ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ଅଞ୍ଚଳରୁ ପୁଲିସ ଶନିବାର ଦୁଇଜଣ ନକଲି ଡାକ୍ତରଙ୍କୁ ଗିରଫ କରିଛି। ସେଦୁହେଁ ହେଲେ ପଶ୍ଚିମବଙ୍ଗର ସୁପ୍ରକାଶ ରାଏ ଓ ପବିତ୍ର ବିଶ୍ୱାସ। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ପୁଲିସର ସୂଚନା ଅନୁସାରେ, ଖପ୍ରାଖୋଲ ବ୍ଲକ୍‌ ଅଞ୍ଚଳରେ ନକଲି ଡାକ୍ତରମାନେ ଚିକିତ୍ସା କରୁଥିବା ସଂର୍ପକରେ କୌଣସି ସୂତ୍ରରୁ ଖବର ପାଇ ଏସ୍‌ପି ଋଷିକେଶ ଖିଲାରୀ ଚଢ଼ଉ ନିର୍ଦେଶ ଦେଇଥିଲେ।

Advertisment

ପୁଲିସ ତଦନ୍ତ କରି ଭାନପୁର ପଞ୍ଚାୟତ ଝାଙ୍କରପାଲି ଗାଁରୁ ସୁପ୍ରକାଶ ରାଏ ଓ ନାନ୍ଦୁପଲା ଗାଁରୁ ପବିତ୍ର ବିଶ୍ୱାସକୁ ଗିରଫ କରିଥିଲା। ଏହି ଦୁଇଜଣଙ୍କ ନିକଟରେ ଡାକ୍ତରୀ ପାଠ ପଢ଼ିଥିବା କୌଣସି ପ୍ରମାଣପତ୍ର ନାହିଁ। ତଥାପି ନିଜକୁ ଡାକ୍ତର ବୋଲି ପରିଚୟ ଦେଇ ଉଭୟେ ଲୋକଙ୍କ ଚିକିତ୍ସା କରୁଥିଲେ। ସେମାନଙ୍କ ନିକଟରୁ ପୁଲିସ ବିଭିନ୍ନ ପ୍ରକାରର ଔଷଧ ଜବତ କରିଛି। ଖପ୍ରାଖୋଲ ଥାନା କେସ୍‌ ନଂ ୧୦୫/୨୦୨୩ରେ ଉଭୟ ଅଭିଯୁକ୍ତଙ୍କୁ ପୁଲିସ ଗିରପ କରି କୋର୍ଟଚାଲାଣ କରିଥିବା ଥାନାଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି।