁଷ୍ଠାନରୁ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଉଚ୍ଚଶିକ୍ଷା ବିଭାଗର ନିଦ ହଜିଯାଇଛି। ଏହାବାଦ୍‌ ବ୍ରହ୍ମପୁରରେ ମଧ୍ୟ ନକଲି ଦିବ୍ୟାଙ୍ଗ ସାର୍ଟିଫିକେଟ୍‌ ରୢାକେଟ୍‌ କାମ କରୁଥିବା ନେଇ ଅଭିଯୋଗ ଆସିଛି। ବ୍ରହ୍ମପୁରର ଦୁଇଟି ପ୍ରମୁଖ କଲେଜର ତିନି ଜଣ ପିଲା ନକଲି ଦିବ୍ୟାଙ୍ଗ ସାର୍ଟିଫିକେଟ୍‌ ଦାଖଲ କରି ୨୦୨୧ରୁ ୨୦୨୩ ମଧ୍ୟରେ ନାମ ଲେଖାଇଥିବା ଜଣାପଡ଼ିବା ପରେ ଘଟଣାର ସତ୍ୟାସତ୍ୟ ଯାଞ୍ଚ କରିବାକୁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଉକ୍ତ ତିନି ଜଣଙ୍କ ମଧ୍ୟରେ ଦୁଇ ଜଣ ଅନ୍ଧତ୍ବ ସାର୍ଟିଫିକେଟ୍‌ ଦାଖଲ କରିଥିବା ବେଳେ ଜଣେ ଦୁର୍ଘଟଣାରେ ଦିବ୍ୟାଙ୍ଗ ହୋଇଥିବା ଦର୍ଶାଇଛନ୍ତି। ତେଣୁ ସେମାନଙ୍କ ଦିବ୍ୟାଙ୍ଗ ସାର୍ଟିଫିକେଟ୍‌ ଯାଞ୍ଚ କରିବାକୁ ଏମ୍‌କେସିଜି ମେଡିକାଲ କର୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି।

ଏହାପଛରେ ଏକ ବଡ଼ଧରଣର ରୢାକେଟ କାର୍ଯ୍ୟ କରୁଥିବା ନେଇ ଆଶଙ୍କା ପ୍ରକାଶ ପାଇଛି। କିଏ କେଉଁଠୁ ଏହି ରୢାକେଟ୍‌ ଚଲାଉଛି ସେନେଇ କାହା ପାଖରେ ଖବର ନାହିଁ। କଲେଜ କର୍ତୃପକ୍ଷ ପିଲାଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ମାତ୍ର ପୁଲିସକୁ ଆଜି ପର୍ଯ୍ୟନ୍ତ ସେଭଳି ବଡ଼ଧରଣର ସଫଳତା ମିଳିପାରି ନାହିଁ। ଭଦ୍ରକ ଓ ବିଜେବି କଲେଜରେ ଧରାପଡ଼ିଥିବା ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ସେମାନଙ୍କ ନାମଲେଖାକୁ ବାତିଲ୍‌ କରିଛି ଉଚ୍ଚଶିକ୍ଷା ବିଭାଗ। ନକଲି ଦିବ୍ୟାଙ୍ଗ ସାର୍ଟିଫିକେଟ୍‌ ପ୍ରସ୍ତୁତ କରି ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦେଉଥିବା ଅଭିଯୋଗରେ କିଛି ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି ସତ। ମାତ୍ର ରୢାକେଟ୍‌ର ପର୍ଦ୍ଦାଫାସ୍‌ କରିବାରେ ସଫଳ ହୋଇନି। ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ ଏହି ରୢାକେଟ୍‌ କାମ କରୁ ଥିବା ନେଇ ସନ୍ଦେହ ପ୍ରକାଶ ପାଇଛି। ଏତେ ବଡ଼ ଷଡ଼ଯନ୍ତ୍ର ପଛରେ ଥିବା ମାଷ୍ଟରମାଇଣ୍ତକୁ ଧରିବାରେ ପୁଲିସ କେବେ ସକ୍ଷମ ହେବ ତାହାକୁ ନେଇ ପ୍ରଶ୍ନ ଉଠିଛି।

ରାଜ୍ୟର ୩ଟି ବଡ଼ କଲେଜରୁ ଏପର୍ଯ୍ୟନ୍ତ ୪୨ ଜଣ ଧରାପଡ଼ିବା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଏହା ଉପରେ ଅଧିକ ତନାଘନା କରିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ଯେ କେହି ବି ହୁଅନ୍ତୁ ନା କାହିଁକି ଯଦି ଜାଲ ସାର୍ଟିଫିକେଟ୍‌ ଦାଖଲ କରି କେହି ନାମ ଲେଖାଇଛନ୍ତି ତା’ହେଲେ ଆଇନ ଅନୁଯାୟୀ ସେ ଦଣ୍ଡିତ ହେବେ। ନାମଲେଖା ରଦ୍ଦ ହେବା ସହ ସେମାନଙ୍କୁ ଜେଲ୍‌ ଦଣ୍ଡ ବି ହୋଇପାରେ। କଲେଜ ଅଧ୍ୟକ୍ଷମାନେ ଏହା ଉପରେ ଗୁରୁତ୍ବ ଦେବା ସହ କୌଣସି ସ୍ଥାନରେ ଏଭଳି ହୋଇଥିବା ନେଇ ଯଦି ସୂଚନା ମିଳେ ତେବେ ତୁରନ୍ତ ବିଭାଗ ଦୃଷ୍ଟି ଆକର୍ଷଣ କରିବା ସହ ‌ନିକଟସ୍ଥ ଥାନାରେ ଏତଲା ଦେବାକୁ ନିର୍ଦେଶ ଦିଆଯାଇଛି। ବେଆଇନ କାର୍ଯ୍ୟକୁ କୌଣସି ପ୍ରକାରେ ବରଦାସ୍ତ କରାଯିବ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ସେପଟେ ଆସନ୍ତା ମେ’ ୨ ତାରିଖରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ସାହୁଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା କଲେଜ ଅଧ୍ୟକ୍ଷମାନଙ୍କ ବୈଠକରେ ଏହା ଉପରେ ଆଲୋଚନା ହେବ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର