ନକଲି ଔଷଧ କାରବାର: ନିମ୍ନ ଅଦାଲତ ମାମଲା ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ

କଟକ : ନକଲି ଔଷଧ କାରବାର ଘଟଣାକୁ ନେଇ ନିମ୍ନ ଅଦାଲତରେ ବିଚାରାଧୀନ ମାମଲାର ଶୁଣାଣି ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଶିବ ପ୍ରସନ୍ନ ଜେନାଙ୍କ ଆବେଦନର ଶୁଣାଣି କରି କଟକ ଦୌରା ଜଜ୍ ତଥା ସ୍ବତନ୍ତ୍ର ଅଦାଲତରେ ବିଚାରାଧୀନ ମାମଲାର ଶୁଣାଣି ଉପରେ ପରବର୍ତ୍ତୀ ତାରିଖ ପର୍ଯ୍ୟନ୍ତ ରହିତାଦେଶ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୩କୁ ଧାର୍ଯ୍ୟ କରାଯାଇଛି।

ନକଲି ଔଷଧ କାରବାର ନେଇ  କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଜୁନ୍ ୧୫ରେ ରୁଜୁ କରିଥିବା ଏତଲା ରଦ୍ଦ ପାଇଁ ମେଡିଲୟେଡ ମେଡିକାମେଣ୍ଟର ପରିଚାଳନା ନିର୍ଦ୍ଦେଶକ ଶିବ ପ୍ରସନ୍ନ ଜେନା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଶିବଙ୍କ ତରଫରୁ ହାଇକୋର୍ଟରେ ଦାୟର ଆବେଦନରେ ଦର୍ଶାଯାଇଛି ନକଲି ‌ଔଷଧ କାରବାର ଅଭିଯୋଗ ନେଇ ପ୍ରଥମେ ଡ୍ରଗ୍ସ ଇନ୍ସପେକ୍ଟର କଟକ ସଦର ଏସଡିଜେଏମ୍ ଅଦାଲତରେ ଏକ ମାମଲା ରୁଜୁ କରିଥିଲେ। ଡ୍ରଗ୍ସ ଇନ୍ସପେକ୍ଟରଙ୍କ ପ୍ରସିକ୍ୟୁସନ୍ ରିପୋର୍ଟ ଆଧାରରେ ଏହି ମାମଲା ଦାୟର କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସମାନ ପ୍ରସଂଗକୁ ନେଇ ଡ୍ରଗ୍ସ ଇନ୍ସପେକ୍ଟର କ୍ରାଇମବ୍ରାଞ୍ଚ ନିକଟରେ ଏତଲା ଦେଇଥିଲେ। ଏହି ଏତଲା ଆଧାରରେ କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ ୨୦୨୧, ଜୁନ୍ ୧୫ରେ ମାମଲା ରୁଜୁ କରି ତାଙ୍କ ସହିତ ଅନ୍ୟମାନଙ୍କୁ ଗିରଫ କରିଥିଲା। ନକଲି ଔଷଧ କାରବାର ଅଭିଯୋଗ ସଂପର୍କିତ ଗୋଟିଏ ଘଟଣା ନେଇ ଦୁଇଟି ମାମଲା ଦାୟର ‌େହବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ସୁପ୍ରିମକୋର୍ଟଙ୍କ ରାୟରେ ମଧ୍ୟ ଗୋଟିଏ ଘଟଣାକୁ ନେଇ ଦୁଇଟି ମାମଲା ଚାଲିବା ବେଆଇନ ବୋଲି ଉଲ୍ଲେଖ ଥିବା ନେଇ ଆବେଦନକାରୀ ଦର୍ଶାଇଛନ୍ତି। ଏଥିସହିତ ଡ୍ରଗ୍ ଆଣ୍ଡ କସମେଟିକ୍ସ ଆକ୍ଟ ଅନୁସାରେ କେବଳ ଡ୍ରଗ୍ସ ଇନ୍ସପେକ୍ଟର ମାମଲା ରୁଜୁ କରି ଏପରି ଘଟଣାର ତଦନ୍ତ କରି ପାରିବେ। ଡ୍ରଗ୍ ଆଣ୍ଡ କସମେଟିକ୍ସ ଆକ୍ଟ ଉଲ୍ଲଂଘନ ସଂକ୍ରାନ୍ତରେ ଯଦି  ଥାନାରେ ଅଭିଯୋଗ ବା ଏତଲା ଦାଖଲ ହୁଏ ତେବେ ପୁଲିସ ଏତଲା ରୁଜୁ କରିପାରିବ ନାହିଁ। ଏ ନେଇ ପୁଲିସ ଡ୍ରଗ୍ସ ଇନ୍ସପେକ୍ଟରଙ୍କୁ ଅବଗତ କରିବ। ତେଣୁ ନକଲି ଔଷଧ କାରବାର ଅଭିଯୋଗ ସଂକ୍ରାନ୍ତରେ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଏତଲା ପଞ୍ଜୀକରଣ କରି ତଦନ୍ତ କରିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଏପରି ଏତଲା ଓ କଟକ ସ୍ବତନ୍ତ୍ର ଅଦାଲତରେ ବିଚାରାଧୀନ ଏ ସଂପର୍କିତ ମାମଲାକୁ ରଦ୍ଦ କରାଯାଉ ବୋଲି ଶ୍ରୀ ଜେନା ଦର୍ଶାଇଛନ୍ତି। ମାମଲାରେ ରାଜ୍ୟ ସରକାର ଓ ଡ୍ରଗ୍ସ ଇନ୍ସପେକ୍ଟରଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସତ୍ୟରଂଜନ ମୂଳିଆ ମାମଲା ପରିଚାଳନା କରୁଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ନକଲି ଔଷଧ କାରବାର ମାମଲାରେ ଏସଟିଏଫ୍ ମାମଲା ରୁଜୁ କରିବା ପରେ ଅଭିଯୁକ୍ତ ମେଡିଲୟେଡ ମେଡିକାମେଣ୍ଟର ପରିଚାଳନା ନିର୍ଦ୍ଦେଶକ ଶିବ ପ୍ରସନ୍ନ ଜେନା, ନିର୍ଦ୍ଦେଶିକା ଶୁଭଲକ୍ଷ୍ମୀ ଜେନା, ମ୍ୟାନେଜର ପ୍ରୀତିରଂଜନ ପରିଡା ଓ ଗୋଡାଉନ ଇନ-ଚାର୍ଜ ସତ୍ୟପ୍ରକାଶ ମହାନ୍ତିଙ୍କୁ ଗିରଫ କରିଥିଲା। ସେପ୍ଟେମ୍ବର ୧୪ରେ ଶୁଭଲକ୍ଷ୍ମୀଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ।

ସମ୍ବନ୍ଧିତ ଖବର