ଆଜିଠୁ ୫ ଦିନିଆ ରିମାଣ୍ଡରେ ଆସିବ ନକଲି ଡାକ୍ତର, ୩୦ ବର୍ଷର ଇତିହାସ ଖୋଜିବ ସ୍ବତନ୍ତ୍ର ଟିମ୍

ଭୁବନେଶ୍ବର : ଦିନ ଯେତିକି ଗଡ଼ି ଗଡ଼ି ଚାଲୁଛି, ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ବାଇଁର ଗୁମର ଖୋଲିବାରେ ଲାଗିଛି। ପୁଲିସ ହାତରେ ମଧ୍ୟ ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ଲାଗୁଛି। ଠକେଇ ଘଟଣା ଓ ପରିମାଣ ବି ବଢ଼ି ଚାଲିଛି। ବିଭିନ୍ନ ରାଜ୍ୟକୁ ଠକେଇର ଚେର ଲମ୍ବିଥିବା ଜଣାପଡ଼ିଛି। ଏ ସବୁର ଗୁମର ଖୋଲିବା ପାଇଁ ରମେଶକୁ ରିମାଣ୍ଡରେ ଆଣି ଖୋଳତାଡ଼ କରିବ ପୁଲିସ। ପୁଲିସ ୭ଦିନିଆ ରିମାଣ୍ଡ ଆବେଦନ କରିଥିବା ବେଳେ ଏସ୍‌ଡିଜେଏମ୍ କୋର୍ଟ ୫ଦିନ ରିମାଣ୍ଡ ମଞ୍ଜୁର କରିଛନ୍ତି। ଆଜି ତାକୁ ରିମାଣ୍ଡରେ ଅଣାଯିବ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି। ରମେଶ ଲମ୍ବା ସମୟ ଧରି ଠକେଇ କରି ଚାଲିଥିବାରୁ ତା’ର ୩୦ ବର୍ଷର ଇତିହାସ ଖୋଜିବ ପୁଲିସ। ସେହିପରି ଅଧିକ ଖୋଳତାଡ଼ ପାଇଁ ଗଠନ ହୋଇଥିବା ସ୍ବତନ୍ତ୍ର ଟିମ୍ ଖୁବଶୀଘ୍ର ରାଜ୍ୟ ବାହାରକୁ ଯିବ। ସେଠାରେ ଯେଉଁ ମହିଳାମାନଙ୍କୁ ଛଳନା କରି ରମେଶ ବିବାହ କରିଛି, ସେମାନେ ଯଦି ଚାହିବେ, ତାହେଲେ ପୁଲିସ ଅଭିଯୋଗ ଗ୍ରହଣ କରିବ। ଏପରିକି ସ୍ବତନ୍ତ୍ର ଟିମରେ ଥିବା କାଉନସେଲର ସେମାନଙ୍କୁ କାଉନସେଲିଂ କରିବେ ବୋଲି ଜଣାପଡ଼ିଛି।

ଖୋଳତାଡ଼ ପାଇଁ ରାଜ୍ୟ ବାହାରକୁ ଯିବ
ବିବାହ ପାଇଁ ଲାଇନରେ ଥିବା ମହିଳାଙ୍କ ସଂଖ୍ୟା ପହଞ୍ଚିଲା ୩୭ରେ
ଆହୁରି ୧୦ରୁ ଅଧିକ ମହିଳାଙ୍କ ସହ ଯୋଗାଯୋଗ କଲା ପୁଲିସ
କେନ୍ଦ୍ର ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟରେ ଚାକିରି ନାଁରେ ଯୁବତୀଙ୍କୁ ଲଗାଇଲେ ଚୂନ
ଦୁଇ ଜଣଙ୍କ ଠାରୁ ୨୫ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ
ଆର୍ଥିକ କାରବାର ନେଇ ଖୋଳତାଡ଼ କରିବ ପୁଲିସ

ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ର ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟରେ ଚାକିରି କରାଇ ଦେବାକୁ କହି ଜଣେ ଯୁବତୀ ଓ ଜଣେ ଯୁବକଙ୍କଠାରୁ ୨୫ଲକ୍ଷ ଟଙ୍କା ଠକି ନେଇଛି ରମେଶ। ଏନେଇ ଦୁଇ ଜଣ ଆଜି ମହିଳା ଥାନାର ଦ୍ବାରସ୍ଥ ହୋଇଛନ୍ତି। ସେମାନେ ରମେଶ ରହୁଥିବା ପାତ୍ରପଡ଼ା ନିକଟ ଫ୍ଲାଟ ପାଖରେ ରୁହନ୍ତି। ରମେଶ ନିଜକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଉପ ମହାନିର୍ଦ୍ଦେଶକ ବୋଲି ସେମାନଙ୍କୁ ପରିଚୟ ଦେଇଥିଲା। ଏପରିକି ଭିଜିଟିଂ କାର୍ଡ ଓ ପରିଚୟପତ୍ର ଦେଖାଇଥିଲା। ଗାଡ଼ିରେ ବତି ଲଗାଇ ମଧ୍ୟ ଆସୁଥିଲା। ଯୁବକ ଓ ଯୁବତୀ ତାଙ୍କୁ ଅତି ସହଜରେ ବିଶ୍ବାସ କରି ଯାଇଥିଲେ। କେନ୍ଦ୍ର ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟରେ ଚାକିରି ଲୋଭରେ ଟଙ୍କା ମଧ୍ୟ ଦେଇଥିଲେ। କିନ୍ତୁ ସେମାନଙ୍କୁ ରମେଶ ଭଣ୍ଡେଇ ଚାଲିଥିଲା। ଏବେ ଗିରଫ ହେବା ନେଇ ଗଣମାଧ୍ୟମରୁ ଜାଣିବା ପରେ ଦୁଇ ଜଣ ଆଜି ଅଭିଯୋଗ କରିଛନ୍ତି। ସେହିପରି ମେଡିକାଲ ଆଡମିସନ୍‌ ନାଁରେ ଠକେଇର ଶିକାର ହୋଇଥିବା ଜଗତ୍‌ସିଂହପୁର ଅଞ୍ଚଳର ଯୁବକ ଆଜି ଲିଖିତ ଅଭିଯୋଗ କରିଛନ୍ତି। ଏମ୍‌ବିବିଏସ୍ ଆଡମିସନ୍ ନାଁରେ ରମେଶ ତାଙ୍କଠାରୁ ୧୮ଲକ୍ଷ ଟଙ୍କା ଠକି ନେଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି।

ଅନ୍ୟପକ୍ଷରେ ବିବାହ ପାଇଁ ମହିଳାଙ୍କୁ ପ୍ରେମ ଜାଲରେ ଫସାଇବା ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଆହୁରି ୧୦ରୁ ଅଧିକ ମହିଳା ବିବାହ ପାଇଁ ଲାଇନ୍‌ରେ ଥିବା ପୁଲିସ ରମେଶଙ୍କ ମୋବାଇଲ ଫୋନ୍ ଚାଟିଂ ଓ କଲ୍ ଡିଟେଲ୍ସରୁ ଜାଣିବାକୁ ପାଇଛି। ସମ୍ପୃକ୍ତ ମହିଳାଙ୍କ ସହ ଆଜି ତଦନ୍ତକାରୀ ଟିମ୍ ଯୋଗାଯୋଗ କରିଛି। ସେମାନେ ଦେଶର ବିଭିନ୍ନ ସ୍ଥାନର ହୋଇଥିବା ଜଣାପଡ଼ିଛି। ରମେଶ ବିବାହ ପ୍ରତିଶ୍ରୁତି ଦେଇଥିବା ମହିଳାଙ୍କ ସଂଖ୍ୟା ୩୭ରେ ପହଞ୍ଚିଥିବା ପୁଲିସ କହିଛି। ଆଜି ସୁଦ୍ଧା ରମେଶଙ୍କ ମୋବାଇଲ ଫୋନ୍ ହ୍ବାଟସଆପ୍ ଚାଟିଂ, କଲ୍ ଡିଟେଲ୍ସ ରେକର୍ଡ, ଏସ୍‌ଏମ୍‌ଏସ୍‌କୁ ଆଧାର କରି ୧୨୦ରୁ ଅଧିକ ମହିଳା ଓ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରାଯାଇଛି। ଠକେଇ ସଂଖ୍ୟା ବଢ଼ି ଚାଲିଥିବା ବେଳେ ରିମାଣ୍ଡ ଅବଧି ସମୟରେ ଆହୁରି ବହୁ ସଂଖ୍ୟାରେ ଅଭିଯୋଗ ଆସିବ ବୋଲି ପୁଲିସ ଅନୁମାନ କରୁଛି। ରିମାଣ୍ଡ ସମୟରେ ପୁଲିସ ବହୁ ଗୁରୁତ୍ବପୂର୍ଣ୍ଣ ଗୁମର ଖୋଲିବା ସହ ଠକେଇର ଶିକାର ମହିଳା ଓ ବ୍ୟକ୍ତିଙ୍କ ବୟାନ ରେକର୍ଡ କରିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର