ବ୍ରହ୍ମପୁର : ଏମ୍‌କେସିଜି ବଡ଼ ଡାକ୍ତରଖାନାରେ ନକଲି ଡାକ୍ତର! ବେକରେ ପକାଇଥିବା ପରିଚୟ ପତ୍ରରେ ଉଲ୍ଲେଖ ହୋଇଛି ଡା.ଦୀପକ କୁମାର ନାହାକ, ଏମ୍‌କେସିଜି ମେଡିକାଲ୍‌ କଲେଜ। ବଡ଼ ଡାକ୍ତରଖାନା ପରିସରରେ ଏହି ନକଲି ଡାକ୍ତରଙ୍କୁ କର୍ମଚାରୀମାନେ କାବୁ କରି ପୁଲିସ୍‌ ଜିମା ଦେଇଛନ୍ତି।

Advertisment

ହସ୍ତଗତ ସୂଚନା ଅନୁସାରେ, ଶୁକ୍ରବାର ମଧ୍ୟାହ୍ନରେ ଦୀପକ ନାମଧାରୀ ଏହି ଯୁବକ ଜଣକ ଅସ୍ଥିଶଲ୍ୟ ବିଭାଗକୁ ଯାଇଥିଲେ। ସନ୍ଦେହ ହେବାରୁ ସେଠାରେ କାର୍ଯ୍ୟରତ ସୁରକ୍ଷା କର୍ମଚାରୀମାନେ ତାଙ୍କୁ ଅଟକାଇଥିଲେ। ଫଳରେ, ସମ୍ପୃକ୍ତ ଯୁବକ ଓ ସୁରକ୍ଷା କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ଦୀପକ ନିଜକୁ ଡାକ୍ତର ଓ ଓପିଡି ସୁପର୍‌ଭାଇଜର୍‌ ବୋଲି ପରିଚୟପତ୍ର ଦେଖାଇ ସୁରକ୍ଷା କର୍ମୀଙ୍କୁ ଧମକଚମକ ଦେଇଥିଲେ। ଏହି ଘଟଣା ପ୍ରଚାରିତ ହେବାପରେ ସେଠାରେ କର୍ମଚାରୀଙ୍କ ଭିଡ଼ ଜମି ଯାଇଥିଲା। ଦୀପକ ଏମ୍‌କେସିଜି ବଡ଼ ଡାକ୍ତରଖାନାର କର୍ମଚାରୀ ନୁହନ୍ତି ବୋଲି ଅଧୀକ୍ଷକ ପ୍ରଫେସର ଡା. ସନ୍ତୋଷ କୁମାର ମିଶ୍ର ସ୍ପଷ୍ଟ କରିବା ପରେ କର୍ମଚାରୀମାନେ ତାଙ୍କୁ କାବୁ କରି ପୁଲିସ ଜିମା ଦେଇଥିଲେ।

ତଦନ୍ତ ପ‌ରେ ପୁଲିସକୁ ହସ୍ତଗତ ତଥ୍ୟ ଅନୁସାରେ, ଦୀପକଙ୍କ ଘର ପାଟପୁର ଥାନା ଆମ୍ବଠା ଗାଁ। ସେ ବ୍ରହ୍ମପୁରରେ ଏକ ଘରୋଇ କଲେଜରେ ପାଠ ପଢ଼ୁଥିବା ତଦନ୍ତରୁ ଜଣା ପଡ଼ିଛି।