ନକଲି ଡାକ୍ତରର କଳା ସାମ୍ରାଜ୍ୟ ଛାରଖାର, ଭଉଣୀ ସହିତ ଜେଲ୍‌ଗଲେ ରମେଶ

ମୁହାଁମୁହିଁ ଜେରାରେ ଖୋଲିଲା ଗୁମର
ଦ୍ବିତୀୟ ପତ୍ନୀଙ୍କ ନାଁରେ ଥିବା ଫାର୍ମ ହାଉସ ସିଲ୍
ଲାଗିଥିବା ଚାରା ଉପାଡ଼ି ନେବେ ଆନ୍ଧ୍ର ବ୍ୟବସାୟୀ
କେନ୍ଦ୍ରାପଡ଼ା କୁକୁଡ଼ା ଫାର୍ମରୁ ଲକ୍ଷାଧିକ ଟଙ୍କାର ମେସିନ୍ ଜବତ
ଉଭୟଙ୍କୁ ରିମାଣ୍ଡରେ ଆଣି ଆହୁରି ଖୋଳତାଡ଼ କରିବ ପୁଲିସ

ଭୁବନେଶ୍ବର/ଗରଦପୁର  : ଭାଇ ଭଉଣୀଙ୍କ ଠକ କାହାଣୀ ପେଡ଼ି ଖୋଲିଛି ପୁଲିସ। ୩୬ ଘଣ୍ଟାର ମାରାଥନ୍ ଜେରା ପରେ ନକଲି ଡାକ୍ତର ରମେଶର ଅପରାଧର ଭାଗୀଦାରି ସାଜିଥିବା ଭଉଣୀ ରଶ୍ମିତା ବେଉରାଙ୍କୁ ଗିରଫ କରିଛି ମହିଳା ଥାନା ପୁଲିସ। ରମେଶର ୫ ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ତାକୁ କୋର୍ଟରେ ହାଜର କରାଯାଇଥିଲା। ସେହିପରି ରଶ୍ମିତାଙ୍କୁ ମଧ୍ୟ କୋର୍ଟଚାଲାଣ କରାଯାଇଥିଲା। ଏହାପରେ ଭାଇ, ଭଉଣୀଙ୍କୁ ଜେଲ୍ ପଠାଇ ଦିଆଯାଇଛି। ଏକାଧିକ ଠକେଇରେ ସମ୍ପୃକ୍ତ ଥିବାରୁ ତଦନ୍ତକାରୀ ଟିମ୍ ପୁଣି ସେମାନଙ୍କୁ ରିମାଣ୍ଡରେ ଆଣିବ ବୋଲି ଜଣାପଡ଼ିଛି। ସେହିପରି ରମେଶର ୧୭ନଂ ପତ୍ନୀ ଆଜି ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। ବିବାହ କରି ତାଙ୍କଠାରୁ ୩୫ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି।

ରିମାଣ୍ଡର ଶେଷ ଦିନରେ ରମେଶର କଳା ସାମ୍ରାଜ୍ୟ ଉପରେ ଛାନଭିନ୍ କରିଛି ପୁଲିସ। ଆଠଗଡ଼ ଖୁଣ୍ଟୁଣୀ ଖମାର ନୂଆଗାଁରେ ଥିବା ଫାର୍ମ ହାଉସରେ କମିସନରେଟ ପୁଲିସର ଏକ ଟିମ୍ ଚଢ଼ଉ କରିଛି। ଆନ୍ଧ୍ର ବ୍ୟବସାୟୀଙ୍କୁ ଠାରୁ ୪ ଲକ୍ଷରୁ ଅଧିକ ଟଙ୍କାର ଚାରା ଆଣି ଠକେଇ କରିଥିବା ଅଭିଯୋଗରେ ଏହି ଚଢ଼ଉ କରାଯାଇଛି। ପ୍ରାୟ ୩୦ ଏକ ଜମିରେ ଫାର୍ମ ହାଉସ୍ ହୋଇଥିବା ବେଳେ ସେଠାରେ ଆମ୍ବ, ନଡ଼ିଆ, ପଣସ, ସପେଟା, ଲେମ୍ବୁ ଆଦି ଚାରା ଲାଗିଥିବା ଜଣାପଡ଼ିଛି। କାମ କରୁଥିବା କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି। ଏହି ଫାର୍ମ ହାଉସ୍ ରମେଶର ଦ୍ବିତୀୟ ପତ୍ନୀଙ୍କ ନାଁରେ ଥିବା ପୁଲିସ ଜାଣିବାକୁ ପାଇଛି। ଠକେଇ କରି ଯେଉଁ ଚାରା ଲଗାଯାଇଛି, ତାହାକୁ ଆନ୍ଧ୍ର ବ୍ୟବସାୟୀ ଉପାଡ଼ି ନେବେ ବୋଲି କୁହାଯାଇଛି। ଦ୍ବିତୀୟ ପତ୍ନୀ କମଳା ତିର୍କୀ ଡାକ୍ତର ହୋଇଥିବା ବେଳେ ତାଙ୍କ ଘର ଝାଡ଼ଖଣ୍ଡରେ। ସେ ଆହ୍ଲାବାଦରେ ଅବସ୍ଥାପିତ ଥିବା ବେଳେ ରମେଶର ଗିରଫଦାରି ପରେ ମୋବାଇଲ ଫୋନ୍ ବନ୍ଦ ରଖି ଫେରାର ଥିବା ପୁଲିସ କହିଛି। କିନ୍ତୁ ସେ ଓଡ଼ିଶାରେ ଥିବା ପୁଲିସ ଜାଣିବାକୁ ପାଇଛି। ରମେଶର ଠକେଇରେ ତାଙ୍କର ମଧ୍ୟ ସମ୍ପୃକ୍ତି ରହିଥିବା ପୁଲିସ ହାତରେ ପ୍ରମାଣ ଲାଗି ସାରିଛି। ଖୁବ୍‌ଶୀଘ୍ର ତାଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି।

