ଚିହ୍ନଟ ହେବେ ନକଲି ଡାକ୍ତର

ସବୁ ଡାକ୍ତରଙ୍କ ସାର୍ଟିଫିକେଟ୍‌ ଯାଞ୍ଚ କର: ହାଇକୋର୍ଟ, ଅନ୍‌ଲାଇନ୍‌ରେ ଉପଲବ୍ଧ ହେବ ସବୁ ଡାକ୍ତରଙ୍କ ତଥ୍ୟ

କଟକ : ରାଜ୍ୟରେ ନକଲି ଡାକ୍ତରଙ୍କୁ ଠାବ କରାଯିବ। ଡାକ୍ତରୀ ପେସାରେ ଥିବା ସମସ୍ତଙ୍କର ସାର୍ଟିଫିକେଟ୍ ଯାଞ୍ଚ କରାଯିବ। ଯେଉଁ ଡାକ୍ତର ନିଜକୁ ନିର୍ଦ୍ଦିଷ୍ଟ ବିଭାଗର ସ୍ପେଶାଲିଷ୍ଟ ବୋଲି ଦର୍ଶାଇ ରୋଗୀ ଚିକିତ୍ସା କରୁଛନ୍ତି, ସେମାନଙ୍କର ବି ସବିଶେଷ ଯୋଗ୍ୟତା ପ୍ରମାଣପତ୍ର ଯାଞ୍ଚ ହେବ। ଏଭଳି ପ୍ରକ୍ରିୟାରେ ଧରାପଡ଼ିଥିବା ନକଲି ଡାକ୍ତରଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ହାଇକୋର୍ଟଙ୍କ ଖଣ୍ଡପୀଠ ଏହିଭଳି କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ, ହାଇକୋର୍ଟଙ୍କ ନ‌ିର୍ଦ୍ଦେଶ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ସରକାରଙ୍କ ପକ୍ଷରୁ ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି।

Live Law

ଶୁକ୍ରବାର ଦିନ ହାଇକୋର୍ଟରେ ଏ ସଂପର୍କିତ ମାମଲାର ଶୁଣାଣି ହୋଇଥିଲା। ଶୁଣାଣି ସମୟରେ ୨୦୨୨, ଡିସେମ୍ବର ୨୧ର ନିର୍ଦ୍ଦେଶ ପାଳନ କରି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦାଖଲ କରିଥିବା ସତ୍ୟପାଠକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ତେବେ, ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ଯାଞ୍ଚ ପାଇଁ ସବୁ ସିଡିଏମ୍‌ଓଙ୍କୁ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଓଡ଼ିଶା କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟସ୍ (କଣ୍ଟ୍ରୋଲ ଆଣ୍ଡ ରେଗୁଲେସନ) ଆଇନ ଅନୁସାରେ ପଞ୍ଜୀକୃତ ସବୁ ସରକାରୀ ବ୍ୟବସ୍ଥା ସହିତ ଘରୋଇ ଡାକ୍ତରଖାନାକୁ ଏପରି ଯାଞ୍ଚ ସଂକ୍ରାନ୍ତରେ ଅବଗତ କରାଯାଇଛି। କିନ୍ତୁ, ଯାଞ୍ଚ ‌ପ୍ରକ୍ରିୟାର ବିଭିନ୍ନ ପର୍ଯ୍ୟାୟରେ ଗ୍ରହଣ କରାଯିବାକୁ ଥିବା ପଦକ୍ଷେପ ସଂକ୍ରାନ୍ତରେ ସମୟସୀମା ନେଇ ସତ୍ୟପାଠରେ ଉଲ୍ଲେଖ ନଥିବାରୁ ଏସଂକ୍ରାନ୍ତରେ ଅତିରିକ୍ତ ସତ୍ୟପାଠ ଦାଖଲ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯାଞ୍ଚ ପ୍ରକ୍ରିୟା ସଂପୂର୍ଣ୍ଣ ଶେଷ କରିବା ପ୍ରସଙ୍ଗରେ ସ୍ପଷ୍ଟ ସମୟ ନିର୍ଘଣ୍ଟ ସଂକ୍ରାନ୍ତୀୟ ତଥ୍ୟ ସତ୍ୟପାଠରେ ଉଲ୍ଲେଖ କରାଯିବ। ଏଥିସହିତ ସବୁ ଡାକ୍ତରଙ୍କ ତଥ୍ୟ ଅନ୍‌ଲାଇନରେ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ କରିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି।

