କଟକ: ନକଲି ଡାକ୍ତରଙ୍କ ଯୋଗୁ ରାଜ୍ୟରେ ନିରୀହ ଲୋକ ଯେପରି ହଇରାଣ ନ ହୁଅନ୍ତି, ସେ ଦିଗରେ ଦୃଢ଼ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ବୈଧ ଡିଗ୍ରି ଅଥବା ପ୍ରମାଣପତ୍ର ନ ଥାଇ ଜଣେ ବ୍ୟକ୍ତି ନିଜକୁ ଡାକ୍ତର ବୋଲି ଦର୍ଶାଇ କାର୍ଯ୍ୟ କରିବା ଏକ ଫୌଜଦାରୀ ଅପରାଧ। କିନ୍ତୁ ଏଭଳି ଘଟଣାକୁ ନେଇ ମାମଲା ରୁଜୁ ହୋଇଛି କି ନାହିଁ, ସେ ସଂପର୍କରେ ଅବଗତ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ସମୟରେ ଓଡ଼ିଶା କାଉନସିଲ ଅଫ୍ ମେଡିକାଲ ରେଜିଷ୍ଟ୍ରେସନ(ଓସିଏମ୍ଆର) ସଭାପତି ବ୍ୟକ୍ତିଗତ ଭାବେ ହାଜର ହେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନକଲି ଡାକ୍ତରଙ୍କ ଯୋଗୁଁ ସୃଷ୍ଟି ହେଉଥିବା ବିପଦର କିଭଳି ମୁକାବିଲା କରାଯିବ, ସେ ପ୍ରସଂଗରେ ଓସିଏମଆର ସଭାପତି ମତ ରଖିବେ ବୋଲି ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।
ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ଆମିକସ୍ କ୍ୟୁରି ଦର୍ଶାଇଥିଲେ ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ସତ୍ୟପାଠ ଅନୁଯାୟୀ ରାଜ୍ୟରେ ସରକାରୀ ତଥା ପଂଜୀକୃତ ବେସରକାରୀ ଅନୁଷ୍ଠାନରେ କାର୍ଯ୍ୟରତ ସମସ୍ତ ଏଲୋପାଥିକ ଡାକ୍ତରଙ୍କ ପଞ୍ଜୀକରଣ, ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ କାର୍ଯ୍ୟ ଶେଷ ହୋଇଛି। ସେଥିରେ କୌଣସି ଜାଲ୍ ପ୍ରମାଣପତ୍ର ଘଟଣା ସାମନାକୁ ଆସିନାହିଁ। କିନ୍ତୁ ରାଜ୍ୟର ବିଭିନ୍ନ ସ୍ଥାନରେ ନିଜକୁ ଡାକ୍ତର ବୋଲାଇ କ୍ୱାକ ଓ କେତେକ ବିନା ଡିଗ୍ରିଧାରୀ ବ୍ୟକ୍ତି ଉଭୟ ଏଲୋପାଥି ଓ ହୋମିଓପାଥି ଚିକିତ୍ସା ଚଳାଇ ଆସୁଛନ୍ତି। ନକଲି ଡାକ୍ତରଙ୍କ ଚିହ୍ନଟ ପାଇଁ ସବୁ ଡାକ୍ତରଙ୍କ ଅନ୍ ଲାଇନ ଡାଟାବେସ୍ ପ୍ରସ୍ତୁତ କରାଯିବାର ଆବଶ୍ୟକତା ରହିଛି। ଅନ୍ ଲାଇନ ଡାଟା ବେସରେ ଉପଲବ୍ଧ ତଥ୍ୟକୁ ସାଧାରଣ ଲୋକ ଦେଖି ଡାକ୍ତରୀ ପେସାରେ ଥିବା ବ୍ୟକ୍ତିଙ୍କ ସତ୍ୟାସତ୍ୟ ଯାଞ୍ଚ କରି ପାରିବେ। ସେହିଭଳି ପୂର୍ବରୁ ନକଲି ଡାକ୍ତରଙ୍କୁ ଚିହ୍ନଟ କରିବାକୁ କଣ କୌଶଳ ରହିଛି ଓ ରାଜ୍ୟରେ ଏପରି କିଛି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି କି ନାହିଁ ସେ ନେଇ ଅବଗତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଯଦି ଏଭଳି କିଛି ବ୍ୟବସ୍ଥା ନାହିଁ ତେବେ ରାଜ୍ୟ ସରକାର ଏହି ପ୍ରସଂଗରେ ନୂଆ କୌଶଳ ଆରମ୍ଭ କରିବା ପାଇଁ ଚିନ୍ତା କରୁଛନ୍ତି କି ନାହିଁ ସେ ନେଇ ସତ୍ୟପାଠରେ ସ୍ପଷ୍ଟ କରିବାକୁ ହାଇକୋର୍ଟ କହିଥିଲେ। କିନ୍ତୁ ରାଜ୍ୟ ସରକାରଙ୍କ ତରଫରୁ ଦାଖଲ ସତ୍ୟପାଠରେ ଏହି ପ୍ରସଂଗରେ କୌଣସି ତଥ୍ୟ ଉଲ୍ଲେଖ କରାଯାଇ ନାହିଁ ବୋଲି ଆମିକସ୍ କ୍ୟୁରି ଦର୍ଶାଇଥିଲେ।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ରୋଗୀ ଚିକିତ୍ସା କରୁଥିବା ଡାକ୍ତରଙ୍କ ମଧ୍ୟରୁ ୫୧ ପ୍ରତିଶତଙ୍କ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ନଥିବା ବିଶ୍ବବ୍ୟାଙ୍କ ସର୍ଭେ ରିପୋର୍ଟରୁ ଜଣାପଡିଥିଲା। ଫଳରେ ରାଜ୍ୟରେ ଡାକ୍ତରୀ ପେସାରେ ଥିବା ସବୁ ଡାକ୍ତରଙ୍କ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ରହିଛି କି ନାହିଁ ତାହା ଯାଞ୍ଚ କରିବାକୁ ହାଇକୋର୍ଟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ୨୦୨୨, ଡିସେମ୍ବର ୨୧ରେ ନିର୍ଦ୍ଦେଶ ଦେଇଥିଲେ। ଆମିକସ୍ କ୍ୟୁରି ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ର ଏହି ମାମଲା ପରିଚାଳନା କରୁଛନ୍ତି।