ସେହିପରି ରମେଶର କେନ୍ଦ୍ରାପଡ଼ା ପାଟକୁରା ଥାନା ସିଂହାଲ ଗାଁରେ ଥିବା କୁକୁଡ଼ା ଫାର୍ମରେ ମଧ୍ୟ ପୁଲିସ ଚଢ଼ଉ କରିଛି। କୋଲକାତାର ବ୍ୟବସାୟୀ ରିଣ୍ଟୁନ ବିଶ୍ବାସଙ୍କ ଠାରୁ ଆଣିଥିବା କୁକୁଡ଼ା ଅଣ୍ଡାରୁ ଛୁଆ ଫୁଟାଇବା ମେସିନକୁ ତଦନ୍ତକାରୀ ଟିମ୍ ଜବତ କରିଛି। ଏହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି। କମିସନରେଟ ପୁଲିସ ଏହି ମେସିନକୁ ସ୍ଥାନୀୟ ଥାନାରେ ଜିମା ଦେଇଛି। ଏହାକୁ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଆଇନଗତ ଉପାୟରେ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି। ରମେଶର ମା’ ଓ ଭାଇଙ୍କୁ ମଧ୍ୟ ପୁଲିସ ପଚରାଉଚରା କରିଛି। ଉଭୟଙ୍କର ବୟାନ ରେକର୍ଡ କରାଯାଇଛି।
ଠକେଇ ସିଣ୍ଡିକେଟରେ ଥିବା ଭିଣୋଇ ଗଣେଶ ବେହୁରା, ଡ୍ରାଇଭର, ଦ୍ବିତୀୟ ପତ୍ନୀ କମଳା ତିର୍କୀଙ୍କୁ ଗିରଫ ପାଇଁ ପୁଲିସ ଜାଲ ବିଛାଇଛି। ସେମାନଙ୍କ ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବା ସହ ଖୋଳତାଡ଼ କରିବା ଲାଗି ରମେଶ ଓ ତାଙ୍କ ଭଉଣୀ ରଶ୍ମିତାଙ୍କୁ ପୁଲିସ ପୁଣି ରିମାଣ୍ଡରେ ଆଣିବ। ଏ ନେଇ ଖୁବ୍‌ଶୀଘ୍ର କୋର୍ଟରେ ଆବେଦନ କରାଯିବ ବୋଲି ମହିଳା ଥାନାଧିକାରୀ ସନ୍ତୋଷିନୀ ବେହେରା ସୂଚନା ଦେଇଛନ୍ତି।

ପଟ୍ଟାମୁଣ୍ଡାଇର ବ୍ୟବସାୟୀ ପ୍ରଥମ ଶିକାର
କେତୋଟି ଛୋଟ ଛୋଟ ଠକାମି ଘଟଣା ସହିତ ପଟ୍ଟାମୁଣ୍ତାଇର ଜଣେ ବ୍ୟବସାୟୀଙ୍କୁ ପ୍ରଥମେ ଫସାଇବା ପାଇଁ ସକ୍ଷମ ହୋଇଥିଲେ ରମେଶ। ହାରାହାରି ଲକ୍ଷେ ଟଙ୍କାର ଠକାମିର ଶିକାର ହେବାପରେ ପଟ୍ଟାମୁଣ୍ତାଇର ସମ୍ପୃକ୍ତ ବ୍ୟବସାୟୀ ଧରପଗଡ଼ କରିଥିଲେ। ସେତେବେଳେ ଏମିତି ପରିସ୍ଥିତି ଉପୁଜିଥିବାରୁ ଅସୁରେଶ୍ବରସ୍ଥିତ ରଘୁନାଥଜିଉ ମନ୍ଦିରରେ ରମେଶ ସହିତ ପଟ୍ଟାମୁଣ୍ତାଇ ବ୍ୟବସାୟୀଙ୍କୁ ନେଇ ଉପୁଜିଥିବା ଠକାମି ଘଟଣାର ସମାଧାନ ପାଇଁ ସିଂହାଳ ଗ୍ରାମର ତାଙ୍କ ସମ୍ପର୍କୀୟ ଓ ଗ୍ରାମ ମୁରବିମାନଙ୍କ ଉପସ୍ଥିତିରେ ନିଶାପ ବସିଥିଲା। ସମ୍ପୃକ୍ତ ବ୍ୟବସାୟୀ ଓ ରମେଶଙ୍କ ଉପସ୍ଥିତିରେ ଘଟଣାର ଆପୋସ ସମାଧାନ କରାଯାଇଥିଲା। ସେତେବେଳେ ଏକଥା ଜଣାପଡ଼ି ନିନ୍ଦିତ ହେବାରୁ ସେବେଠାରୁ ରମେଶ ପ୍ରାୟତଃ ଘରକୁ ଆସୁ ନ ଥିଲା। ଘର ସହିତ କମ୍ ସମ୍ପର୍କ ରଖୁଥିଲା।

କାମାକ୍ଷାନଗରରୁ ଆରମ୍ଭ ହୋଇଥିଲା ଠକ ସାମ୍ରାଜ୍ୟ
ପ୍ରଥମ ପତ୍ନୀଙ୍କୁ ନେଇ ସେ ଢେ଼ଙ୍କାନାଳର କାମାକ୍ଷାନଗରରେ ରହୁଥିଲେ। ତା’ପରେ ନିଜକୁ ନକଲି ଡାକ୍ତର, ନକଲି ସ୍ବାସ୍ଥ୍ୟ ଅଧିକାରୀ ଭାବେ ସଜାଇଥିଲେ। କଥା, ଠାଣି, ଚାଲିଚଳଣ ବଦଳାଇ ନୂଆ ବେଶପୋଷାକରେ ବୁଲୁଥିଲେ। ନକଲି ଡାକ୍ତର ଭାବେ ପରିଚୟ ଦେଇ ଗୋଟିଏ ପରେ ଗୋଟିଏ ବିବାହ କରି ଚାଲିଥିଲା। କେବଳ ମହିଳାଙ୍କୁ ଠକିବା ଓ ଲୁଟ୍ କରିବା ଉଦ୍ଦେଶ୍ୟରେ ସେମାନଙ୍କୁ ବିବାହ କରିଥିଲେ।

ସାବତ ମା’ ପାଖରେ ବଢ଼ିଥିଲେ ରମେଶ

ରମେଶଙ୍କ ପିତାଙ୍କ ନାମ ସ୍ବର୍ଗତ କ୍ଷେତ୍ରବାସୀ ସ୍ବାଇଁ। ରମେଶ ଓ ତାଙ୍କ ୨ ଭାଇଙ୍କ ପୈତୃକ ସମ୍ପତ୍ତି ୨.୫ ଏକର। ପିତା କ୍ଷେତ୍ରବାସୀ ୨ଟି ବିବାହ କରିଥିଲେ। ରମେଶ ପ୍ରଥମ ପତ୍ନୀଙ୍କ ପୁଅ। କ୍ଷେତ୍ରବାସୀଙ୍କ ପ୍ରଥମ ପତ୍ନୀଙ୍କ ଅକାଳ ବିୟୋଗ ପରେ ସେ ଗୌରୀଙ୍କୁ ଦ୍ବିତୀୟ ବିବାହ କରିଥିଲେ।
ଗୌରୀଙ୍କୁ ଏବେ ୮୫ ବର୍ଷ। ଗୌରୀଙ୍କ ଔରସରୁ ଉମେଶ, ସନ୍ତୋଷ ଓ ରଶ୍ମିତା ଜନ୍ମିତ। ରମେଶ ବର୍ଷକର ହୋଇଥିବାବେଳେ ମା’ଛେଉଣ୍ତ ହୋଇଯାଇଥିଲେ। ସାବତ ମା ଗୌରୀଙ୍କ ଦ୍ବାରା ସେ ପ୍ରତିପାଳିତ ହେଉଥିଲେ। ଶାଗପଖାଳ ଖାଇ ଗାଁଠାରୁ ୪ କିମି ଦୂର କୁଦାନଗରୀ ହାଇସ୍କୁଲରେ ରମେଶ ପାଠ ପଢିଥିଲେ। କୁଦାନଗରୀ ହାଇସ୍କୁଲରୁ ମାଟ୍ରିକ ପାସ କରିଥିଲେ। ତା’ପରେ ରମେଶ କେନ୍ଦ୍ରାପଡ଼ାରେ ରହଥିବାବେଳେ ଆର୍ଥିକ ଦୁସ୍ଥିତି ଯୋଗୁଁ ବିପଥଗାମୀ ହୋଇଯାଇଥିଲେ।

ସମ୍ବନ୍ଧିତ ଖବର