ରସିକିଆ ‌ରମେଶର ଗୋପନ ଫରୁଆ ଖୋଲୁଛି: ମାଟ୍ରିକ୍ ଫେଲ୍‌ ସତ୍ତ୍ବେ ସାଜିଥିଲା ଡାକ୍ତର, ଚୂନରୁ ବର୍ତ୍ତିନଥିଲେ ଅସଲି ଡାକ୍ତର

ଭୁବନେଶ୍ବର : ମିଛ କହି ମାତ୍ର ୧୭ ମହିଳାଙ୍କୁ ବିବାହ କରି ସେମାନଙ୍କୁ ଠକିଥିବା ଅଭିଯୋଗରେ ଝାରପଡ଼ା ବିଚାର ବିଭାଗୀୟ ହାଜତରେ ଥିବା ରସିକିଆ ନକଲି ଡାକ୍ତର ରମେଶ ସ୍ବାଇଁର ଗୋପନ ଫରୁଆରୁ ଦିନକୁ ଦିନ ବହୁ ସଂଗିନ୍ ତଥ୍ୟ ବାହାରିବାରେ ଲାଗିଛି। ପୁଲିସ ତା’ ମୋବାଇଲ୍‌ ଫୋନ୍‌ ଯାଞ୍ଚ କରି ଯେତିକି ସାଂଘାତିକ ତଥ୍ୟ ପାଉଛି, ତା’ ଗିରଫ ଖବର ପ୍ରଚାରିତ ହେବା ପରେ ଲୋକଙ୍କଠାରୁ ତା’ ବିରୋଧରେ ସେତିକି ତଥ୍ୟଭିତ୍ତିକ ଅଭିଯୋଗ ଆସୁଛି। ସେ ମାଟ୍ରିକ୍‌ ପାସ୍‌ କରିନଥିଲା ବୋଲି ଆଜି ପୁଲିସକୁ ସୂଚନା ମିଳିଛି। ତଥାପି ନକଲି ଡାକ୍ତର ସାଜି ସେ କେବଳ ମହିଳାମାନଙ୍କୁ ଠକିନାହିଁ, କିଛି ଅସଲି ଡାକ୍ତରଙ୍କଠାରେ ମଧ୍ୟ ଚୂନ ଲଗାଇଛି। ତା’ କ୍ଲିନିକ୍‌ରେ ନିଯୁକ୍ତି ଦେଇଥିବା ଡାକ୍ତରଙ୍କୁ ଫି’ ଦେଇନଥିବା ବେଳେ ଜଣେ ଡାକ୍ତରଙ୍କ ପୁଅକୁ ମେଡିକାଲ କଲେଜ୍‌ରେ ନାମ ଲେଖାଇବ ବୋଲି କହି ୬୦ ହଜାର ଟଙ୍କା ଚଳୁ କରିଛି। ଏମିତି ଠକାମିର ଶିକାର ହୋଇଥିବା ଡାକ୍ତର ଆଜି ମହିଳା ଥାନାରେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଧୂର୍ତ୍ତ ରମେଶ କୋଚିନ୍ ଇନ୍‌ଷ୍ଟିଚ୍ୟୁଟ୍‌ରୁ ପାରାମେଡିକାଲ୍, ଲାବରୋଟାରି ଟେକ୍ନୋଲୋଜି ଓ ଫାର୍ମାସି ଆଦି ଶିକ୍ଷାଗତ ଯୋଗ୍ୟତା ଅର୍ଜନ କରିଛି ବୋଲି କହୁଥିଲା। ଏମିତିକି ସେସବୁର ଜାଲ୍‌ ପ୍ରମାଣପତ୍ର ମଧ୍ୟ ଦେଖାଉଥିଲା। କେବଳ ସେତିକି ନୁହେଁ, କୋଲ୍‌କାତାରୁ ସେ ଅଲ୍‌ଟର୍‌ନେଟିଭ୍ ସିଷ୍ଟମ୍ ଅଫ୍ ମେଡିସିନିରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲା ବୋଲି ନକଲି ପ୍ରମାଣପତ୍ର ଧରି ବୁଲୁଥିଲା। ମାତ୍ର ତା’ ଅସଲ ଶିକ୍ଷାଗତ ଯୋଗ୍ୟତା ହେଉଛି ସେ ମାଟ୍ରିକ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରିନାହିଁ। ଏନେଇ ଆଜି ତା’ ଘର ପାଖର କିଛି ଲୋକ ଓ କିଛି ନିକଟ ସମ୍ପର୍କୀୟ ପୁଲିସକୁ ଜଣାଇଛନ୍ତି। ତେବେ ଏହା କେତେ ଦୂର ସତ୍ୟ, ପୁଲିସ ତଦନ୍ତ କରିବା ପରେ ଜଣାପଡ଼ିବ। କିନ୍ତୁ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଧୂର୍ତ୍ତ ରମେଶ ପାଖରେ ମେଡିକାଲ ସମ୍ପର୍କିତ କୌଣସି ଡିଗ୍ରି ନାହିଁ।

