କଟକ: କମିସନରେଟ୍ ପୁଲିସ୍ରେ ୟୁକ୍ରେନ୍ ଫେରନ୍ତା ଭୂତ ଡାକ୍ତର ଆତଙ୍କ ପୁଲିସ ପାଇଁ ଚିନ୍ତା ବଢ଼ାଇଲାଣି। ୟୁକ୍ରେନ୍ରେ ଡାକ୍ତରୀ ପଢ଼ୁଥିବା ଜଣେ ଛାତ୍ର ଅଧାରୁ ପଢ଼ା ଛାଡ଼ି ଓଡ଼ିଶା ଫେରିବା ପରେ ସହରରେ ନକଲି ଡାକ୍ତରୀ ପରିଚୟପତ୍ର ପ୍ରସ୍ତୁତ କରି ମୋଟ ୮୯ ଲକ୍ଷ ଟଙ୍କା ଖାଇସାରିଲାଣି। ଏହି ଠକ ଡାକ୍ତର ଶ୍ରୀଧର ରାଉତକୁ ସଦର ଥାନା ପୁଲିସ ଏବେ ଗିରଫ କରିବା ପରେ ପୂର୍ବ କେଳେଙ୍କାରୀ ସାମନାକୁ ଆସିଛି। ଏଯାଏ ସେ ଓଡ଼ିଶା ଓ ଓଡ଼ିଶା ବାହାରେ ୬ଟି ବ୍ୟାଙ୍କରୁ ୮୯ ଲକ୍ଷ ଟଙ୍କା ଲୁଟିଥିବା ବେଳେ ୭ ବ୍ୟାଙ୍କରେ ୭୦ ଲକ୍ଷ ଟଙ୍କାର ଋଣ ଆବେଦନ ପଡ଼ିରହିଥିବା ଜଣାପଡ଼ିଛି।
କଟକ ସଦର ଥାନା ଗୋପାଳପୁର ପାଇକସାହିର ଶରତ ରାଉତଙ୍କ ପୁଅ ଶ୍ରୀଧର ରାଉତ। ଶ୍ରୀଧର ମାଟ୍ରିକ ଗୋପାଳପୁର ମା’ ତାରିଣୀ ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ୍ ପଢ଼ିଥିଲା। ୬ ବର୍ଷ ତଳେ ଭୁବନେଶ୍ବର ସହିଦନଗର ଅଞ୍ଚଳର ଏକ କନସଲଟାନ୍ସି କମ୍ପାନି ମାଧ୍ୟମରେ ୟୁକ୍ରେନ୍ରେ ଡାକ୍ତରୀ ପଢ଼ିବାକୁ ଯାଇଥିଲା। କିନ୍ତୁ ସାଢ଼େ ୫ ବର୍ଷୀୟ ଏମ୍ବିବିଏସ୍ କୋର୍ସ ଶେଷ ହେବା ପୂର୍ବରୁ ଓଡ଼ିଶା ଫେରିଆସିଥିଲା। ଉଚ୍ଚାଭିଳାଷ ରଖୁଥିବା ଶ୍ରୀଧର କିନ୍ତୁ ଅନ୍ୟ ସାଙ୍ଗମାନଙ୍କ ତୁଳନାରେ ପଛରେ ପଡ଼ିଯାଇଥିଲା। ସାଙ୍ଗମାନେ ଡାକ୍ତରୀ ପଢ଼ି ଦାମୀ କାର୍ ଚଢ଼ିବାରୁ ଶ୍ରୀଧରର ବି କାର୍ ଚଢ଼ିବା ଲୋଭରେ ପଡ଼ିଥିଲା। ସେ ବିଭିନ୍ନ ସମୟରେ ନିଜକୁ ଡାକ୍ତର ସନ୍ଦୀପ, ଡାକ୍ତର ଆଦିତ୍ୟ ଶର୍ମା, ଡାକ୍ତର ସିଦ୍ଧାନ୍ତ ସାର୍ଥକ ନାଁରେ ପାଟନା ଏମ୍ସ ଡାକ୍ତର ପରିଚୟ ଦେଉଥିଲା। ଆଉ କେତେକ ସମୟରେ ନୂଆଦିଲ୍ଲୀ ଏଓ ସଫଦରଜଙ୍ଗ ଡାକ୍ତରଖାନାର ଜୁନିୟର୍ ରେସିଡେଣ୍ଟ ପରିଚୟ ଦେଉଥିଲା। ଏହି ପରିଚୟକୁ ବାସ୍ତବ ରୂପ ଦେବାକୁ ଆଧାରକାର୍ଡ, ସାଲାରି ସ୍ଲିପ୍, ପ୍ୟାନ୍ କାର୍ଡ ଇତ୍ୟାଦି ପ୍ରସ୍ତୁତ କରି ବ୍ୟାଙ୍କରୁ ଋଣ ଆଣିବାର ଏକ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଥିଲା। ଏଥିରେ ସେ ନିଜ ଘର ବାଣପୁରର ଥାନା ଡାହାଳିଆବାଗର ବାସିନ୍ଦା, ଖଣ୍ଡଗିରି ଥାନା ପାତ୍ରପଡ଼ା ଓ ବାପାଙ୍କ ନାଁ ରାକେଶ କୁମାର, ବିଜୟ ପାଲ୍ ଇତ୍ୟାଦି ନାଁରେ ପରିଚୟପତ୍ରରେ ଉଲ୍ଲେଖ ରଖୁଥିଲା।
