ସୁନ୍ଦରଗଡ଼: ଜାଲ୍ ଡାକ୍ତରୀ ସାର୍ଟିଫିକେଟ୍ ଦେଇ ବାବୁ ବନିଥିଲେ ଡାକ୍ତର। ନିଯୁକ୍ତି ପାଇଥିଲେ ସରକାରୀ ଡାକ୍ତରଖାନାରେ। ଶୁକ୍ରବାର ସୁନ୍ଦରଗଡ଼ ଫାଷ୍ଟ କ୍ଲାସ୍ କୋର୍ଟ ଏହି ନକଲି ଡାକ୍ତରଙ୍କୁ ସଜା ଶୁଣାଇଛନ୍ତି। ୫ ବର୍ଷ ଜେଲ ଦଣ୍ଡ ସହ ୬ ହଜାର ଟଙ୍କା ଜରିମାନା ଆଦେଶ ହୋଇଛି। ଜରିମାନା ରାଶି ଅନାଦେୟରେ ଜେଲଦଣ୍ଡ ଅଧିକ ୨ ମାସ ବୃଦ୍ଧି ହେବ ବୋଲି କୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି।
ନକଲି ଡାକ୍ତର ଜଣକ ହେଲେ ପଦ୍ମନାଭ ମୁଖି କରୁଆ। ଘର ଝାଡ଼ଖଣ୍ଡ ରାଜ୍ୟ ରାଜନଗର ଥାନା ଅନ୍ତର୍ଗତ ତିଆସରା ଗାଁ। ସେ ଏମବିବିଏସ ଡିଗ୍ରି ସାର୍ଟିଫିକେଟ୍ ଦାଖଲ କରି ହାତୀବାରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ନୂଆଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ୨୦.୭. ୨୦୧୬ରେ ଚୁକ୍ତିଭିତ୍ତିକ ଡାକ୍ତର ଭାବେ ନିଯୁକ୍ତି ପାଇଥିଲେ। ତିନି ବର୍ଷ ଚାକିରି କଲା ପରେ ସେ ନକଲି ଡାକ୍ତର ବୋଲି ଅଭିଯୋଗ ହୋଇଥିଲା। ତାକୁ ଆଧାର କରି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତଦନ୍ତ କରିଥିଲେ। ନିଯୁକ୍ତି ସମୟରେ ସେ ଦାଖଲ କରିଥିବା ବୁର୍ଲା ବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟର ଏମ୍ବିବିଏସ ଡିଗ୍ରି ନକଲି ବୋଲି ତଦନ୍ତ ବେଳେ ଜଣାପଡିଥିଲା।
ବୁର୍ଲା ଭୀମସାରରେ ପଦ୍ମନାଭ ମୁଖି କରୁଆ ନାମକ ବ୍ୟକ୍ତି ଏମ୍ବିବିଏସ୍ ପଢ଼ି ନଥିବା କର୍ତ୍ତୃପକ୍ଷ ରିପୋର୍ଟ ଦେଇଥିଲେ। ବ୍ୟକ୍ତି ଜଣକ ଏପ୍ରିଲ ୨୦୦୨ରେ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ସ୍ନାତକଡିଗ୍ରି ପାଇଥିବା ଜଣାପଡ଼ିଥିଲା। ଏହାପରେ ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ସରୋଜ କୁମାର ମିଶ୍ର ୧୨.୧୧.୨୦୧୯ରେ ନକଲି ଡାକ୍ତର ଶ୍ରୀ କରୁଆଙ୍କ ନାମରେ ଟାଉନଥାନାରେ ଏତଲା ଦେଇଥିଲେ। ସେହି ସମୟରେ ପୁଲିସ ତାଙ୍କୁ ଗିରଫ କରିଥିଲା। ସୁନ୍ଦରଗଡ଼ ଫାଷ୍ଟ କ୍ଲାସ କୋର୍ଟରେ ଏହି ମାମଲାର ବିଚାର ଚାଲିଥିବାବେଳେ ୧୨.୪. ୨୦୨୨ରେ ଜବାବ ସୁଆଲ ହୋଇଥିଲା। ଏହା ପରେ କୋର୍ଟ ଶୁଣାଣି କରି ରାୟ ସଂରକ୍ଷିତ ରଖି ୨୨.୪.୨୦୨୨ରେ ଏହି ସଜା ଶୁଣାଇଥିଲେ।