ଶୁକ୍ରବାର ଦିନ ମାମଲାର ଶୁଣାଣି ସମୟରେ ଆମିକସ୍ କ୍ୟୁରୀ‌ କେତେକ ପ୍ରସ୍ତାବ ଦେଇଥିଲେ। ରାଜ୍ୟର ସବୁ ମେଡିକାଲ ପ୍ରାକ୍ଟିସନରଙ୍କ ଅନ୍‌ଲାଇନ୍‌ ଡାଟାବେସ୍ ପ୍ରସ୍ତୁତ କରାଯିବା ଉଚିତ। ଏଭଳି ଡାଟାବେସରୁ ରୋଗୀ ଚିକିତ୍ସା କରୁଥିବା ବ୍ୟକ୍ତି ପ୍ରକୃତ ପକ୍ଷେ ଡାକ୍ତର ନା ନୁହେଁ, ତାଙ୍କର ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ଅଛି କି ନାହିଁ ଭଳି ପ୍ରସଙ୍ଗ ସାଧାରଣ ଲୋକ ଯାଞ୍ଚ କରି ଜାଣି ପାରିବେ। ଆମିକସ୍ କ୍ୟୁରୀଙ୍କ ଏହି ପ୍ରସ୍ତାବ କାର୍ଯ୍ୟକାରୀ ପ୍ରସଂଗ‌ରେ ସରକାର ପଦକ୍ଷେପ ଗ୍ରହଣ କରିବେ ବୋଲି ହାଇକୋର୍ଟ କହିଥିଲେ। କାର୍ଯ୍ୟରତ ମେଡିକାଲ ପ୍ରାକ୍ଟିସନରଙ୍କ ଅପଡେଟେଡ୍ ଲାଇସେନ୍ସ ସହିତ ବାସ୍ତବିକ ଶିକ୍ଷାଗତ ଯୋଗ୍ୟତା ରହିବା ପ୍ରସଙ୍ଗ ସୁନିଶ୍ଚିତ କରିବା ପାଇଁ ରାଜ୍ୟର ସବୁ ଚିକିତ୍ସା ସଂସ୍ଥା ଗୁଡ଼ିକର ନିୟମିତ ପରିଦର୍ଶନ ଓ ଯାଞ୍ଚ କରାଯିବ ବୋଲି ଶୁଣାଣି ସମୟରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରତିଶ୍ରୁତି ଦେଇଥିଲେ। ଏଥିସହିତ, ଗଞ୍ଜାମ, ରାୟଗଡ଼ା, ମୟୂରଭଞ୍ଜ, ମାଲକାନଗିରିରେ ଜାଲ ଡାକ୍ତରମାନେ ରୋଗୀଙ୍କ ଚିକିତ୍ସା କରିବା ପ୍ରସଙ୍ଗକୁ ନେଇ ଆମିକସ୍ କ୍ୟୁରୀ ତଥ୍ୟ ଉପସ୍ଥାପନ କରିଥିଲେ। ଏହାଉପରେ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ନଥାଇ ରୋଗୀ ଚିକିତ୍ସା କରୁଥିବା ଜାଲ ଡାକ୍ତରଙ୍କ ଘଟଣାରେ କି ପ୍ରକାର ପଦକ୍ଷେପ ନିଆଯାଉଛି ସେ ନେଇ ହାଇକୋର୍ଟ ଜାଣିବାକୁ ଚାହିଁଥିଲେ। ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ଜଣେ ଜାଲ୍‌ ଡାକ୍ତର ବୋଲି ଜଣାପଡ଼ିବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା। ଏଭଳି ଜାଲିଆତି ଯଦି ଧରାପଡ଼େ ତୁରନ୍ତ ଆଇନ ଅନୁସାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରଙ୍କ ତରଫରୁ ପ୍ରତିଶ୍ରୁତି ଦିଆଯାଇଥିଲା।

indiamart.com

ଫେବ୍ରୁଆରି ୨୦ ସୁଦ୍ଧା ଅତିରିକ୍ତ ସତ୍ୟପାଠ ଦାଖଲ କରିବାକୁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଜୁନ୍ ୨୨କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଆଜି ମାମଲାର ଶୁଣାଣି ସମୟ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଏସ.ପଣ୍ଡିତ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ଥିଲେ। ଆମିକସ୍ କ୍ୟୁରୀ ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ର ଏହି ମାମଲା ପରିଚାଳନା କରୁଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ରାଜ୍ୟରେ ରୋଗୀ ଚିକିତ୍ସା କରୁଥିବା ଡାକ୍ତରଙ୍କ ମଧ୍ୟରୁ ୫୧ ପ୍ରତିଶତଙ୍କ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ନଥିବା ବିଶ୍ବବ୍ୟାଙ୍କ ସର୍ଭେ ରିପୋର୍ଟରୁ ଜଣାପଡ଼ିଥିଲା। ଫଳରେ, ରାଜ୍ୟରେ ଡାକ୍ତରୀ ପେସାରେ ଥିବା ସବୁ ଡାକ୍ତରଙ୍କ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ରହିଛି କି ନାହିଁ ତାହା ଯାଞ୍ଚ କରିବାକୁ ହାଇକୋର୍ଟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ୨୦୨୨, ଡିସେମ୍ବର ୨୧ରେ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର