ନକଲି ଔଷଧ କାରବାର: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା

କଟକ : ନକଲି ଔଷଧ କାରବାର ଘଟଣାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି।

ଅଭିଷେକ ଦାସଙ୍କ ତରଫରୁ ଦାୟର ଆବେଦନରେ ଉଲ୍ଲେଖ କରାଯାଇଛି ଯେ ନକଲି ଔଷଧ କାରବାରର ଚେର ରାଜ୍ୟ ବାହାରକୁ ଲମ୍ବିଛି। ଫଳରେ, ରାଜ୍ୟ ପୁଲିସ ଏହି ଘଟଣାର ଉପଯୁକ୍ତ ତଦନ୍ତ କରିବା ସହିତ ପ୍ରକୃତ ଦୋଷୀଙ୍କୁ ଠାବ କରିବା ଆଶା କମ୍‌। ସେହିଭଳି, ଏହି ଘଟଣାରୁ ବଜାରରେ ନିର୍ଦ୍ଦିଷ୍ଟ ବ୍ରାଣ୍ଡ୍‌ର ବିକ୍ରି ହେଉଥିବା ଉଚ୍ଚ ରକ୍ତଚାପ ଔଷଧ ନକଲି ବୋଲି ସ୍ପଷ୍ଟ ହୋଇଛି। କଟକ ଜିଲ୍ଲା ଡ୍ରଗ୍‌ସ ଇନ୍ସପେକ୍ଟରଙ୍କ ଏତଲା ଆଧାରରେ ପୁରୀଘାଟ ଥାନାରେ ଦୁଇଟି ମାମଲା ରୁଜୁ କରାଯାଇଛି ଏବଂ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ପର୍ଯ୍ୟାୟକ୍ରମେ ନକଲି ଔଷଧ ଜବତ କରାଯାଇଛି। ନକଲି ଔଷଧ କାରବାରରେ ଗିରଫ କରାଯାଇଥିବା ବ୍ୟକ୍ତିମାନେ ବିଭିନ୍ନ ଏଜେନ୍ସିର ମାଲିକ। ସେମାନେ ନକଲି ଔଷଧ ବଜାରରେ ବିକ୍ରିରେ ସଂପୃକ୍ତ ଥିବା ଅଭିଯୋଗ ରହିଛି। କିନ୍ତୁ, ଏପରି ନକଲି ଔଷଧ ଉତ୍ପାଦନ କରୁଥିବା କମ୍ପାନି ଓ ବ୍ୟକ୍ତିବିଶେଷଙ୍କୁ ଠାବ କରିବା ଆବଶ୍ୟକ। ଏଥିପାଇଁ ବିଭିନ୍ନ ରାଜ୍ୟରେ ତଦନ୍ତ କରାଯିବା ଆବଶ୍ୟକ। ଓଡ଼ିଶା ପୁଲିସ ଏକାଧିକ ରାଜ୍ୟକୁ ଯାଇ ତଦନ୍ତ କରି ନକଲି ଔଷଧ କାରବାର ଓ ଉତ୍ପାଦନରେ ସଂପୃକ୍ତ ବ୍ୟକ୍ତିଙ୍କୁ ଠାବ କରିବା ସହଜ ନୁହେଁ।

ଏଥିସହିତ, ପୁରୀଘାଟ ଥାନା ପୁଲିସ ନକଲି ଔଷଧ କାରବାରରେ ଉପଯୁକ୍ତ ଦଫାରେ ମାମଲା ରୁଜୁ କରିନାହିଁ। ଜୀବନ ରକ୍ଷାକାରୀ ଔଷଧ ଯଦି ନକଲି ହୁଏ, ତେବେ ଲୋକଙ୍କ ଜୀବନ ପ୍ରତି ବିପଦ ରହିଛି। ଏଭଳି ସ୍ଥିତିରେ ନକଲି ଔଷଧ କାରବାର ଘଟଣାରେ ଆଇପିସିର ଦଫା ୩୦୭ ଓ କସମେଟିକ୍ସ ଆକ୍ଟର ବିଭିନ୍ନ ଦଫାରେ ମାମଲା ରୁଜୁ ହେବା କଥା। କିନ୍ତୁ, ଏପରି କରାଯାଇ ନାହିଁ। ଏହିସବୁ ଦୃଷ୍ଟିରୁ ସିବିଆଇ ଭଳି କେନ୍ଦ୍ରୀୟ ଏଜେନ୍ସିକୁ ତଦନ୍ତ ଦାୟିତ୍ବ ଦିଆଯିବା ଉଚିତ ବୋଲି ଆବେଦକାରୀ ଦର୍ଶାଇଛନ୍ତି। ଏ ନେଇ ହାଇକୋର୍ଟ ନିର୍ଦ୍ଦେଶ ପ୍ରଦାନ କରିବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି। ମାମଲାରେ କେନ୍ଦ୍ର ଗୃହ ମନ୍ତ୍ରାଳୟ, ରାଜ୍ୟ ଗୃହ ବିଭାଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ପୁଲିସ ଡିଜି, ସିବିଆଇ ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଆଲୋକ କୁମାର ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

