ନକଲି ଔଷଧ କାରବାର: ସିବିଆଇ ତଦନ୍ତ ପାଇଁ ମାମଲା

କଟକ : ରାଜ୍ୟରେ ନକଲି ଔଷଧ କାରବାର ଘଟଣାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ‘ଆମ ଜନତା ଅଧିକାର ଟ୍ରଷ୍ଟ୍‌’ର ସହ ଆବାହକ ବାସୁଦେବ ଭଟ୍ଟଙ୍କ ପକ୍ଷରୁ ଏହି ମାମଲା ଦାୟର ହୋଇଛି।

ଆବେଦନରେ ଦର୍ଶାଯାଇଛି ଯେ କଟକରୁ ନକଲି ଔଷଧ ଜବତ ହେବା ପରେ ଏହି କାରବାରର ଚେର ରାଜ୍ୟର ବିଭିନ୍ନ ଜିଲ୍ଲା ସହିତ ଦେଶର ବିଭିନ୍ନ ସ୍ଥାନକୁ ଲମ୍ବିଛି ବୋଲି ସ୍ପଷ୍ଟ ହୋଇଥିଲା। କରୋନା ମହାମାରୀ ଗୁରୁତର ରୂପ ଧାରଣ କରିବା ସମୟରେ ନକଲି ଔଷଧର ଏହି କାରବାର ରୋଗୀଙ୍କ ପାଇଁ ଅଧିକ ଘାତକ ହୋଇଛି। କାଳେ ଦାମୀ ଔଷଧ ଦେଲେ ରୋଗୀ ଭଲ ହୋଇଯିବ ବୋଲି ଭାବି ସଂପର୍କୀୟ ଏଥିପାଇଁ ସବୁ ମୂଲ୍ୟ ଦେବାକୁ ଆଗେଇ ଆସୁଛନ୍ତି। କିନ୍ତୁ ଏଭଳି ଏକ ସମୟରେ ନକଲି ଔଷଧ ବିକ୍ରି କରି କେତେକ ରାତାରାତି ବଡ଼ଲୋକ ହୋଇଯିବାକୁ ଉଦ୍ୟମ କରୁଛନ୍ତି। ଔଷଧ କଳାବଜାରୀ ଓ ନିମ୍ନମାନର ଔଷଧ ବିକ୍ରି ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଉ ନଥିଲା। ଶେଷରେ ଡ୍ରଗ୍ସ ଇନ୍ସପେକ୍ଟରଙ୍କ ପକ୍ଷରୁ କଟକର ଏକ ସଂସ୍ଥା ଉପରେ ଚଢ଼ଉ କରାଯାଇ ପ୍ରାୟ ୭୦ ଲକ୍ଷ ଟଙ୍କାର ନକଲି ଔଷଧ ଜବତ କରାଯାଇଥିଲା। କରୋନା ସଂକ୍ରମିତଙ୍କ ଚିକିତ୍ସାରେ ଲାଗୁଥିବା ଫାବିପିରାଭିର ଭଳି ଜୀବନରକ୍ଷାକାରୀ ଔଷଧର ଏପରି କଳା କାରବାର କରାଯାଉଥିବା ଜଣାପଡ଼ିଥିଲା। ଔଷଧ ଷ୍ଟ୍ରିପ୍ ପିଛା କିଣା ଯାଉଥିବା ଦରର ବହୁଗୁଣ ଅଧିକରେ ସଂସ୍ଥା ଏହି ଔଷଧ ବିକ୍ରିୟ କରୁଥିଲା। ଜବତ ଔଷଧ ମଣିଷ ଶରୀର ପାଇଁ କ୍ଷତିକାରକ ବୋଲି ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଥିଲା। ରୋଗୀଙ୍କ ଜୀବନ ସହିତ ଖେଳିବା ସହ ବିପୁଳ ଅର୍ଥ ରାତାରାତି ରୋଜଗାର କରିବାର ମନୋବୃତ୍ତି ନେଇ କିଛିଲୋକ ଏଭଳି କାରବାର କରୁଥିବାବେଳେ ଘଟଣାର ଉପଯୁକ୍ତ ତଦନ୍ତ ହେବା ଆବଶ୍ୟକ। ଏହି ଘଟଣାର ଚେର ରାଜ୍ୟ ବାହାରକୁ ଲମ୍ବିଥିବା ବେଳେ ସିବିଆଇ କିମ୍ବା ଜାତୀୟ ସ୍ତରର ତଦନ୍ତକାରୀ ସଂସ୍ଥାକୁ ତଦନ୍ତ ଦାୟିତ୍ବ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।

ମାମଲାରେ କେନ୍ଦ୍ର ସରକାର, ସିବିଆଇ, ରାଜ୍ୟ ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ସଚିବ, ଡ୍ରଗ୍ସ କଂଟ୍ରୋଲରଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଭୂତି ଭୂଷଣ ଚୌଧୁରୀ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ଶୁଭଲକ୍ଷ୍ମୀ ଓ ଅଶୋକ ଦାସ ସହାୟତା କରୁଛନ୍ତି।

ସମ୍ବନ୍ଧିତ ଖବର