ଏଣେ ରମେଶ ବିରୋଧରେ ଅଭିଯୋଗର ତାଲିକା ଲମ୍ବିବାରେ ଲାଗିଛି। ଆଜି ଜଣେ ଡାକ୍ତର ମହିଳା ଥାନାରେ ଅଭିଯୋଗ କରିଛନ୍ତି। କୌଣସି ମେଡିକାଲ କଲେଜରେ ତାଙ୍କ ପୁଅର ନାମ ଲେଖାଇଦେବ ବୋଲି କହି ରମେଶ ତାଙ୍କଠାରୁ ୬୦ ହଜାର ଟଙ୍କା ଅଗ୍ରୀମ ଆକାରରେ ନେଇଥିଲା। ନିଜକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟର ଉପନିର୍ଦ୍ଦେଶକ ବୋଲି କହୁଥିବାରୁ ତାଙ୍କ ଦ୍ବାରା ଏହା ସମ୍ଭବ ବୋଲି ଡାକ୍ତର ବିଶ୍ବାସ କରିଥିଲେ। ନାମଲେଖା ପରେ ଆଉ ବାକି ଟଙ୍କା ନେବାର ଥିଲା। ମାତ୍ର ୬୦ ହଜାର ଟଙ୍କା ହାତେଇବା ପରେ ଧୂର୍ତ୍ତ ରମେଶ ବିଭିନ୍ନ ବାହାନା କରି ଡାକ୍ତରଙ୍କୁ ଭୁଆଁ ବୁଲାଇ ଚାଲିଥିଲା। ଏବେ ପୁଲିସ ତାକୁ ଗିରଫ କରିବା ପରେ ସେ ଏତେ ବଡ଼ ଠକ ବୋଲି ଡାକ୍ତର ଜାଣିଥିବା କହିଛନ୍ତି। ଏମିତିକି ଜଣେ ମାଟ୍ରିକ୍ ଫେଲ୍‌ ନକଲି ଡାକ୍ତରକୁ ସେ ଚିହ୍ନି ପାରିନଥିବାରୁ ନିଜକୁ ଧିକ୍କାର କରିଛନ୍ତି। ରମେଶ ବଜ୍ରକବାଟିରେ ଏକ କ୍ଲିନିକ୍ ଓ ଡାଇଗ୍ନୋଷ୍ଟିକ୍ ସେଣ୍ଟର ଖୋଲିଥିଲା। ସେଠାରେ ଏକାଧିକ ଡାଇବେଟିକ୍ ସ୍ପେସାଲିଷ୍ଟ ଓ ଟେକ୍‌ନିସିଆନ୍‌ଙ୍କୁ ନିଯୁକ୍ତି ଦେଇଥିଲା। ୨୦୧୩ରୁ ଖୋଲା ଯାଇଥିବା ଏହି କ୍ଲିନିକ୍ ୨୦୨୧ ମସିହା ପର୍ଯ୍ୟନ୍ତ ଚାଲୁଥିଲା। ବହୁ ଦିନ ଧରି ଦୁଇ ଜଣ ଡାକ୍ତରଙ୍କୁ ଦରମା ଦେଇ ନ ଥିଲା। ମଝିରେ ମିଛ କହି କ୍ଲିନିକ୍‌ ବନ୍ଦ କରିଦେଇଥିଲା। ଆଜି ପୁଲିସ ପାତ୍ରପଡ଼ାସ୍ଥିତ ସାଇ ପାରାଡାଇଜ ଆପାର୍ଟମେଣ୍ଟରେ ଛାନ୍‌ଭିନ୍‌ କରି ବିପୁଳ ପରିମାଣର କାଗଜପତ୍ର, ଫାଇଲ୍‌ ଓ ରସିଦ୍ ଜବତ କରିଛି।

ସମ୍ବନ୍ଧିତ ଖବର