ଯାଞ୍ଚ ପାଇଁ ବିହାର ଯିବେ ପୁଲିସ ସହ ୨ ଡ୍ରଗ୍‌ ଇନ୍‌ସପେକ୍ଟର, ବିହାର ସରକାରଙ୍କୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଚିଠି

ଭୁବନେଶ୍ବର : ରାଜ୍ୟରେ ଉଚ୍ଚ ରକ୍ତଚାପ ଔଷଧ(ଟେଲ୍‌ମା ୪୦ ଓ ଏଏମ୍‌) ନକଲି ବୋଲି ସ୍ପଷ୍ଟ ହେବା ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ବଡ଼ ପଦକ୍ଷେପ ନେଇଛନ୍ତି। ବିହାର ଭେଷଜ ନିୟନ୍ତ୍ରକଙ୍କ ପକ୍ଷରୁ କୌଣସି ପ୍ରକାର ସହାୟତା ନ ମିଳିବା ପରେ ରାଜ୍ୟ ସରକାର ନିଜ ତରଫରୁ ୨ଜଣ ଡ୍ରଗ୍‌ ଇନ୍‌ସପେକ୍ଟରଙ୍କୁ ବିହାର ପଠାଇ ତଦନ୍ତ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଏ ପରିପ୍ରେକ୍ଷୀରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ(ପୂର୍ବତନ) ନିକୁଞ୍ଜ ଧଳ ୧୯ ତାରିଖ ଦିନ ବିହାର ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ କହିଛନ୍ତି।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ବିହାରସ୍ଥିତ ଗୟା ଅଞ୍ଚଳର ବିଆର-ଜିୱାଇୟୁ୧୦୬୮୬୧ ଲାଇସେନ୍‌ସ ନମ୍ବର ଥିବା ବାଲାଜୀ ଡ୍ରଗ୍ ପଏଣ୍ଟରୁ ଓଡ଼ିଶାକୁ ଏହି ଔଷଧ ଯୋଗାଣ ହୋଇଛି। ହେଲେ ଓଡ଼ିଶାରେ ତାହା ନକଲି ବୋଲି ପରୀକ୍ଷା ପରେ ସ୍ପଷ୍ଟ ହୋଇଛି। ଏହା ଜଣାପଡ଼ିବା ପରେ ରାଜ୍ୟ ଭେଷଜ ନିୟନ୍ତ୍ରକ ଚଳିତମାସ ୭ତାରିଖରେ ବିହାର ଭେଷଜ ନିୟନ୍ତ୍ରକଙ୍କୁ ଚିଠି ଲେଖିଥିଲେ। ମାତ୍ର ସେପଟୁ କୌଣସି ପ୍ରକାର ଉତ୍ତର ଆସିନାହିଁ। ତେଣୁ ଏହାର ତଦନ୍ତ କରି ତୁରନ୍ତ ଉତ୍ତର ରଖିବା ଲାଗି ସ୍ଥାନୀୟ ଭେଷଜ ନିୟନ୍ତ୍ରକଙ୍କୁ ନିର୍ଦେଶ ଦିଆଯାଉ। ସେହିପରି ସଂପୃକ୍ତ ନକଲି ଔଷଧ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ପାଇଁ ବ୍ୟବହୃତ ହେଉଥିବାରୁ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ରାଜ୍ୟ ପୁଲିସ ସହ ସହକାରୀ ଡ୍ରଗ୍‌ କଣ୍ଟ୍ରୋଲର ତୁଷାରରଂଜନ ପାଣିଗ୍ରାହୀ ଓ ଧର୍ମଦେବ ପୁହାଣ ବିହାର ଯାଇ ପରବର୍ତୀ ତଦନ୍ତ କରିବେ। ତେଣୁ ସ୍ଥାନୀୟ ଅଧିକାରୀଙ୍କୁ ଏ ସଂପର୍କିତ ନିର୍ଦେଶ ଦେବା ସହିତ ସହଯୋଗ କରିବା ଲାଗି ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର