ଭୁବନେଶ୍ୱର: ଡାକ୍ତର ପରିଚୟ ଦେଇ ୧୪ଜଣ ମହିଳାଙ୍କୁ ବିବାହ କରିଥିବା ରମେଶ ଚନ୍ଦ୍ର ସ୍ବାଇଁ ଓରଫ ଡକ୍ଟର ବିଭୁ ପ୍ରକାଶ ସ୍ବାଇଁ ଜଣେ ଠକକୁ ମହିଳା ଥାନା ପୁଲିସ ଗିରଫ କରିଛି। ଏନେଇ ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ତାଙ୍କର ସୂଚନା ଅନୁଯାୟୀ, କମିସନରେଟ୍ ପୁଲିସ ଦିଲ୍ଲୀର ଜଣେ ସ୍କୁଲ ଶିକ୍ଷୟତ୍ରୀ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଥିଲେ ଯେ ନିମ୍ନ ଅଭିଯୁକ୍ତ ତାଙ୍କୁ ଗତ ୨୦୧୮ ମସିହାରେ ନୂଆଦିଲ୍ଲୀର ଆର୍ଯ୍ୟ ସମାଜ ମଣ୍ଡଳ, ଜନକପୁରୀରେ ବିବାହ କରିଥିଲେ ଏବଂ ବିବାହ ପରେ ତାଙ୍କୁ କିଛିଦିନ ପାଇଁ ଭୁବନେଶ୍ୱର ଆଣି ରଖିଥିଲେ। ପରେ ସେ ଜାଣିବାକୁ ପାଇଥିଲେ ଯେ ସେହି ବ୍ୟକ୍ତି ଜଣକ ତାଙ୍କୁ ନିଜର ମିଥ୍ୟା ପରିଚୟ ଦେଇଛନ୍ତି ଏବଂ ଏହା ପୂର୍ବରୁ ଅନେକ ମହିଳାଙ୍କୁ ମଧ୍ୟ ସେ ବିବାହ କରିଛନ୍ତି। ତେଣୁ ସେ ମହିଳା ଥାନାରେ ଏତଲା ଦାଏର କରିଥିଲେ।

Advertisment

publive-image

ଏହି ତଥ୍ୟ ଆଧାରରେ ଅଭିଯୁକ୍ତକୁ ଗିରଫ କରିବା ପାଇଁ ସ୍ପେସାଲ ସ୍କ୍ବାଡ୍ ସହାୟତାରେ ଟିମ ଗଠନ କରାଯାଇ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ଖଣ୍ଡଗିରିର ଏକ ଭଡାଘରରୁ କାବୁ କରାଯାଇ ଗିରଫ କରାଯାଇଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ। ସୂଚନଯୋଗ୍ୟ ଯେ, ଅଭିଯୁକ୍ତ କୌଣସି ଗୋଟିଏ ସ୍ଥାନରେ ନ ରହି ଦେଶର ବିଭିନ୍ନ ସ୍ଥାନକୁ ଯାଉଥିଲେ ଏବଂ ଅଧିକାଂଶ ସମୟରେ ଗୁଆହାଟୀ (ଆସାମ)ରେ ଅନ୍ୟ ଜଣେ ପତ୍ନୀଙ୍କ ସହ ରହୁଥିଲେ।

ଅଭିଯୁକ୍ତ ଜଣକ ନିଜକୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ବିଭାଗର ଡେପୁଟି ଡାଇରେକ୍ଟର ଜେନେରାଲ୍ ଭାବରେ ପରିଚୟ ଦେବା ସହ ନିଜକୁ ଅବିବାହିତ ବୋଲି ପରିଚୟ ଦେଇ ବିଭିନ୍ନ ମାଟ୍ରିମୋନିଆଲ୍ ସାଇଟରେ ବିଭିନ୍ନ ପରିଚୟରେ ତାଙ୍କର ବାୟୋଡାଟା ପୋଷ୍ଟ କରୁଥିଲେ। ସେ ମୁଖ୍ୟତଃ ଅଧିକ ବୟସର ଏକାକୀ ରହୁଥିବା କର୍ମଜୀବୀ ମହିଳାମାନଙ୍କୁ ଟାର୍ଗେଟ କରୁଥିଲେ। ତାଙ୍କର ମୂଳ ଉଦ୍ଦେଶ୍ୟ ଥିଲା ନିଜର ଲାଭ ପାଇଁ ସେମାନଙ୍କର ପଇସା ହଡପ କରିବା ଅଭିଯୁକ୍ତଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ପ୍ରକ୍ରିୟାରେ ୧୯୮୨ ମସିହାରୁ ଆଜି ପର୍ଯ୍ୟନ୍ତ ସେ ୧୪ ଜଣ ମହିଳାଙ୍କୁ ବିବାହ କରିଛନ୍ତି ଯେଉଁଥିରୁ କମିସନରେଟ ପୁଲିସ୍ ୯ ଜଣ ମହିଳାଙ୍କୁ ସମ୍ପର୍କ କରିଛି ଏବଂ ଏ ସମ୍ପର୍କରେ ଅଧିକ ଅନୁସନ୍ଧାନ ଚାଲିଛି।
ଅଭିଯୁକ୍ତ ଜଣକ କେନ୍ଦ୍ରାପଡ଼ା କଲେଜରୁ ତାଙ୍କର ଯୁକ୍ତ ଦୁଇ ବିଜ୍ଞାନ ଶିକ୍ଷା ସମାପ୍ତ କରିବା ପରେ ସେ କୋଚିନ ଇନଷ୍ଟିଚ୍ୟୁଟରେ ପାରା ମେଡିକାଲ୍ ଏବଂ ଲାବୋରେଟୋରୀ ଟେକ୍ନୋଲୋଜି ଏବଂ ଫାର୍ମାସି ବିଭାଗରେ ଶିକ୍ଷାଲାଭ କରିଥିଲେ। ସେ ଅଲଟରନେଟିଭ୍ ସିଷ୍ଟମ ଅଫ୍ ମେଡିସିନ୍, କୋଲକାତାରୁ ସ୍ନାତକୋତ୍ତର ଡିଗ୍ରି ଓ ଏମଡି ଶିକ୍ଷାଲାଭ କରିଛନ୍ତି ବୋଲି ପୁଲିସ ଜେରା ବେଳେ ସ୍ଵୀକାର କରିଛନ୍ତି, ଯାହାକୁ ଭବିଷ୍ୟତରେ ଯାଞ୍ଚ କରାଯିବ।
ସେ ୧୯୮୨ ମସିହାରୁ ୨୦୦୨ ମସିହା ମଧ୍ୟରେ ଦୁଇ ଜଣ ମହିଳାଙ୍କୁ ବିବାହ କରିଥିଲେ। ତାପରେ ୨୦୦୨ ମସିହାରୁ ୨୦୨୦ ମସିହା ମଧ୍ୟରେ ସେ ଆହୁରି ୧୨ ଜଣ ମହିଳାଙ୍କୁ ବିବାହ କରିଥିଲେ ଏବଂ ସେମାନଙ୍କଠାରୁ ସେମାନଙ୍କର ମୂଲ୍ୟବାନ ସାମଗ୍ରୀ ଏବଂ ଟଙ୍କା ଠକି ନେଇଯାଇଥିଲେ। ସେ ପଞ୍ଜାବର ସିଏପିଏଫର ଜନୈକା ଅଧିକାରୀଙ୍କୁ ବିବାହ କରିଥିଲେ ଏବଂ ତାଙ୍କଠାରୁ ୧୦ଲକ୍ଷ ଟଙ୍କା ନେଇଥିଲେ ଏବଂ ଏକ ଗୁରୁଦ୍ୱାର ନାମରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଅନୁମତି ପ୍ରଦାନ କରିବା ନିମନ୍ତେ ଗୁରୁଦ୍ୱାରରୁ ୧୧ ଲକ୍ଷ ଟଙ୍କା ମଧ୍ୟ ଠକି ନେଇଥିଲେ।

publive-image
ଗଣମାଧ୍ୟମରେ ଉପଲବ୍ଧ ତଥ୍ୟ ଅନୁଯାୟୀ, ଏସବିଆଇ, କୋଚି ସମେତ ୧୩ଟି ବ୍ୟାଙ୍କରେ ୧୨୮ଟି ଜାଲ୍ କ୍ରେଡିଟ୍ କାର୍ଡ, ଜାଲ୍ ପରିଚୟ ପତ୍ର ଏବଂ ଦରମା ପ୍ରମାଣପତ୍ର ଦେଇ ଠକାମି କରି ଋଣ ନେଇ ଗିରଫ ହୋଇଥିଲେ। ସେ ନିଜକୁ ଭାରତ ସରକାରଙ୍କର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଜଣେ ଉଚ୍ଚ ପଦାଧିକାରୀ ଭାବରେ ନିଜର ପରିଚୟ ଦେଇଥିଲେ। ପୁନର୍ବାର ସେ ଅନେକ ବେକାର ଯୁବକ ଏବଂ ଏମବିବିଏସ୍ ଆଶାୟୀ ଛାତ୍ରଙ୍କୁ ନିଜକୁ ଭାରତ ସରକାରଙ୍କର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଡେପୁଟି ଡାଇରେକ୍ଟର ଜେନେରାଲ୍ ଭାବରେ ପରିଚିତ କରାଇ ଆଡମିସନ ଏବଂ ଚାକିରି କରାଇବା ନାମରେ ସେମାନଙ୍କଠାରୁ ୨ କୋଟି ଟଙ୍କା ହଡ଼ପ କରିବା ଅପରାଧରେ ହାଇଦ୍ରାବାଦ ଟାସ୍କ ଫୋର୍ସ ଦ୍ଵାରା ଗିରଫ ହୋଇଥିଲେ।
ଅଧିକ ଅନୁସନ୍ଧାନ ପାଇଁ ତାଙ୍କୁ ପୁଲିସ ରିମାଣ୍ଡରେ ଅଣାଯିବାପାଇଁ ପଦକ୍ଷେପ ନିଆଯାଉଛି।