୨୦୧୯ ଡିସେମ୍ବର ୧ ତାରିଖରେ ନୟାପଲ୍ଲୀ ଥାନାରେ ପୁଲିସ ତା’ ବିରୋଧରେ ପ୍ରଥମେ ଏକ ଋଣ ଠକେଇ ମାମଲା ରୁଜୁ କରିଥିଲା। ଭୁବନେଶ୍ବର ଏମ୍ସ ଡାକ୍ତର ପରିଚୟରେ ନୟାପଲ୍ଲୀ ବ୍ୟାଙ୍କ ଅଫ୍ ବରୋଦା ଶାଖାରୁ ୧୭ ଲକ୍ଷ ୫୦ ହଜାର ଟଙ୍କାର ଋଣ ଠକେଇ କରିଥିଲା। ୨୦୨୦ ଜାନୁଆରି ୩ ତାରିଖରେ ଗିରଫ ହୋଇ ଝାରପଡ଼ା ଜେଲ୍ରେ ଦୁଇମାସ ରହି ଫେରିବା ପରେ ପୁଣି ଠକେଇ ଆରମ୍ଭ କରିଦେଇଥିଲା। ଜେଲ୍ରେ ଥିବା ସମୟରେ ପୁଲିସ ଋଣ ଟଙ୍କାରେ ଶ୍ରୀଧର କିଣିଥିବା କିଆ ସେଲଟସ୍ ଗାଡ଼ିକୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଜିମା ଦେଇଥିଲା। ୨୦୧୯ରେ ନୟାପଲ୍ଲୀ ଏସ୍ବିଆଇ ଶାଖାରେ ଜାଲ୍ ଡାକ୍ତରୀ ପରିଚୟପତ୍ର ଦେଇ ୧୫ ଲକ୍ଷ ଟଙ୍କା ଲୁଟିଥିଲା। ୨୦୨୧ରେ ସେ ବାଦାମବାଡ଼ି ଥାନା ବଜ୍ରକବାଟିରେ ଥିବା ୟୁନିୟନ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରୁ ୧୬ ଲକ୍ଷ ୫୦ ହଜାର ଟଙ୍କା ଋଣ ନାଁରେ ଲୁଟିଥିଲା। ରାଣୀହାଟସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ୧୦ ଲକ୍ଷ ଟଙ୍କା ଲୁଟିଥିଲା। ୨୦୨୧ରେ ପୁରୀଘାଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରୁ ବି ୧୦ଲକ୍ଷ ଟଙ୍କା ଋଣ ଆଣିଥିଲା। ୨୦୨୩ରେ ଝାଡ଼ଖଣ୍ଡ ଆଦିତ୍ୟପୁର ଏସ୍ବିଆଇ ଶାଖାରୁ ୨୦ ଲକ୍ଷ ଟଙ୍କା ଲୁଟିଛି।
ଶ୍ରୀଧର ପୂର୍ବରୁ ୨୦୨୧ରେ ୟୁନିଅନ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର କଲେଜ ଛକ ଶାଖା, ଚାଉଳିଆଗଞ୍ଜ ଶାଖା, ମଧୁପାଟଣା ଶାଖା, ଚୌଧୁରୀବଜାର ଶାଖା, ଭୁବନେଶ୍ବର ବୁଦ୍ଧେଶ୍ବର କଲୋନି ଶାଖା, ବରମୁଣ୍ଡା ଶାଖାରୁ ୧୦ ଲକ୍ଷ ଟଙ୍କା ଲେଖାଏ ବ୍ୟକ୍ତିଗତ ଋଣ ପାଇଁ ଆବେଦନ କରିଥିଲା। କିନ୍ତୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସନ୍ଦେହ ହେବାରୁ ଏହି ଋଣ ମଞ୍ଜୁରିକୁ ସ୍ଥଗିତ ରଖିଥିଲେ। ଶେଷରେ ଫୁଲନଖରାସ୍ଥିତ ୟୁକୋ ବ୍ୟାଙ୍କରେ ୧୦ ଲକ୍ଷ ଟଙ୍କାର ଋଣ ପାଇଁ ଆବେଦନ କରିଥିଲା। କିନ୍ତୁ ଯାଞ୍ଚ ବେଳେ ଧରାପଡ଼ିଯିବାରୁ ଗଲା ଶନିବାର ସଦର ଥାନା ପୁଲିସ ତାକୁ ଗିରଫ କରିଛି। ତେବେ ବ୍ୟାଙ୍କରେ ଋଣ ପାଇଁ ଆବେଦନ କରୁଥିବା ଗ୍ରାହକଙ୍କ କାଗଜପତ୍ର ଯାଞ୍ଚରେ ଦୁର୍ବଳ ପ୍ରକ୍ରିୟା ଯୋଗୁଁ ଶ୍ରୀଧର କମିସନରେଟ୍ ପୁଲିସ ଓ ଝାଡ଼ଖଣ୍ଡରେ ଏଭଳି ୬ଟି ବ୍ୟାଙ୍କରେ ସିରିଜ୍ ଠକେଇ କରିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି।